xmas

ୟୁଥ ଫର ସେବାର ‘ଅଙ୍କୁର ଶିଶୁ ମହୋତ୍ସବ’

ଅଂଶଗ୍ରହଣ କଲେ ୧୬ସ୍କୁଲରୁ ୫ଶହ ଛାତ୍ରଛାତ୍ରୀ

ଭୁବନେଶ୍ବର, ୧୭/୧୨: ୟୁଥ ଫର ସେବା ସାମାଜିକ ସଂଗଠନ ପକ୍ଷରୁ ଆୟୋଜିତ ‘ଅଙ୍କୁର ଶିଶୁ ମହୋତ୍ସବ’ ୟୁନିଟ୍ -୨ସ୍ଥିତ କ୍ୟାପିଟାଲ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଦିବସବ୍ୟାପୀ ଏହି କାର୍ଯ୍ୟକ୍ରମରେ ରାଜଧାନୀ ଓ ଆଖପାଖ ଅଞ୍ଚଳର ୧୬ଟି ସ୍କୁଲ ଓ ୮ ଚାଟଶାଳୀର ୫୦୦ କୁନି କୁନି ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ।

ବିଜ୍ଞାନ ମେଳା, କୁଇଜ୍‌, ଚିତ୍ରାଙ୍କନ, ଗ୍ରୁପ୍‌ ଡ୍ୟାନ୍ସ, ଯୋଗ, ନୁକ୍କଡ଼, ରଙ୍ଗୋଲୀ ଓ ଗଳ୍ପ କଥନ ଆଦି ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିପାରିଥିଲେ। ଛୋଟ ଛୋଟ ପିଲାମାନେ ବେଶ ସୁନ୍ଦର ଭାବେ ଚଟାଣରେ ରଙ୍ଗୋଲୀ ପ୍ରସ୍ତୁତି କରିଥିଲେ। ଯାହା ଉପସ୍ଥିତ ଦର୍ଶକ ଓ ପ୍ରତିଯୋଗୀମାନଙ୍କୁ ବେଶ ଆକୃଷ୍ଟ କରୁଥିଲା। ସେହିଭଳି ଶିଶୁ ପ୍ରତିଭାମାନଙ୍କ ସୁନ୍ଦର ସୁଲଳିତ କଣ୍ଠ ସ୍ଵରରୁ ବାହାରୁଥିବା ସଂଗୀତ ଉପସ୍ଥିତ ବ୍ୟକ୍ତିଙ୍କୁ ମୁଗ୍ଧ କରି ଦେଉଥିଲା। ଏହାସହ ଦଳଗତ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ ବେଶ ମନୋରମ ହେଉଥିବା ପ୍ରତିଯୋଗିତା ଦେଖିବାକୁ ଆସିଥିବା ଅଭିଭାବକ ଓ ଦର୍ଶକମାନେ ମତବ୍ୟକ୍ତ କରିଥିଲେ। ପିଲାମାନଙ୍କ ଲୁକ୍କାୟିତ ପ୍ରତିଭାକୁ ସର୍ବସମ୍ମୁଖରେ ପ୍ରସ୍ଫୁଟିତ କରିବା ପାଇଁ ୟୁଥ ଫର ସେବା ପକ୍ଷରୁ ଏହି କାର୍ଯ୍ୟକ୍ରମ ୨୦୨୦ ମସିହାରୁ ହୋଇଆସୁଛି ।  

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ବିଶ୍ବନାଥ ତରାଇ ଯୋଗଦେଇ ଅନୁଷ୍ଠାନର ଏତାଦୃଶ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀମାନଙ୍କ ପ୍ରତିଭା ଅନ୍ବେଷଣ ସହ ବୌଦ୍ଧିକ ଜ୍ଞାନ ବୃଦ୍ଧି ପାଇଁ ଏହି କାର୍ଯ୍ୟକ୍ରମ‌ ବେଶ ଉପାଦେ‌ୟ ହେବ ବୋଲି ସେ କହିଥିଲେ। ସଂଗଠନର ଟ୍ରଷ୍ଟି ସ୍ବୟଂ ପ୍ରକାଶ ବରାଳ ଓ ସଭାପତି ଡକ୍ଟର ପ୍ରଭାସ ରଞ୍ଜନ ତ୍ରିପାଠୀ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଅତିଥିମାନେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଏଥିରେ ୧୫୦ରୁ ଊର୍ଦ୍ଧ୍ବ ସ୍ବେଚ୍ଛାସେବୀ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସୁପରିଚାଳନା କରିବାରେ ସହଯୋଗ କରିଥିଲେ। ଛୋଟ ଶିଶୁ ପ୍ରତିଭାମାନଙ୍କ ହସ, ଖୁସି ଓ ନାଚ, ଗୀତ ଭିତରେ ଚଳିତବର୍ଷର ଏହି କାର୍ଯ୍ୟକ୍ରମ ଶେଷ ହୋଇଥିବାରୁ ସଂଗଠନର କର୍ମକର୍ତ୍ତା ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଏହି ଧାରା‌ ଅବ୍ୟାହତ ରହିବ ବୋଲି କହିଥିଲେ।

Leave A Reply

Your email address will not be published.