ବଡ଼ ସଫଳତା, ଧାର୍ଯ୍ୟ ସ୍ଥାନରେ ପହଞ୍ଚିଲା ଆଦିତ୍ୟ ଏଲ୍‌-୧

ଭାରତର ପ୍ରଥମ ସୂର୍ଯ୍ୟ ଅଭିଯାନ ଆଦିତ୍ୟ ଏଲ୍‌-୧ ଗତବର୍ଷ ସେପ୍ଟେମ୍ବର ୨ରେ ଲଞ୍ଚ ହୋଇଥିଲା ।

ବେଙ୍ଗାଲୁରୁ: ଭାରତର ମିଶନ ସୂର୍ଯ୍ୟକୁ ମିଳିଲା ବିରାଟ ସଫଳତା। ଗନ୍ତବ୍ୟସ୍ଥଳରେ ପହଞ୍ଚିଲା ଭାରତର ସୂର୍ଯ୍ୟ ମିଶନ୍ ଆଦିତ୍ୟ ଏଲ୍‌-୧। ପୃଥିବୀଠୁ ୧୫ ଲକ୍ଷ କି.ମି. ଦୂର ଲଗରାଞ୍ଜିଆନ୍ ପଏଣ୍ଟ ଏଲ୍‌-୧ରେ ଥିବା ହାଲୋ ଅର୍ବିଟରେ ପହଞ୍ଚିଛି। ଏଲ୍‌-୧ ପଏଣ୍ଟ ଚାରିପଟେ ଏକ ହାଲୋ ଅର୍ବିଟରେ ଅବସ୍ଥାପିତ କରିଯାବ ବୋଲି ଇସ୍ରୋ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା।

ଆଦିତ୍ୟ ଏଲ୍‌-୧ର ସଫଳତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଛନ୍ତି। ନିଜ ଏକ୍ସ ହ୍ୟାଣ୍ଡଲରେ ପୋଷ୍ଟ କରି ଭାରତ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା କହିଛନ୍ତି ମୋଦି। ଏଥିସହ ଭାରତୀୟ ବୈଜ୍ଞାନିକମାନଙ୍କୁ ସେ ପ୍ରଶଂସା ମଧ୍ୟ କରିଛନ୍ତି।

ପୂର୍ବରୁ ପୃଥିବୀ, ମଙ୍ଗଳ ଓ ଚନ୍ଦ୍ର କକ୍ଷପଥରେ ସାଟେଲାଇଟ ଓ ଅର୍ବିଟରକୁ ଅବସ୍ଥାପିତ କରିବାର ଅଭିଜ୍ଞତା ରହିଛି । ହେଲେ କୌଣସି ମହାଜାଗତିକ ପିଣ୍ଡ ନଥିବା ଫାଙ୍କା ସ୍ଥାନ ଚାରିପଟେ ଅର୍ଥାତ୍ ଏଲ୍‌-୧ ଚାରିପଟେ ବୁଲିବା ପାଇଁ ଆଦିତ୍ୟକୁ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ କରିବା ଇସ୍ରୋ ପାଇଁ ବଡ଼ ଚାଲେଞ୍ଜ ଥିଲା।

ଏଲ୍‌-୧ ପଏଣ୍ଟରେ ପୃଥିବୀ ଓ ସୂର୍ଯ୍ୟର ଚୁମ୍ବକୀୟ ଶକ୍ତି ସମାନ ପ୍ରଭାବ ପକାଉଥିବାରୁ, ଏହା ଚାରିପଟେ ଆଦିତ୍ୟ ଏଲ୍‌-୧ ପରିକ୍ରମା କରି ସୂର୍ଯ୍ୟ ଉପରେ ୨୪ ଘଣ୍ଟା ନଜର ରଖିପାରିବ ଏବଂ ନୂଆ ନୂଆ ତଥ୍ୟ ସଂଗ୍ରହ କରିପାରିବ। ଭାରତର ପ୍ରଥମ ସୂର୍ଯ୍ୟ ଅଭିଯାନ ଆଦିତ୍ୟ ଏଲ୍‌-୧ ଗତବର୍ଷ ସେପ୍ଟେମ୍ବର ୨ରେ ଲଞ୍ଚ ହୋଇଥିଲା । ଯାତ୍ରା ବେଳର ଏହି ୪ ମାସ ଭିତରେ ଏହା ସୂର୍ଯ୍ୟର ସମ୍ପୂର୍ଣ୍ଣ ଫଟୋ ଉଠାଇବା ସହିତ ବିଭିନ୍ନ ତଥ୍ୟ ସଂଗ୍ରହ କରି ପଠାଇବାରେ ସଫଳ ହୋଇଛି।

Leave A Reply

Your email address will not be published.