xmas

ନୂଆବର୍ଷରୁ କଟକ ବୋର୍ଡ ହାଇସ୍କୁଲକୁ ହାତକୁ ନେବେ ସରକାର

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ କଟକସ୍ଥିତ ବୋର୍ଡ ହାଇସ୍କୁଲକୁ ରାଜ୍ୟ ସରକାର ହାତକୁ ନେବେ । ୨୦୨୪ ଜାନୁୟାରୀ ୧ରୁ ଏହି ସ୍କୁଲର ସରକାରୀକରଣ କରାଯିବ ।

ଭୁବନେଶ୍ୱର/କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ କଟକସ୍ଥିତ ବୋର୍ଡ ହାଇସ୍କୁଲକୁ ରାଜ୍ୟ ସରକାର ହାତକୁ ନେବେ । ୨୦୨୪ ଜାନୁୟାରୀ ୧ରୁ ଏହି ସ୍କୁଲର ସରକାରୀକରଣ କରାଯିବ । ଏହାଦ୍ୱାରା ସ୍କୁଲର ଭିତ୍ତିଭୂମି ବିକାଶ ତଥା ଗୁଣାତ୍ମକ ଶିକ୍ଷା ମାନ ବୃଦ୍ଧି ହୋଇପାରିବ । ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମରେ ପ୍ରତ୍ୟେକ ଜିଲ୍ଲାରେ ଥିବା ନିମ୍ନ ଅଦାଲତଗୁଡ଼ିକରେ ‘ଶେରିସ୍ତାଦାର’ ପଦବୀଗୁଡ଼ିକର ନାମ ପରିବର୍ତ୍ତନକୁ ମଞ୍ଜୁରୀ ମିଳିଛି । ନିମ୍ନ ଅଦାଲତଗୁଡ଼ିକରେ ଶେରିସ୍ତାଦାର ପଦବୀଗୁଡ଼ିକ ଏଣିକି ‘ମୁଖ୍ୟ ପ୍ରଶାସନିକ ଅଧିକାରୀ’ ଭାବେ ଅଭିହିତ ହେବ । ଏଥିପାଇଁ ଓଡ଼ିଶା ସବଅର୍ଡିନେଟ୍ କୋର୍ଟ କର୍ମଚାରୀ(ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତ) ନିୟମ-୨୦୦୮ରେ ସଂଶୋଧନ ପାଇଁ ନିଷ୍ପତ୍ତି ନିଆଯାଇଛି ।

ସେହିପରି ୱେଲସ୍ପୁନ୍ ଗ୍ରୁପକୁ ଏକ ସ୍ପେଶାଲ ଆର୍ଥିକ ପ୍ୟାକେଜ୍ ପ୍ରଦାନକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି । ଏହା ମାଧ୍ୟମରେ ୱେଲସ୍ପୁନ୍ କମ୍ପାନୀ ଗ୍ରୁପ୍ କଟକର ଚୌଦ୍ୱାରରେ ୩ହଜାର କୋଟି ଟଙ୍କା ବ୍ୟୟରେ ଟେକ୍ସଟାଇଲ୍ ପାର୍କ ନିର୍ମାଣ ଓ ସମ୍ବଲପୁରର ନିଲଡୁଙ୍ଗରୀଠାରେ ୩୬୦୦କୋଟି ଟଙ୍କା ବ୍ୟୟରେ ପ୍ଲାଷ୍ଟିକ ପ୍ରସ୍ତୁତକାରୀ ଡିଆଇ ପାଇପ୍ କାରଖାନା ସ୍ଥାପନ କରିବ । ଏହି ଦୁଇଟି ଯାକ ଶିଳ୍ପ ମାଧ୍ୟମରେ ପ୍ରାୟ ୨୦ହଜାର ଲୋକଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଓଡ଼ିଶାକୁ ଶିଳ୍ପ ଓ ଅର୍ଥନୈତିକ କ୍ଷେତ୍ରରେ ବିକାଶ ଓ ଏହାର ଦୃଶ୍ୟପଟ୍ଟରେ ପରିବର୍ତ୍ତ ନିମନ୍ତେ ରାଜ୍ୟ ସରକାର ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି ।

ସେହିପରି ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ରାଜ୍ୟ କ୍ୟାବିନେଟ୍ ଆଜି ଓଡ଼ିଶା ଏମଏସଏମଇ ବିକାଶ ନୀତି-୨୦୨୨ ଓ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୨୨ରେ ସଂଶୋଧନ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି । ଏହାବ୍ୟତୀତ ଓଡ଼ିଶା ସାମାଜିକ ସୁରକ୍ଷା ସେବା ବର୍ଗର ପୁନର୍ଗଠନ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଫଳରେ ସାମାଜିକ ସୁରକ୍ଷା ସେବା ବର୍ଗରେ ଅତିରିକ୍ତ ୫୩ଟି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ୨୭ଟି ସବଡିଭିଜନ ସାମାଜିକ ସୁରକ୍ଷା ଅଧିକାରୀ ଓ ୧୬ଟି ଅତିରିକ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଦବୀ ସମେତ ୨ଟି ଉପନିର୍ଦ୍ଦେଶକ, ଗୋଟିଏ ଯୁଗ୍ମ ନିର୍ଦ୍ଦେଶକ ପଦବୀ ସୃଷ୍ଟିକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି ।

Leave A Reply

Your email address will not be published.