ଖୁଣ୍ଟା ପୋଲିସ ଦ୍ଵାରା ୩୧ ଗୋରୁ ଜବତ: ୫ ଗିରଫ

ଖୁଣ୍ଟା: ଖୁଣ୍ଟା ପୋଲିସ ପକ୍ଷରୁ ସୋମବାର ଅପରାହ୍ନ ସମୟରେ ବେଆଇନ ଭାବେ ଚାଲାଣ ହେଉଥିବା ଗୋରୁ ଗୋଠକୁ ଜବତ କରିଥିବା ବେଳେ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାଯାଇଛି । ସୂଚନା ଅନୁଯାୟୀ ସୋମବାର ଖୁଣ୍ଟା ଥାନା ଆଇଆଇସି ଲୋପାମୁଦ୍ରା ନାଏକଙ୍କ ନେତୃତ୍ଵରେ ରାଜପଥରେ ପେଟ୍ରୋଲି° ଜାରି ରହିଥିବା ସମୟରେ ଖୁଣ୍ଟା ଥାନା ଅଧିନ ତଥା ଉଦଳା-ଖୁଣ୍ଟା-ବାରିପଦା ରାଜ୍ୟ ରାଜପଥର ବାଲିମୁଣ୍ଡଳି ଛକ ଠାରେ କେତେକ ବ୍ୟକ୍ତି ଗୋରୁ ଚାଲାଣ କରୁଥିବା ଦେଖିବାକୁ ପାଇଥିଲେ । ତେବେ ଏହି ଗୋରୁ ଚାଲାଣ ବେଆଇନ ଭାବେ ହେଉଥିବା ଘଟଣାସ୍ଥଳରେ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା ପୋଲିସ । ଯାହାକୁ ନେଇ ପୋଲିସ ପକ୍ଷରୁ ସଂପୃକ୍ତ ଚାଲାଣ ହେଉ ଥିବା ମୋଟ ୩୧ ଗୋଟି ଗୋରୁକୁ ଜବତ କରିଥିଲା । ପରବର୍ତ୍ତୀ ସମୟରେ ଜବତ ଗୋରୁ ଗୁଡ଼ିକୁ ଖୁଣ୍ଟା ଥାନାକୁ ଅଣାଯାଇଥିଲା । ଏଥିନେଇ କେସ ନମ୍ବର ୮୧/୨୩ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଅମାନୁସିକ ଭାବେ ବେଆଇନ ଗୋରୁ ଗୁଡିକୁ ଚଲାଇ ଚଲାଇ ନେଉଥିବା ବଡ଼ସାହି ଥାନା ଅଧିନ ଉଠାଣି ନୂଆଗାଁ ଅଞ୍ଚଳର ସନ୍ତୋଷ ପଣ୍ଡା (୫୭), ସେହି ଗ୍ରାମର ରାମଚନ୍ଦ୍ର ପଣ୍ଡା (୩୬) ଓ କାହ୍ନୁ ସେଠୀ (୨୬)ଙ୍କୁ ଗିରଫ କରାଯାଇଛି । ଉଦ୍ଧାର ହୋଇଥିବା ଗୋରୁ ଗୁଡିକୁ ପୋଲିସ ପକ୍ଷରୁ ବାଲେଶ୍ଵର ଗୋଶାଳାକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଗୋରୁ ଗୁଡିକୁ ଗାଡ଼ି ଯୋଗେ ଗୋଶାଳାକୁ ପଠାଯାଉଥିବା ବେଳେ ଏହି ବ୍ୟବସାୟ ରେ ସଂପୃକ୍ତ ଥିବା ଅନ୍ୟ ୨ ଦୁଇ ସହଯୋଗୀ ଉକ୍ତ ଗାଡ଼ିକୁ ଖୁଣ୍ଟା ବଜାରର ବଙ୍ଗଳା ଛକ ନିକଟରେ ଅଟକାଇ ଗୋରୁଗୁଡିକୁ ଖସାଇ ନେବାକୁ ଉଦ୍ୟମ କରୁଥିବା ୨ ଅଭିଯୁକ୍ତ ଖୁଣ୍ଟା ଥାନା ବାରଡାଙ୍ଗୁଆ ଗ୍ରାମର ରଣଜିତ କୁଅଁର (୪୬) ଓ ଉଦଳା ଥାନା ଅଧିନ ଚୁଳିଆପୋଶୀ ଗ୍ରାମର ଲକ୍ଷ୍ମୀନାରାୟଣ ପ୍ରଧାନ (୩୬)ଙ୍କୁ ଗିରଫ କରାଯାଇଥିବା ଖୁଣ୍ଟା ଥାନା ଆଇଆଇସି ଲୋପାମୁଦ୍ରା ନାଏକ ସୁଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.