କଂଗ୍ରେସ ହାତରୁ ରାଜସ୍ଥାନକୁ ଛଡ଼ାଇ ନେବ କି ବିଜେପି, କ’ଣ କହୁଛି ଏକଜିଟ୍ ପୋଲ୍ ଫଳାଫଳ ଜାଣନ୍ତୁ

ରାଜସ୍ଥାନରେ ୨୦୦ଟି ବିଧାନସଭା ଆସନ ଥିବା ବେଳେ ୧୯୯ଟି ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଛି।

ନୂଆଦିଲ୍ଲୀ: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୨୫ ତାରିଖରେ ଭୋଟ୍ ଗ୍ରହଣ ହୋଇଥିଲା। ଏଠାରେ ୨୦୦ଟି ଆସନ ଥିବା ବେଳେ ୧୯୯ଟି ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଛି। ରାଜସ୍ଥାନରେ କଂଗ୍ରେସ କ୍ଷମତାସୀନ ଥିବା ବେଳେ ଏଥର ଆଉ ସରକାର ଗଢ଼ି ପାରିବ ନାହିଁ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମ ଓ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ୍‌ ମଧ୍ୟରୁ ଅଧିକାଂଶଙ୍କ ତଥ୍ୟରୁ ଜଣାପଡ଼ିଛି। ତେବେ ଆଉ କେତୋଟି ସଂସ୍ଥାର ଏକ୍‌ଜିଟ୍ ପୋଲ୍ ତଥ୍ୟକୁ ସମୀକ୍ଷା କଲେ ଏଥର ଝୁଲା ବିଧାନସଭା ଦେଖିବାକୁ ମିଳିବ ବୋଲି ଆକଳନ କରାଯାଉଛି।

ରାଜସ୍ଥାନରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୦୦। P-Marqର ଏକ୍‌ଜିଟ୍ ପୋଲ୍ ଅନୁଯାୟୀ ରାଜ୍ୟରେ ଏଥର ବିଜେପି ୧୦୫ରୁ ୧୨୫ଟି ଆସନ ହାତେଇବ। କଂଗ୍ରେସ ୬୯-୯୧ଟି ଆସନରେ ଜିତିବ। ଅନ୍ୟାନ୍ୟ ଦଳକୁ ଗୋଟିଏ ବି ଆସନ ମିଳିବ ନାହିଁ।

Times Now-ETGର ତଥ୍ୟ ଅନୁଯାୟୀ ବିଜେପି ୧୦୮ରୁ ୧୨୮ଟି ଓ କଂଗ୍ରେସ ୫୬ରୁ ୭୨ଟି ଆସନରେ ଜିତିବେ। ଜନ୍‌ କି ବାତ୍‌ର ଏକ୍‌ଜିଟ୍‌ ପୋଲ୍ ତଥ୍ୟ ଅନୁସାରେ ବିଜେପି ୧୦୦ରୁ ୧୨୨ ଆସନ ଜିତିବ। କଂଗ୍ରେସକୁ ୬୨ରୁ ୮୫ଟି ଆସନ ମିଳିବ। ଅନ୍ୟାନ୍ୟ ଦଳ ୧୪ରୁ ୧୫ଟି ଆସନ ଜିତିବେ।

ପିଏମ୍‌ଏଆରକ୍ୟୁର ସର୍ଭେ ଅନୁଯାୟୀ ବିଜେପି ୧୦୫ରୁ ୧୨୫ଟି ଆସନ ଓ କଂଗ୍ରେସ ୬୯ରୁ ୯୧ଟି ଆସନ ଜିତିବେ। ଅନ୍ୟାନ୍ୟ ଦଳ ୫ରୁ ୧୫ଟି ଆସନ ଜିତିବେ।

ଅନ୍ୟପକ୍ଷରେ ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ (India Today-Axis My India) ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ ବିଜେପି ୮୦ରୁ ୧୦୦ଟି ଓ କଂଗ୍ରେସ ୮୬ରୁ ୧୦୬ଟି ଆସନ ଜିତିବ। ବିଏସ୍‌ପିକୁ ୧ରୁ ୨ ଓ ଅନ୍ୟାନ୍ୟଙ୍କୁ ୮ରୁ ୧୬ଟି ଆସନ ମିଳିବ। ସେହିପରି Polstratର ସର୍ଭେ କହୁଛି ବିଜେପି ୧୦୦ରୁ ୧୧୦ ଆସନ ଜିତିବ। କଂଗ୍ରେସ ୯୦ରୁ ୧୦୦ଟି ଆସନ ଜିତିବ। ଅର୍ଥାତ୍ କଡ଼ା ଟକ୍କର ହେବ।

ଇଣ୍ଡିଆ ଟିଭି-ସିଏନ୍‌ଏକ୍ସର ତଥ୍ୟ ଅନୁଯାୟୀ ବିଜେପି ୮୦ରୁ ୯୦ଟି ଆସନ ଓ କଂଗ୍ରେସ ୯୪ରୁ ୧୦୪ଟି ଆସନରେ ଜିତିବେ। ଏବିପି ନ୍ୟୁଜ୍ ଓ ସି ଭୋଟରର ଏକ୍‌ଜିଟ୍ ପୋଲ୍ ତଥ୍ୟ ଅନୁଯାୟୀ, ବିଜେପି ୯୪ରୁ ୧୧୪ଟି ଆସନରେ ଜିତିବ। କଂଗ୍ରେସକୁ ୭୧ରୁ ୯୧ଟି ଆସନ ମିଳିବ। ଦୈନିକ ଭାସ୍କରର ତଥ୍ୟ କହୁଛି ବିଜେପି ସରକାର ଗଢ଼ିପାରେ। ଦଳ ୯୫ରୁ ୧୦୫ଟି ଆସନ ଜିତିବ। ଅନ୍ୟପକ୍ଷରେ କଂଗ୍ରେସ ୮୫ରୁ ୯୫ଟି ଆସନ ଜିତିବ।

ସୂଚନାଯୋଗ୍ୟ, ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୦୭ଟି ଆସନ ଜିତିଥିବା ବେଳେ ବିଜେପି ୭୦ଟି ଆସନ ଜିତି ଥିଲା।

Leave A Reply

Your email address will not be published.