xmas

ଆଜି ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୮ତମ ଜନ୍ମ ଜୟନ୍ତୀ, ଟଲମ୍ୟାନଙ୍କ ସ୍ମୃତିକୁ ମନେ ପକାଉଛି ସାରା ଓଡ଼ିଶା

ବିଜୟାନନ୍ଦ ପଟ୍ଟନାୟକ ଓରଫ ବିଜୁ ପଟ୍ଟନାୟକ ଗୋଟିଏ ଜାତି ଓ ଗୋଟିଏ ରାଜ୍ୟର ପରିଚୟ। ଆଜି ହେଉଛି ସେହି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମ ଜୟନ୍ତୀ । ଓଡ଼ିଶାର ଗର୍ବ, ଗରିମା ଓ ସ୍ବାଭିମାନର ସ୍ବାକ୍ଷର ଆଙ୍କିଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ। ୧୯୧୬ମାର୍ଚ୍ଚ ୫ରୁ ୧୯୯୭ ଏପ୍ରିଲ୍ ୧୭ ତାରିଖ-୮୧ ବର୍ଷର ଜୀବନ। ତାଙ୍କର ପ୍ରତିଟି ମୁହୂର୍ତ୍ତ ଥିଲା କର୍ମମୟ। ଦୁର୍ଦ୍ଧର୍ଷ ପାଇଲଟ୍‌, ସଫଳ ଶିଳ୍ପପତି, ବିଚକ୍ଷଣ ରାଜନୀତିଜ୍ଞ, ଦୂରଦ୍ରଷ୍ଟା,ସ୍ବାଭିମାନୀ, ସ୍ପଷ୍ଟବାଦୀ, ନିର୍ଭୀକ ବ୍ୟକ୍ତିତ୍ବର ଅଧିକାରୀ ଥିଲେ ଏହି ସର୍ବମାନ୍ୟ ନେତା।

୧୯୬୧ ମସିହାରୁ ୧୯୬୩ ଯାଏଁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ପରେ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ପୁଣି ମୁଖ୍ୟମନ୍ତ୍ରୀ ବନିଥିଲେ। କେନ୍ଦ୍ରରେ କେଇଲା ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି ବିଜୁ ପଟ୍ଟନାୟକ। ଜଣେ ନିର୍ଭିକ ପାଇଲଟ ଭାବେ ମଧ୍ୟ ଥିଲା ତାଙ୍କର ସୁଖ୍ୟାତି। ତାଙ୍କୁ ଭୂମିପୁତ୍ର ଉପାଧିରେ ଭୂଷିତ କରିଥିଲା ଇଣ୍ଡୋନେସିଆ। ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥା ଲାଗୁ କରିବାରେ ସେ ଥିଲେ ସୂତ୍ରଧର। ଆଜିର ଦିନକୁ ଓଡ଼ିଶାରେ ପଞ୍ଚାୟତିରାଜ ଦିବସ ଭାବେ ପ୍ରତିବର୍ଷ ପାଳନ କରାଯାଏ।

ପ୍ରବାଦପୁରୁଷ, ଭୂମିପୁତ୍ର, କଳିଙ୍ଗବୀର, ଦ୍ବିତୀୟ ଖାରବେଳ ଆଦି ଅନେକ ବିଶେଷଣରେ ଭୂଷିତ ବିଜୁବାବୁ ୧୯୧୬ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପୈତୃକ ଗ୍ରାମ ଥିଲା ଗଞ୍ଜାମ ଜିଲ୍ଲାର ଜି-ନୂଆ ଗାଁ। ସ୍କୁଲ ଶିକ୍ଷା ସାରି ସେ ରେଭେନ୍ସା କଲେଜରେ ନାମ ଲେଖାଇଥିଲେ। ପାଇଲଟ୍‌ ହେବାର ଇଚ୍ଛା ଥିବାରୁ ସେ ବିମାନ ଚାଳନାରେ ତାଲିମ୍‌ ନେଲେ। ପ୍ରତ୍ୟେକ ଆହ୍ବାନକୁ ସାମ୍ନା କରିବାର ଅଦମ୍ୟ ସାହସ ତାଙ୍କଠାରେ ଥିଲା। ୧୯୪୬ରେ ଜବାହରଲାଲ୍ ନେହେରୁଙ୍କ ପରାମର୍ଶକ୍ରମେ ଇଣ୍ଡୋନେସିଆ ସ୍ବତନ୍ତ୍ରତା ସଂଗ୍ରାମର ଦୁଇ ତୁଙ୍ଗ ନେତାଙ୍କୁ ବିଜୁ ପଟ୍ଟନାୟକ ତାଙ୍କ ଡାକୋଟା ବିମାନରେ ଡଚ୍‌ମାନଙ୍କ କବଳରୁ ଉଦ୍ଧାର କରି ଦିଲ୍ଲୀ ନେଇ ଆସିଥିଲେ।

ସେଥିପାଇଁ ବିଜୁବାବୁଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭୂମିପୁତ୍ର’ ପ୍ରଦାନ କରାଯାଇଥିଲା। ସ୍ବାଧୀନତା ପରେ କାଶ୍ମୀର ଉପରେ ପାକ୍ ଆକ୍ରମଣ କାଳରେ ଦୁର୍ଗମ ଅଞ୍ଚଳରେ ଶ୍ରୀନଗରରେ ଭାରତୀୟ ସୈନ୍ୟମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ସେ ଦେଶବାସୀଙ୍କ ପ୍ରିୟଭାଜନ ହୋଇପାରିଥିଲେ। ୧୯୬୧ରେ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ବିଧାନସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସର ନେତୃତ୍ବ ନେଇ ୧୪୦ ଆସନରୁ ୮୨ଟିରେ ବିଜୟ ହାସଲ କରିଥିଲେ। ଏହି ସମୟରେ ବିଜୁବାକୁ ମାତ୍ର ୨ବର୍ଷ ୩ ମାସ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହି ସ୍ବଳ୍ପ ସମୟରେ ବି ସେ ରାଜ୍ୟ ବିକାଶର ଦୃଢ ଭିତ୍ତିଭୂମି ପ୍ରତିଷ୍ଠା କରିଥିଲେ। ପାରାଦୀପ ବନ୍ଦର, ଏକ୍ସପ୍ରେସ୍‌ ହାଇୱେ , ମିଗ୍‌ ବିମାନ କାରଖାନା, ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ, ସୈନିକ ସ୍କୁଲ, ଆଦି ଅନେକ କୀର୍ତ୍ତି ତାଙ୍କ ମୁଖ୍ୟମନ୍ତ୍ରୀତ୍ବ ଅମଳରେ ଆରମ୍ଭ ହୋଇଥିଲା।

ସତୁରୀ ଦଶକରେ ସେ ମୋରାରଜୀ ଦେଶାଇଙ୍କ ପ୍ରଧାନମନ୍ତ୍ରୀତ୍ବ କାଳରେ ଇସ୍ପାତ, ଖଣି ଓ କୋଇଲା ବିଭାଗର ମନ୍ତ୍ରୀ ହୋଇଥିଲେ। ୧୯୯୦ରେ ତାଙ୍କ ନେତୃତ୍ବରେ ଗଠିତ ଜନତାଦଳ ଓଡ଼ିଶା ବିଧାନସଭାରେ ରେକର୍ଡ ସଂଖ୍ୟକ ୧୨୩ଟି ଆସନ ଦଖଲ କରିଥିଲା ଓ ସେ ଦ୍ବିତୀୟ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୭ ଏପ୍ରିଲ୍ ୧୯୯୭ରେ ଏହି ମହାନ ଜନନେତାଙ୍କର ମହାପ୍ରୟାଣ ଘଟିଥିଲା।

ବିଜୁ ପଟ୍ଟନାୟକ ଓଡ଼ିଶା ମାଟିରେ ଜନ୍ମିତ ଜଣେ ଉତ୍ତୁଙ୍ଗ ଜନନାୟକ। ଓଡ଼ିଆ ଜାତି ତଥା ଓଡ଼ିଶାର ଉତ୍‌ଥାନ ପାଇଁ ସେ ଆଜୀବନ ସଂଘର୍ଷ କରିଥିଲେ। ସେ ଥିଲେ ସାହସୀ, ସ୍ବାଭିମାନୀ, ଯୁଗସ୍ରଷ୍ଟା ଓ ଦୂରଦ୍ରଷ୍ଟା ରାଜନେତା। ୫ ମାର୍ଚ୍ଚ ୧୯୧୬ରେ ଆସିକାରେ ବିଜୁବାବୁ ଜନ୍ମ ହୋଇଥି‌େଲ। ଓଡ଼ିଶାକୁ ଏକ ବିଭବଶାଳୀ ରାଜ୍ୟରେ ପରିଣତ କରିବାପାଇଁ ସ୍ବାଧୀନତା ପରେ ସ୍ବପ୍ନ ଦେଖିଥିଲେ ସେ। ଭୁବନେଶ୍ବରରେ ପ୍ରତିଷ୍ଠା କରିଥିଲେ ଆମ ରାଜ୍ୟର ପ୍ରଥମ ଫ୍ଲାଇଙ୍ଗ୍ କ୍ଲବ୍‌ ଏବଂ ଘରୋଇ ବିମାନସେବା ସଂସ୍ଥା ‘କଳିଙ୍ଗ ଏଆର‌୍‌େଵଜ୍‌’। ବ୍ୟକ୍ତିଗତ ଉଦ୍ୟମରେ ସେ ଚୌଦ୍ବାରରେ ଓଡ଼ିଶା ଟେକ୍‌ସଟାଇଲ୍‌ ମିଲ୍‌, କଳିଙ୍ଗ ଟ୍ୟୁବ୍‌ସ, କଳିଙ୍ଗ ରେଫ୍ରିଜରେସନ୍‌, କଳିଙ୍ଗ ଇଣ୍ତଷ୍ଟ୍ରିଜ୍‌ ଭଳି ବହୁ କାରଖାନା ଖୋଲିଥିଲେ। ବୈଷୟିକ ବିଜ୍ଞାନ ଉପରେ ତାଙ୍କର ବିଶ୍ବାସ ଥିଲା।

ବିଜ୍ଞାନର ପ୍ରସାର ପାଇଁ ୧୯୫୧ରେ ସେ ଜାତିସ˚ଘର ଶିକ୍ଷା, ବିଜ୍ଞାନ ଓ ସ˚ସ୍କୃତି ସ˚ସ୍ଥା ମାଧ୍ୟମରେ ‘କଳିଙ୍ଗ ପୁରସ୍କାର’ ସ୍ଥାପନ କରିଥିଲେ। ପାରାଦୀପରେ ଏକ ବୃହତ୍‌ ବନ୍ଦର ସ୍ଥାପନ ପାଇଁ ସେ ହିଁ ପ୍ରଥମେ ପଦକ୍ଷେପ ନେଇଥିଲେ। କେନ୍ଦ୍ର ଟାଳଟୁଳ ନୀତି ଅବଲମ୍ବନ କରିଚାଲିଥିଲେ ହେଁ ବିଜୁ ପ୍ରଧାନମନ୍ତ୍ରୀ ପଣ୍ତିତ ନେହରୁଙ୍କୁ ପ୍ରଭାବିତ କରି ଶୁଭ ଦିଆଇଥିଲେ। କେନ୍ଦ୍ରର ସହାୟତା ମିଳିବା ପୂର୍ବରୁ ରାଜ୍ୟ ବ୍ୟୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଇ ସେ ଲଢ଼ୁଆ ମନୋବୃତ୍ତିର ପରିଚୟ ଦେଇଥିଲେ। ଓଡ଼ିଶାର ଲୌହ-ବହୁଳ ଅଞ୍ଚଳ ସହ ପାରାଦୀପକୁ ଯୋଡ଼ିବା ପାଇଁ ଗଢ଼ାଇଥିଲେ ଦୈତାରୀ-ପାରାଦୀପ ଏକ୍‌ସପ୍ରେସ୍‌ ରାଜପଥ। ତେର ଜିଲ୍ଲା-ବିଶିଷ୍ଟ ଓଡ଼ିଶାକୁ ଭାଙ୍ଗିବା ପାଇଁ ତାଙ୍କ ପୂର୍ବରୁ କୌଣସି ମୁଖ୍ୟମନ୍ତ୍ରୀ ସାହସ କରି ନ ଥିଲେ। ନିଜର ଦ୍ବିତୀୟ ଶାସନ କାଳରେ ସେ ଓଡ଼ିଶାକୁ ତିରିଶଟି ଜିଲ୍ଲାରେ ବିଭକ୍ତ କରିଥିଲେ। ବିଜୁଙ୍କ ଅବଦାନସ୍ବରୂପ ପଞ୍ଚାୟତ ଓ ନଗରପାଳିକା ବ୍ୟବସ୍ଥାରେ ମହିଳାଙ୍କ ନିମନ୍ତେ ସ୍ଥାନ ସ˚ରକ୍ଷଣ ଦେଶରେ ସର୍ବପ୍ରଥମେ ଓଡ଼ିଶାରେ କାର୍ଯ୍ୟକାରୀ ହୋଇଥିଲା। ଖଟିଖିଆ ମଜୁରିଆଙ୍କ ପାଇଁ ମଧ୍ୟ ସେ ଐତିହାସିକ ପଦକ୍ଷେପ ନେଇଥିଲେ। ସେ ସର୍ବନିମ୍ନ ମଜୁରିକୁ ଏଗାର ଟଙ୍କାରୁ ପଚିଶ ଟଙ୍କାକୁ ବୃଦ୍ଧି କରିଥିଲେ। ତାଙ୍କର ଏହି ପଦକ୍ଷେପ ଥିଲା ଦେଶରେ ପ୍ରଥମ।

Leave A Reply

Your email address will not be published.