ବିଜେଡ଼ିରେ ଯୋଗଦେଲେ ବୀରମହାରାଜପୁରର କଂଗ୍ରେସ ନେତା ରାଜଗୋପାଳ ପାଣିଗ୍ରାହୀ ଓ ବିଜେପି ନେତା ରଘୁବୀର ପାଣିଗ୍ରାହୀ

ଭୁବନେଶ୍ୱର, ୨୫/୦୪/୨୦୨୪: ବୀରମହାରାଜପୁର ନିର୍ବାଚନମଣ୍ଡଳୀର ଜିଲ୍ଲା କଂଗ୍ରେସ ଉପସଭାପତି ରାଜଗୋପାଳ ପାଣିଗ୍ରାହୀ ଓ ପୂର୍ବତନ ବିଜେପି ରାଜ୍ୟ କିଷାନ ମୋର୍ଚ୍ଚା କୋଷାଧ୍ୟକ୍ଷ ରଘୁବୀର ପାଣିଗ୍ରାହୀଙ୍କ ସହ ବହୁ ନେତା ଏବଂ କର୍ମକର୍ତ୍ତା ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ ହୋଇଥିବା ରାଜଗୋପାଳ ପାଣିଗ୍ରାହୀ ଓ ରଘୁବୀର ପାଣିଗ୍ରାହୀଙ୍କୁ ଡକ୍ଟର ପାତ୍ର ଓ ଶ୍ରୀ ବେହେରା ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ରାଜଗୋପାଳ ପାଣିଗ୍ରାହୀ ଓ ରଘୁବୀର ପାଣିଗ୍ରାହୀଙ୍କ ଯୋଗଦାନ ଫଳରେ ବୀରମହାରାଜପୁରରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର ଓ ଶ୍ରୀ ବେହେରା କହିଥିଲେ ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ରାଜଗୋପାଳ ପାଣିଗ୍ରାହୀ ଓ ରଘୁବୀର ପାଣିଗ୍ରାହୀ ନିଜ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ । ନୂତନ ଓ ବିକଶିତ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ । ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।

ଏହି ମିଶ୍ରଣ ପର୍ବରେ ପ୍ରେମାନନ୍ଦ ଜଟି, ହରିହର ପାତ୍ର, ନିତ୍ୟାନନ୍ଦ ସାହୁ ଓ ରୁଷଭ ପ୍ରଧାନଙ୍କ ସମେତ ବହୁ କର୍ମକର୍ତ୍ତା ବିଜେଡ଼ିରେ ସାମିଲ ହୋଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.