ବିଡିଓଙ୍କ ଦ୍ଵାରା ନୂତନ ରାସ୍ତା ଉଦଘାଟିତ

ମାଲକାନଗିରି: ମାଲକାନଗିରି ବ୍ଲକ ଅନ୍ତର୍ଗତ କୋଟେଲିଗୁଡା ଠାରେ ଏୟାରଷ୍ଟ୍ରିପ ନିର୍ମାଣ ହେଉଥିବା ବେଳେ ୭ଟି ଗ୍ରାମକୁ ଯାତାୟତ ପାଇଁ ରାସ୍ତା ବନ୍ଦ ହୋଇଯାଇଥିଲା। ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ବହୁ ଦାବି ପରେ ଏବେ ସେମାନଙ୍କୁ ନୂତନ ରାସ୍ତା ମିଳିପାରିଛି।ମାଲକାନଗିରି ବ୍ଲକ ଗୌଡଗୁଡା ପଞ୍ଚାୟତ ଅନ୍ତର୍ଗତ କୋଟେଲିଗୁଡା ଠାରେ ଏୟାରଷ୍ଟ୍ରିପ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିଲେ। ସେଠାରେ ଥିବା ଗ୍ରାମବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ଘର ପ୍ରଦାନ କରାଯାଇଥିଲା। କିନ୍ତୁ ସେହି ଗାଁ ରାସ୍ତା ଦେଇ ଯାଉଥିବା ଏମଭି ୧୦, ବିରାଗୁଡା, ତେନ୍ତୁଳିଗୁଡା, ରାମାଗୁଡା, ନୀଲମାରୀ, ବାଟପାଲ୍ଲୀ ଓ ଏମଭି ୧୧ ଗ୍ରାମର ଲୋକମନେ ଯାତାୟତ ବନ୍ଦ ହୋଇଯାଇଥିଲା। ଏୟାରଷ୍ଟିପର ନିର୍ମାଣ ହେଉଥିବା ବେଳେ ସେମାନେ କେଉଁ ରାସ୍ତା ଦେଇ ମାଲକାନଗିରିକୁ ଯିବେ ବୋଲି ଦାବି କରିଥିଲେ। ବ୍ଲକ କାର୍ଯ୍ୟାଳୟରେ ଦାବି କରିବା ସହ ଆନ୍ଦୋଳନ କରିବା ପାଇଁ ମଧ୍ୟ ଚେତାବନୀ ଦେଇଥିଲେ। ବାରମ୍ବାର ଦାବି ପରେ ବିଡିଓ ପ୍ରଭାତି ଝୋଡିଆଙ୍କ ନେତୃତ୍ବରେ ଏହି ଗ୍ରାମ ପାଇଁ ରାସ୍ତା ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ସମସ୍ତ ଗ୍ରାମକୁ ଗମନାଗମନ ସୁବିଧା ପାଇଁ ଏମଭି ୧୦ ଠାରୁ ଆରମ୍ଭ ହୋଇ କାଦବାହାଲ କେନାଲ ଛକ ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ କରାଗଲା। ମନରେଗାରେ ସାଢ଼େ ୯ ଲକ୍ଷ ଟଙ୍କା ବ୍ୟୟରେ ମାଟି ରାସ୍ତା ନିର୍ମାଣ ସହ କଲଭର୍ଟ ତିଆରି କରାଯାଇଛି। ବିଡିଓ ସୁଶ୍ରୀ ଝୋଡ଼ିଆଙ୍କ ଦ୍ଵାରା ଏହି ନୂତନ ରାସ୍ତାଟି ଉଦଘାଟିତ ହୋଇଯାଇଛି । ଏହି ଗାଁକୁ ରାସ୍ତା ହୋଇଥିବା ବେଳେ ଆସନ୍ତା ଦିନରେ ମେଟାଲ ପକାଇବା ସହ ପିଚୁ ରାସ୍ତା ନିର୍ମାଣ କରାଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ସରପଞ୍ଚ ପାଣ୍ଡୁରି ପଡିଆମୀ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅଭିଜିତ ସେଠୀ, କନିଷ୍ଠ ଯନ୍ତ୍ରୀ ବିଭୁତୀ ଭୂଷଣ ରାଉତ, ଯନ୍ତ୍ରୀ ସରୋଜ କୁମାର ସାମନ୍ତରାୟ ଓ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.