xmas

ନଭେମ୍ବର ମଧ୍ୟ ଭାଗରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର, ୯ ନଭେମ୍ବର: ନଭେମ୍ବର ୧୪ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବାୟୁ ମଣ୍ଡଳର ଉପର ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ତା’ ପରବର୍ତୀ ଦିନ ଏହା ଲଘୁଚାପର ରୂପ ନେଇପାରେ ବୋଲି ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ସୂଚନା ଦେଇଛି ।

ମିଳିଥିବା ପ୍ରାରମ୍ଭିକ ତଥ୍ୟାନୁଯାୟୀ ଏହି ଘୂର୍ଣ୍ଣିବଳୟ ଉତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ଥିବା ବେଳେ ଏହା ଦିଗ ପରିବର୍ତନ କରି ନଭମ୍ବେର ୧୬ ସୁଦ୍ଧା ଉତର ଦିଗ ଆଡ଼କୁ ମୁହାଁଇ ପାରେ ବୋଲି ସିଇସି ପକ୍ଷରୁ ଜାରୀ ହୋଇଥିବା ବୁଲେଟିନ୍ କହିଛି ।

ଏହାର ପ୍ରଭାବରେ ନଭେମ୍ବର ୧୫ ରୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାଗୁଡ଼ିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବାବେଳେ ଏହାର ପରବର୍ତୀ ଦିନ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏହି ଘୂର୍ଣ୍ଣିବଳୟ ଉତର ଦିଗ ଆଡ଼କୁ ମୁହାଁଉଥିବାରୁ ଉପକୂଳ ଓ ଉତର ଓଡ଼ିଶାର ବିଭିନ୍ନ ଜିଲ୍ଲାଗୁଡ଼ିକର କେତେକ ସ୍ଥାନରେ ନଭେମ୍ବର ୧୬ ତାରିଖ ରାତିରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ନଭେମ୍ବର ୧୬ ରୁ ୧୮ ମଧ୍ୟରେ ଗଜପତି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, ପୁରୀ, ନୟାଗଡ଼, ଢ଼େଙ୍କାନାଳ, ଜଗତସିଂହପୁର, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର ଓ କେନ୍ଦୁଝର ପ୍ରଭୃତି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

କେନ୍ଦ୍ରୀୟ ଭାରତରେ ଆଂଟି ସାଇକ୍ଲୋନ୍ ପରିସ୍ଥିତି ରହିଥିବାରୁ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ରାତିର ତାପମାତ୍ରା ହ୍ରାସ ପାଇବ ଓ ଦିନର ତାପମାତ୍ରା ବୃଦ୍ଧି ପାଇବ । ନଭେମ୍ବର ୧୩ ତାରିଖରୁ ରାତିର ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.