xmas

ହାଇଟେକ୍ ଟ୍ରାଜେଡି: ଦ୍ୱନ୍ଦ୍ୱ ଦୂର କଲା ଡିଏନ୍‌ଏ ରିପୋର୍ଟ, ତୃତୀୟ ମୃତକ ଦିଲ୍ଲୀପ ସାମନ୍ତରାୟ

ପୁଅବୋହୂଙ୍କୁ ହରାଇ ଦୁଃଖରେ ବୁଡ଼ି ରହିଥିବା ପରିବାର ଲୋକେ ଶୁଦ୍ଧିକ୍ରିୟା କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ପାଇଥିଲେ ଆଶ୍ଚର୍ଯ୍ୟ କରି ଦେଲା ଭଳି ଖବରଟିଏ।

ଭୁବନେଶ୍ୱର: ଭୁବନେଶ୍ୱରରେ ହାଇଟେକ୍ ହସ୍ପିଟାଲ୍‌ରେ ବିସ୍ଫୋରଣ ଘଟଣାରେ ପ୍ରାଣ ହରାଇଥିବା ତୃତୀୟ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଦିଲ୍ଲୀପ ସାମନ୍ତରାୟ। ଡିଏନ୍‌ଏ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି ଏଡିସିପି ପ୍ରକାଶ ପାଲ୍‌। ପରିଚୟ ସ୍ପଷ୍ଟ ହୋଇଥିବାରୁ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ଦିଆଯିବ।

ବିଡ଼ମ୍ବନାର ବିଷୟ ଗତ ୩୧ ତାରିଖରେ ଏହି ପରିବାର ଏକ ମୃତଦେହକୁ ସତ୍କାର କରିଥିଲା। ସେତେବେଳେ ଉକ୍ତ ମୃତଦେହ ଦିଲ୍ଲୀପଙ୍କର ବୋଲି କୁହାଯାଇଥିଲା। କିନ୍ତୁ ତାହା ଦିଲ୍ଲୀପଙ୍କର ନଥିଲା। ତାଙ୍କର ସେତେବେଳକୁ ମୃତ୍ୟୁ ହୋଇନଥିଲା। ସେ ହସ୍‌ପିଟାଲ୍‌ରେ ଭେଣ୍ଟିଲେଟରରେ ଥିଲେ। ଅନ୍ୟପକ୍ଷରେ ଦିଲ୍ଲୀପଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ତା’ପରଦିନ ଅର୍ଥାତ୍ ଗତ ଜାନୁଆରୀ ୧ ତାରିଖରେ ତାଙ୍କ ସ୍ତ୍ରୀ ଆତ୍ମହତ୍ୟା କରିଥିଲେ।

ପୁଅବୋହୂଙ୍କୁ ହରାଇ ଦୁଃଖରେ ବୁଡ଼ି ରହିଥିବା ପରିବାର ଲୋକେ ଶୁଦ୍ଧିକ୍ରିୟା କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଗତ ୪ ତାରିଖରେ ପାଇଥିଲେ ଆଶ୍ଚର୍ଯ୍ୟ କରି ଦେଲା ଭଳି ଖବରଟିଏ। ଦିଲ୍ଲୀପ ସାମନ୍ତରାୟ ବଞ୍ଚିଛନ୍ତି ବୋଲି କହିଥିଲେ ହସ୍‌ପିଟାଲ୍ କର୍ତ୍ତୃପକ୍ଷ। ଯାହାଙ୍କୁ ସେମାନେ ଜ୍ୟୋତିରଞ୍ଜନ ମଲ୍ଲିକ ଭାବି ଚିକିତ୍ସା କରୁଥିଲେ ସେ ଦିଲ୍ଲୀପ ସାମନ୍ତରାୟ ବୋଲି ନିଜକୁ ପରିଚୟ ଦେଇଥିଲେ। ଭେଣ୍ଟିଲେଟରରୁ ବାହାରିବା ପରେ ତାଙ୍କ ନାଁ ଦିଲ୍ଲୀପ ବୋଲି କହିଥିଲେ। ଏହା ଜାଣି ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କ ଅକଲ ଗୁଡୁମ ହୋଇଯାଇଥିଲା। ମାନସିକ ରୋଗ ବିଶେଷଜ୍ଞଙ୍କ ଦ୍ୱାରା ତାଙ୍କର ଆବଶ୍ୟକ ଯାଞ୍ଚ କରାଯାଇଥିଲା। ତା’ ସହିତ ପରିବାର ଲୋକଙ୍କ ଦ୍ୱାରା ଏହାର ସତ୍ୟତା ଜାଣିବାକୁ ପ୍ରୟାସ କରାଯାଇଥିଲା। ଏହା ପରେ ଜଣାପଡ଼ିଥିଲା ସେ ଜ୍ୟୋତିରଞ୍ଜନ ମଲ୍ଲିକ ନୁହନ୍ତି, ସେ ଦିଲ୍ଲୀପ ସାମନ୍ତରାୟ। 

ଦିଲ୍ଲୀପ ବଞ୍ଚିଛନ୍ତି ଜାଣି ତାଙ୍କ ପରିବାର ଲୋକଙ୍କ ମୁହଁରେ ଟିକେ ହସ ଫୁଟିଥିଲା। କିନ୍ତୁ ଅକାରଣରେ ବୋହୂର ଜୀବନ ଚାଲି ଯାଇଥିବାରୁ ସେମାନେ ଦୁଃଖରେ ଥିଲେ। ଏଥିପାଇଁ ହସ୍‌ପିଟାଲ କର୍ତ୍ତୃପକ୍ଷ ଦାୟୀ ବୋଲି ସେମାନେ କହିଥିଲେ। ତେବେ ପୁଅ ବଞ୍ଚିଥିବାର ଖୁସି ବି ଗୋଟିଏ ଦିନରୁ ଅଧିକ ରହିଲା ନାହିଁ। କାରଣ ୫ ତାରିଖ ରାତିରେ ନିଜକୁ ଦିଲ୍ଲୀପ ବୋଲି କହୁଥିବା ଯୁବକଙ୍କର ବି ମୃତ୍ୟୁ ଘଟିଥିଲା। ଫଳରେ ଘଟଣା ଅଧିକ ଜଟିଳ ହୋଇଯାଇଥିଲା। ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଥିଲେ ପରିବାର ଲୋକେ। ଅନ୍ୟପଟେ ସେହି ମୃତ ଯୁବକ ଯଦି ଦିଲ୍ଲୀପ, ତା’ହେଲେ ଆହତ ଜ୍ୟୋତିରଞ୍ଜନ ମଲ୍ଲିକ କୁଆଡ଼େ ଗଲେ ବୋଲି ପ୍ରଶ୍ନ କରିଥିଲେ ତାଙ୍କ (ଜ୍ୟୋତିଙ୍କ) ପରିବାର ଲୋକେ। ଜ୍ୟୋତି ଯଦି ମୃତ, ତାଙ୍କ ମୃତଦେହ କୁଆଡ଼େ ଗଲା ବୋଲି ସେମାନେ କରିଥିଲେ ପ୍ରଶ୍ନ। ଏହି ଟଣାଓଟରା ମଧ୍ୟରେ ମୃତଦେହର ଡିଏନ୍‌ଏ ଟେଷ୍ଟ କରାଯିବ ବୋଲି କହିଥିଲା କମିଶନରେଟ୍ ପୁଲିସ।

ଗତ ଡିସେମ୍ବର ୨୯ ତାରିଖରେ ହାଇଟେକ୍ ହସ୍‌ପିଟାଲ୍‌ରେ ଏସିରେ ଗ୍ୟାସ୍‌ ଭର୍ତ୍ତି କରୁଥିବା ବେଳେ ବିସ୍ଫୋରଣ ହୋଇଥିଲା। ଏଥିରେ ୪ ଜଣ ଗୁରୁତର ଆହତ ହୋଇଥିବା ବେଳେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାକ୍ରମକୁ ଦେଖିଲେ ଲାଗୁଛି ପ୍ରଥମେ ଜ୍ୟୋତିରଞ୍ଜନ ମଲ୍ଲିକଙ୍କର ମୃତ୍ୟୁ ଘଟିଥିଲା। ଆଉ ତାଙ୍କୁ ଦିଲ୍ଲୀପ ସାମନ୍ତରାୟ ମନେ କରି ମୃତଦେହକୁ ଦିଲ୍ଲୀପଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ଏହି ଘଟଣାରେ ପ୍ରାଣ ହରାଇଥିବା ଆଉ ଜଣେ ଯୁବକ ହେଉଛନ୍ତି ପୁରୀ ଜିଲ୍ଲା ଡେଲାଙ୍ଗ ଚାଇଁପୁର ଗାଁର ଶ୍ରୀତମ ସାହୁ (୨୩)।

Leave A Reply

Your email address will not be published.