ମା’ ସମଲେଇ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି, ସଦସ୍ୟ ଓ ପୂଜାରୀମାନେ ନବୀନ ନିବାସ ଆଜି ମଙ୍ଗଳାଷ୍ଟକ ଗାନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ନିମନ୍ତ୍ରଣ କରିଛନ୍ତି ।
ଭୁବନେଶ୍ବର/ସମ୍ବଲପୁର: ଚଳିତ ମାସ ୨୭ତାରିଖରେ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ସମଲେଇ ମନ୍ଦିର ରୂପାନ୍ତରଣ ପ୍ରକଳ୍ପର ଲୋକାର୍ପଣ ହେବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ୧୦ଦିନ ପରେ ଅର୍ଥାତ୍ ଜାନୁୟାରୀ ୨୭ରେ ଏହି ଲୋକାର୍ପଣ ଉତ୍ସବ ନିମନ୍ତେ ମା’ ସମଲେଇ ମନ୍ଦିରର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସବୁ ଘରକୁ ନଡ଼ିଆ ଦିଆଯିବ ଓ ସେମାନଙ୍କଠୁ ମା’ଙ୍କ ପାଇଁ ସିନ୍ଦୂର ସଂଗ୍ରହ କରାଯିବ ।
ମା’ ସମଲେଇ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି, ସଦସ୍ୟ ଓ ପୂଜାରୀମାନେ ନବୀନ ନିବାସ ଆଜି ମଙ୍ଗଳାଷ୍ଟକ ଗାନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ନିମନ୍ତ୍ରଣ କରିଛନ୍ତି । ମା’ଙ୍କ ପୀଠର ରୂପାନ୍ତର ପାଇଁ ସେମାନେ ମୁଖ୍ୟମନ୍ତ୍ରୀ ଓ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଏହାସହିତ ଲୋକାର୍ପଣ ପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସବୁ ଘରକୁ ନଡ଼ିଆ ଦିଆଯିବ ଓ ସବୁ ଘରୁ ମା’ଙ୍କ ପାଇଁ ସିନ୍ଦୂର ଆସିବ ବୋଲି ସେମାନେ ସୂଚନା ଦେଇଛନ୍ତି ।
ମା’ଙ୍କ କାମରେ ସମସ୍ତଙ୍କ ସହଯୋଗ କାମନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମା’ଙ୍କ ପୀଠ ଓ ସମ୍ବଲପୁର ସହରର ଉନ୍ନତି ପାଇଁ ସେ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି । ଆଗାମୀ ଦିନରେ ମଧ୍ୟ ଏହି କାର୍ଯ୍ୟ ଜାରି ରହିବ। ୫ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମା’ଙ୍କ ଆଶୀର୍ବାଦରୁ ସବୁ କାମ ଭଲରେ ଭଲରେ ଚାଲିଛି ଏବଂ ଆଗକୁ ମଧ୍ୟ ସବୁ କାମ ଭଲରେ ହେବ। ସମସ୍ତଙ୍କ ସହଯୋଗରେ ରୂପାନ୍ତର କାମ ଜାରି ରହିବ।
ସୂଚନାଯୋଗ୍ୟ, ଷୋଡ଼ଶ ଶତାବ୍ଦୀର ପ୍ରସିଦ୍ଧ ପୀଠ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରର ରୂପାନ୍ତରଣ ପ୍ରକଳ୍ପ ପାଇଁ ୨୦୦କୋଟି ଟଙ୍କା ବ୍ୟୟ କରାଯାଇଛି । ମନ୍ଦିରର ସୌନ୍ଦର୍ଯ୍ୟକରଣ ସହିତ ଭକ୍ତମାନଙ୍କ ପାଇଁ ସମସ୍ତ ପ୍ରକାରର ସୁବିଧା କରାଯାଇଛି । ମନ୍ଦିର ସହିତ ମହାନଦୀ ଘାଟର ମଧ୍ୟ ଉନ୍ନତିକରଣ କରାଯାଉଛି । ଏହି ପ୍ରକଳ୍ପର ସଠିକ କାର୍ଯ୍ୟାନ୍ବୟନ ପାଇଁ ଶ୍ରୀ ପାଣ୍ଡିଆନ ଅନେକ ଥର ସମ୍ବଲପୁର ଯାଇ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପୂର୍ବରୁ ସେମାନେ ମା ସମଲେଶ୍ବରୀଙ୍କୁ ପୂଜା କରି ମା ପାଟଣେଶ୍ୱରୀ, ମା ଦଶମତୀ, ମା ବାଟ ମଙ୍ଗଳା, ବାବା ସୋମନାଥଙ୍କୁ ଏବଂ ଭୁବନେଶ୍ଵରରେ ଲିଙ୍ଗରାଜ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରିଥିଲେ ।
ସୂଚନାଯୋଗ୍ୟ, ଆଜି ସକାଳ ୬ଟାରେ ଟ୍ରଷ୍ଟ ବୋର୍ଡ ସଦସ୍ୟ ଓ ପୂଜକମାନେ ମା’ ସମଲେଶ୍ବରୀଙ୍କ ପାଖରେ ପୂଜାର୍ଚ୍ଚନା କରିଥିଲେ। ସମଲେଶ୍ବରୀ ପ୍ରକଳ୍ପର ଶୁଭ ଉଦ୍ଘାଟନ ନିମନ୍ତେ ଦେବ ନିମନ୍ତ୍ରଣ ଆରମ୍ଭ କରିଥିଲେ। ପ୍ରଥମେ ମା’ ପାଟଣେଶ୍ବରୀ, ମା’ ଦଶମତୀ, ମା’ ବାଟ ମଙ୍ଗଳା ଓ ବାବା ସୋମନାଥ ଦେବଙ୍କ ଶ୍ରୀ ଚରଣରେ ନିମନ୍ତ୍ରଣ କରିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବାକୁ ଏକ ପ୍ରତିନିଧି ମଣ୍ଡଳୀ ଭୁବନେଶ୍ବର ଅଭିମୁଖେ ବାହାରିଥିଲେ।
ଜାନୁୟାରୀ ୧୭ରେ ପୁରୀ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ସରକାରୀସ୍ତରରେ ଜୋରଦାର ପ୍ରଚାର-ପ୍ରସାର ସହ ପରିକ୍ରମା ରଥ ଘରକୁ ଘର ଗୁଆ ଓ ଅରୁଆ ଚାଉଳ ସଂଗ୍ରହ କରୁଛି । ଆଉ ଜାନୁୟାରୀ ୨୭ ସମଲେଇ ପ୍ରକଳ୍ପର ଲୋକାର୍ପଣ ପାଇଁ ଅନୁରୂପ ଭାବେ ପଶ୍ଚିମଓଡ଼ିଶାରେ ମଧ୍ୟ ଘରକୁ ଘର ବୁଲିବା ପାଇଁ ବ୍ୟାପକ ଆୟୋଜନ କରାଯାଇଛି ।