mobile header

ନିରବିଗଲେ କମଳଦେଶର ରାଜକୁମାର ପ୍ରଫୁଲ୍ଲ କର

ନୀରବି ଗଲେ ପ୍ରଫୁଲ୍ଲ! ଆଉ ନାହାନ୍ତି କମଳ ଦେଶର ରାଜକୁମାର!! ଓଡ଼ିଆ ସଂଗୀତ ଜଗତର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ ଓ ଗୀତିକାର ପ୍ରଫୁଲ୍ଲ କରଙ୍କର ରବିବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି । ଚଳଚ୍ଚିତ୍ର ସଂଗୀତ, ଲଘୁ ସଂଗୀତ, ଭକ୍ତି ସଂଗୀତ ଓ ଓଡ଼ିଶୀ ସଂଗୀତର ଅପ୍ରତିନ୍ଦ୍ବନ୍ଦ୍ବୀ କଳାକାର ପ୍ରଫୁଲ୍ଲ ନିଜର ସୃଷ୍ଟି ଲାଗି ସମଗ୍ର ରାଜ୍ୟରେ ଘରେ ଘରେ ପରିଚିତ ଥିଲେ। ତାଙ୍କର ବିୟୋଗରେ ରାଜ୍ୟର ସାଂସ୍କୃତିକ ପରିସରରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।

ଓଡ଼ିଶାର ବିଶିଷ୍ଟ ସଂଗୀତଜ୍ଞ ତଥା ସଂଗୀତ ଜଗତର କମଳଦେଶର ରାଜକୁମାର ରୂପେ ପରଚିତ ପ୍ରଫୁଲ୍ଲ କରଙ୍କ ରବିବାର ଭୁବନେଶ୍ବର ସତ୍ୟନଗର ବାସଭବନରେ ଦେହାନ୍ତ ହୋଇଯାଇଛି। ଏ ସମ୍ପର୍କରେ ତାଙ୍କ ପୁଅ ମହାଦୀପ କର ସୂଚନା ଦେଇଛନ୍ତି। ୧୯୩୯ ଫେବୃଆରି ୧୬ ତାରିଖରେ ଜନ୍ମିତ ପ୍ରଫୁଲ୍ଲ କରଙ୍କୁ ମୃତ୍ୟୁବେଳକୁ ୮୩ ବର୍ଷ ହୋଇଥିଲା। ଓଡିଶୀ ଓ ଶାସ୍ତ୍ରୀୟ ସଂଗୀତରେ ଧୂରୀଣ ଥିବା ପ୍ରଫୁଲ୍ଲ କର ଅନେକ ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି। ବିଶେଷ କରି ସେ ଗାଇଥିବା ‘କମଳ ଦେଶର ରାଜକୁମାର ମୁଁ ହାତରେ ପୁଷ୍ଫ ଧନୁ..’ ଗୀତଟି ତାଙ୍କୁ ଲୋକପ୍ରିୟ କରାଇଥିଲା । ତେଣୁ ସେ କମଳ ଦେଶର ରାଜକୁମାର ରୂପେ ସଂଗୀତ ଦୁନିଆରେ ପରିଚିତ ଥିଲେ।

ବହୁ ଲୋକପ୍ରିୟ ଓ କାଳଜୟୀ ଓଡ଼ିଆ ଗୀତର ସ୍ରଷ୍ଟା ବର୍ଷୀୟାନ୍ ସଂଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ କର ଓଡ଼ିଶାର ପୁରପଲ୍ଲୀରେ ବେଶ୍ ପରିଚିତ ଥିଲେ। ୫୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରର ସଂଗୀତ ନିର୍ଦ୍ଦେଶନା ଦେବା ସହ ବହୁ ମନଜିଣା ଲଘୁସଂଗୀତର ଗାୟକ, ସ୍ବରକାର ଓ ଗୀତିକାର ଥିଲେ ସେ। ଓଡ଼ିଶା ଚଳଚ୍ଚିତ୍ର ଜଗତକୁ ଅବଦାନ ଲାଗି ତାଙ୍କୁ ରାଜ୍ୟ ସରକାରଙ୍କର ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିସହ ସେ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ,ଗାୟକ ଓ କଣ୍ଠଶିଳ୍ପୀ ଭାବେ ବହୁ ବାର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା।

୨୦୦୪ରେ ସେ ଜୟଦେବ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ୨୦୦୮ରେ ସ୍ବର୍ଣ୍ଣ ସଂଜୀବନୀ ସମ୍ମାନ, ୨୦୦୯ରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ଓ ୨୦୧୫ରେ ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ।

ତାଙ୍କର ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନକୁ ବିଶିଷ୍ଟ ବ୍ୟକ୍ତିଙ୍କ ସୁଅ ଛୁଟିଛି। ବିଶିଷ୍ଟ ସଂଗୀତଜ୍ଞମାନେ ସଂଗୀତ ଦୁନିଆ ପ୍ରତି ତାଙ୍କ ମୃତ୍ୟୁ ଏକ ଅପୂରଣୀୟ କ୍ଷତି ବୋଲି କହିବା ସହ ତାଙ୍କର ପରିବାରକୁ ସମବେଦନା ଜଣାଇଛନ୍ତି।

Leave A Reply

Your email address will not be published.