କାହିଁକି ପାଳନ ହୁଏ ରୁକୁଣା ରଥଯାତ୍ରା ? ଆସନ୍ତୁ ଜାଣିବା

ଯେଉଁଭଳି ଭାବେ ରଥଟି ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥାଏ ଠିକ୍ ସେହିଭଳି ପୁନର୍ବାର ପଛକୁ ଫେରିଥାଏ। ଜଗନ୍ନାଥ ମହାପ୍ରଭୁଙ୍କ ପରି ରଥ ଦକ୍ଷିଣ ମୋଡ ବୁଲିନଥାଏ। ସେଥିପାଇଁ ଏହାକୁ ଅଣଲେଉଟା ବୋଲି କୁହାଯାଏ।

ଭୁବନେଶ୍ୱର: ଆଜି ପବିତ୍ର ଅଶୋକାଷ୍ଟମୀ। ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା। ଏଥପାଇଁ ଚଳଚଞ୍ଚଳ ପୂରା ଭୁବନେଶ୍ୱର। ଆଜି ନିର୍ଦ୍ଧାରିତ ସମୟ ଅନୁଯାୟୀ ଭୋର ୫ଟାରୁ ମନ୍ଦିର ଦ୍ୱାର ଖୋଲାଯାଇ ନୀତିକାନ୍ତି କରାଯାଇଛି। ଅନ୍ୟପକ୍ଷରେ ରୁକୁଣା ରଥ ପୂର୍ବରୁ ସୋମବାର ବିଳମ୍ବିତ ରାତିରେ ମରିଚିକୁଣ୍ଡ ଜଳ ନିଲାମ ହୋଇଛି। ମରିଚିକୁଣ୍ଡ ଜଳରେ ଆଜି ରଥ ପ୍ରତିଷ୍ଠା ହୋଇଛି।

ତେବେ କାହିଁକି ପାଳିତ ହୁଏ ଏକାମ୍ର ଆରାଧ୍ୟ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ? ଆସନ୍ତୁ ଜାଣିବା। ରୁକୁଣା ରଥଯାତ୍ରା ଶ୍ରୀଲିଙ୍ଗରାଜଙ୍କର ଏକ ପ୍ରମୁଖ ବାର୍ଷିକ ଉତ୍ସବ ଯାହା ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ପାଳନ କରାଯାଇଥାଏ। 

ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଚୈତ୍ର ମାସ ଶୁକ୍ଳ ଅଷ୍ଟମୀ (ଅଶୋକାଷ୍ଟମୀ) ତିଥିରେ ଅନୁଷ୍ଠିତ ହୁଏ। ପ୍ରଭୁ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର, ରୁକ୍ମଣୀ ଓ ବାସୁଦେବ ରଥ ଉପରେ ବିଜେ ହୁଅନ୍ତି। ରଥକୁ ଲିଙ୍ଗରାଜ ମନ୍ଦିରଠାରୁ ରାମେଶ୍ୱର (ମାଉସୀ ମା’ ମନ୍ଦିର) ମନ୍ଦିର ପର୍ଯ୍ୟନ୍ତ ଟଣାଯାଏ। ଏହି ରଥଯାତ୍ରା ୫ ଦିନ ବ୍ୟାପୀ ଚାଲେ। ଏହି ରଥର ଉଚ୍ଚତା ୫୦ ଫୁଟ ଓ ୪ ଚକ, ୨ ଓରା, ୧୬ ନାହାକା, ୫ ଦଣ୍ଡା ବିଶିଷ୍ଟ। ରଥର ନାମ ରୁକ୍ମଣୀ ବା ରୁକୁଣା ରଥ। ଏହି ରଥଟିର ବିଶେଷତ୍ୱ ହେଉଛି ରଥଟି ଅଣଲେଉଟା।

ଯେଉଁଭଳି ଭାବେ ରଥଟି ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥାଏ ଠିକ୍ ସେହିଭଳି ପୁନର୍ବାର ପଛକୁ ଫେରିଥାଏ। ଜଗନ୍ନାଥ ମହାପ୍ରଭୁଙ୍କ ପରି ରଥ ଦକ୍ଷିଣ ମୋଡ ବୁଲିନଥାଏ। ସେଥିପାଇଁ ଏହାକୁ ଅଣଲେଉଟା ବୋଲି କୁହାଯାଏ। ବାହୁଡ଼ା ଦିନ ରଥର ଆଗପାଖର ସାଜସଜ୍ଜାକୁ ବିପରୀତ ଦିଗରେ ଉପବେସନ କରାଯାଏ।

ରୁକୁଣା ରଥର ସାରଥୀଙ୍କୁ କୁହାଯାଏ ‘ବ୍ରହ୍ମା’। ରଥଖଳାରେ ରଥର ସମସ୍ତ କାର୍ଯ୍ୟ ମହାରଣାମାନେ କରିଥାନ୍ତି। ରଥଯାତ୍ରା ପୂର୍ବଦିନ ଭୋର ୪ଟାରୁ ମଙ୍ଗଳା ଆଳତୀ ଆରମ୍ଭ ହୋଇ ଅବକାଶ ନୀତି, ରୋଷପାକ, ସାହାଣ ମେଲା ଦର୍ଶନ, ମହାସ୍ନାନ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ ପୂଜା, ମା ଭୁବନେଶ୍ୱରୀଙ୍କ ପୂଜା, ସକାଳ ଧୂପ, ଭୋଗ ମଣ୍ଡପ, ବେଶ ସଜ୍ଜା ଓ ଦିନ ୨ଟା ସୁଦ୍ଧା ମହାପ୍ରଭୁ ଲିଙ୍ଗରାଜ, ବାସୁଦେବ ଓ ମା ଭୁବନେଶ୍ୱରୀ ବା ରୁକୁଣାଙ୍କ ପହଣ୍ଡି ହୋଇଥାଏ। ଏହାପରେ ରଥ ଉପରେ ଚକ ପୂଜା, ଅଖ ପୂଜା, ଦ୍ୱାରପୂଜା, ଅଶ୍ୱପୂଜା, ଧ୍ୱଜାପୂଜା, ବ୍ରହ୍ମାପୂଜା ଓ ଛେରାପହଁରା ପ୍ରଭୃତି ପ୍ରାୟ ୧୨ପ୍ରକାରର ପୂଜା କରାଯାଇଥାଏ। 

Leave A Reply

Your email address will not be published.