ଚିତ୍ରକୋଣ୍ଡା ବିଜେପି ପ୍ରାର୍ଥୀ ସହ ଅନ୍ୟ ୩ ଦଳର ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ମାଲକାନଗିରି,୨୫/୪: ଆଜି ଚିତ୍ରକୋଣ୍ଡା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ସହ ଅଖିଳ ଭାରତୀୟ ହିନ୍ଦୁ ମହାସଭା, ଜନତା ଦରବାର ପାର୍ଟି ଏବଂ ଆମ ଆଦମୀ ପାର୍ଟି ତରଫରୁ ପ୍ରାର୍ଥୀ ପତ୍ର ଦାଖଲ କରାଯାଇଛି। ଗରମକୁ ଖାତିରି ନକରି ହଜାର ହଜାର ସମର୍ଥକ ଓ କର୍ମୀଙ୍କ ସହ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଡମ୍ବରୁ ଶିଶା, ଅଖିଳ ଭାରତୀୟ ହିନ୍ଦୁ ମହାସଭାର ପଦିଆ ପଡ଼ିଆମି, ଜନତା ଦରବାର ପାର୍ଟିର ଲକ୍ଷ୍ମଣ ମାଡ଼କାମି, ସ୍ବାଧୀନ ପ୍ରାର୍ଥୀ ଘେନୁ ମୁଦୁଲି ଏବଂ ଆମ ଆଦମୀ ପାର୍ଟିର ପ୍ରାର୍ଥୀ ଶରତ ଚନ୍ଦ୍ର ବୁରୁଦା ନାମାଙ୍କନ ପତ୍ର ଦାଖଲ କରିଥିଲେ।ବିଜେପିର ପ୍ରାର୍ଥୀ ଡମ୍ବରୁ ଶିଶା ନିଜର ପରାକ୍ରମ ଆଜି ମାଲକାନଗିରିରେ ଦେଖାଇଛନ୍ତି। ଡମ୍ବରୁ ଶିଶା ୪୨ ଡିଗ୍ରି ଖରାରେ ନିଜର ହଜାର ହଜାର କର୍ମୀ ଓ ସମର୍ଥକମାନଙ୍କୁ ନେଇ ଭୈରବ ମନ୍ଦିରରୁ ଏକ ବିରାଟ ପଟୁଆରରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଥିଲେ। ବଣ୍ଡା ଏବଂ ଦୁରୁଆ ନାଚର ତାଳେ ତାଳେ ବିଜେପିର ହଜାର ହଜାର ସମର୍ଥକ ଓ ଦଳୀୟ କର୍ମକର୍ତ୍ତା ନାଚିବା ସହ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ତେବେ ସେ ଆଗକୁ ନିର୍ବାଚନ ଜିତିବା ନେଇ ବେଶ୍ ଆଶାବାଦୀ ଅଛନ୍ତି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗ୍ୟାରେଣ୍ଟି, ସବକା ସାଥ୍ ସବକା ବିକାଶ ମୁଦ୍ଦା ନେଇ ଲୋକଙ୍କ ପାଖକୁ ପହଞ୍ଚିବେ ବୋଲି କହିଛନ୍ତି। ବିଜେପି ସରକାର ଆସିଲେ ଚିତ୍ରକୋଣ୍ଡା ନିର୍ବାଚନୀ ମଣ୍ଡଳୀ ସହ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ କରାଯିବ ବୋଲି ଶ୍ରୀ ଶିଶା ମତବ୍ୟକ୍ତ କରି ପ୍ରତିଶ୍ରୁତି ଦେଇଥିଲେ । ସେହିପରି ଆମ୍ ଆଦମୀ ପାର୍ଟିର ଶରତ ବୁରୁଦାଙ୍କ ସହ ଅନ୍ୟ ଦଳର ପ୍ରାର୍ଥୀମାନେ ମଧ୍ୟ ନିଜ ସମର୍ଥକମାନଙ୍କ ସହ ରାଲିରେ ବାହାରି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଗତକାଲି ଉଭୟ ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ପତ୍ର ଦାଖଲ କରାଯାଇଥିଲା। ବିଜେଡି ପକ୍ଷରୁ ଲକ୍ଷ୍ମୀପ୍ରିୟା ନାୟକ ଏବଂ କଂଗ୍ରେସର ମଙ୍ଗୁ ଖିଲୋ ଚିତ୍ରକୋଣ୍ଡା ବିଧାନସଭା ଆସନ ପାଇଁ ଏବଂ ମାଲକାନଗିରି ବିଧାନସଭା ଆସନ ପାଇଁ ବିଜେଡିର ମାନସ ମାଡକାମୀ ଏବଂ କଂଗ୍ରେସର ମାଲା ମାଢି ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ଏବେ ଦେଖିବାକୁ ବାକି ରହିଲା କିଏ ଚିତ୍ରକୋଣ୍ଡା ଓ ମାଲାକନଗିରି ଆସନରେ ବିଜୟୀର ବାନା କିଏ ଉଡ଼େଇବ।

Leave A Reply

Your email address will not be published.