xmas

କଂଗ୍ରେସ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ : ଦୀର୍ଘ ୨୪ ବର୍ଷ ପରେ କଂଗ୍ରେସକୁ ମିଳିଲା ଅଣଗାନ୍ଧି ଅଧ୍ୟକ୍ଷ। ଦେଶର ସର୍ବପୁରାତନ ରାଜନୈତିକ ଦଳର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ମଲ୍ଲିକାର୍ଜୁନ ଖଡଗେ। ତେବେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ହୋଇଥିବା ଭୋଟ ଆଜି ଗଣତି କରାଯାଇଛି, ଯେଉଁଥିରେ ସର୍ବାଧିକ ଭୋଟ ପାଇଁ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ପାଇଁ ଗତ ସୋମବାର ଭୋଟ୍‌ ଗ୍ରହଣ ହୋଇଥିଲା। ଦେଶର ୩୬ଟି ପୋଲିଂ ଷ୍ଟେସନରେ ୬୭ଟି ବୁଥ୍‌ ହୋଇଥିଲା। ଦଳର ୯୫୦୦ ଜଣ ପ୍ରତିନିଧି ଏଥିପାଇଁ ଭୋଟ ଦେଇଛନ୍ତି।ଭୋଟ ପ୍ରତିଶତ ୯୬ ପ୍ରତିଶତ ଥିବା ବେଳେ ମତଦାନ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଥିଲା। ତେବେ ଆଜି କଂଗ୍ରେସ ମୁଖ୍ୟାଳୟରେ ଭୋଟ ଗଣତି କରାଯାଇଥିଲା। ମଲ୍ଲିକାର୍ଜୁନ ଖଡ଼ଗେ ବହୁ ଆଗରେ ରହିବା ସହ ୭୮୯୭ ଭୋଟ ପାଇ ବଡ଼ ବିଜୟ ହାସଲ କରିଛନ୍ତି। ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ସାଂସଦ ଶଶି ଥରୁରଙ୍କୁ ମାତ୍ର ୧ ହଜାର ୭୨ଟି ଭୋଟ ମିଳିଛି।

ସୂଚନାଯୋଗ୍ୟ ଯେ, ୧୯୯୮ ମସିହାରୁ ଲଗାତାର ଭାବେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ହୋଇଥିଲେ । ୨୦୧୪, ୨୦୧୯ ନିର୍ବାଚନରେ ଶୋଚନୀୟ ପରାଜୟ, ଦଳରେ ଅସ୍ଥିରତା, ସଂଗଠନ ଦୁର୍ବଳ ଭଳି ଅନେକ ସମସ୍ୟାରେ ଘେରି ରହିଥିବା କଂଗ୍ରେସର ନୂଆ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଥିଲା। ଆଉ ସେଥିପାଇଁ ମଲ୍ଲିକାର୍ଜୁନ ଖଡଗେ ଓ ଶଶୀ ଥରୁର ନିର୍ବାଚନ ଲଢେଇକୁ ଓହ୍ଲାଇଥିଲେ। ହେଲେ ପ୍ରଥମରୁ ହିଁ ମଲ୍ଲିକାର୍ଜୁନ ଖଡଗେଙ୍କ ବିଜୟ ସୁନିଶ୍ଚିତ ବୋଲି ଜଣାପଡିଥିଲା। ମଲ୍ଲିକାର୍ଜୁନ ଖଡଗେଙ୍କ ବିଜୟରେ ମୁଖ୍ୟ ଭୂମିକା ଗାନ୍ଧୀ ପରିବାର ବୋଲି ବିବେଚନା କରାଯାଉଛି। କାରଣ ଖଡଗେଙ୍କୁ ଗାନ୍ଧୀ ପରିବାରର ନିକଟତର ବୋଲି ବିବେଚନା କରାଯାଏ। ତାଙ୍କ ପାଖରେ ରାହୁଲ ଗାନ୍ଧୀ, ସୋନିଆ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସମର୍ଥନ ରହିଛି।ଅନ୍ୟପଟେ ଜି-୨୩ ନେତା ମାନେ ମଧ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସପକ୍ଷରେ ରହିଥିଲେ।

ମଲ୍ଲିକାର୍ଜୁନ ଖଡ଼ଗେ ରାଜ୍ୟସଭାରେ ବିରୋଧୀ ଦଳ ନେତା ଭାବେ କାମ କରୁଥିଲେ। କଂଗ୍ରେସ ସଭାପତି ନିର୍ବାଚନ ଲାଗି ଲଢେଇ ପାଇଁ ସେ ଏହି ପଦରୁ ଇସ୍ତଫା ଦେଇଥିଲେ। ସେ ୮ଥରର ବିଧାୟକ ଓ ୨ ଥରର ଲୋକସଭା ସାଂସଦ। ଜଣେ ଦଳିତ ନେତା ଭାବେ ଜଣାଶୁଣା ମଲ୍ଲିକାର୍ଜୁନ ଖଡ଼ଗେ କର୍ଣ୍ଣାଟକାର ପିସିସି ସଭାପତି, ପୂର୍ବତନ ଗୃହମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଭାବେ କାମ କରିବାର ଅଭିଜ୍ଞତା ରଖିଛନ୍ତି। ଏଥିସହ ସେ ଗାନ୍ଧି ପରିବାରର ଅତ୍ୟନ୍ତ ବିଶ୍ୱସ୍ତ। ମଲ୍ଲିକାର୍ଜୁନ ଦକ୍ଷିଣ ଭାରତୀୟ ରାଜ୍ୟ କର୍ଣ୍ଣାଟକରୁ ଆସୁଛନ୍ତି। ଯିଏ ଦଳର ଜଣେ ଦଳିତ ଚେହେରା ଭାବେ ଜଣାଶୁଣା। ଦଳର ସଭାପତି ଭାବେ ନିର୍ବାଚିତ ହେବାପରେ କଂଗ୍ରେସ ୫୧ ବର୍ଷ ପରେ ଜଣେ ଦଳିତ ଅଧ୍ୟକ୍ଷ ପାଇଛି। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବାବୁ ଜଗଜୀବନ ରାମଙ୍କ ପରେ ଦଳ କୌଣସି ଦଳିତ ନେତା କଂଗ୍ରେସ ନେତା ନେତୃତ୍ୱ ନେଇ ନଥିଲେ। କୁହାଯାଉଛି, ନୂଆ ସଭାପତି ଦାୟିତ୍ୱ ନେବା ପରେ କଂଗ୍ରେସକୁ ସଞ୍ଜିବନୀ ମିଳିପାରେ।

Leave A Reply

Your email address will not be published.