୭୦୦ ହିନ୍ଦୁ ମନ୍ଦିର, ଜୈନ ଓ ବୌଦ୍ଧ ପୀଠ ସହ ପାହାଡ଼, ଜଙ୍ଗଲ ଓ ନଦୀ ଘେରା ଐତିହ୍ୟସମ୍ପନ୍ନ ଓ ଶହ ଶହ ବର୍ଷର କୀର୍ତିରାଜିକୁ ନେଇ ରାଜଧାନୀ ଭୁବନେଶ୍ବରର ପରିଚୟ। କିଛି ଇତିହାସକୁ ନେଇ ନିଜେ ରାଜଧାନୀ ଗଢ଼ି ହୋଇଛି ତ’ ପୁଣି କିଛି ଇତିହାସ, ରାଜଧାନୀ ତିଆରିଛି। ଏହାର ପ୍ରତିଟି ଛକ, କଲୋନି, ମଠ, ମନ୍ଦିର, ଏପରିକି ବୁଢ଼ା ଗଛ ପଛରେ ରହିଛି କିଛି ଇତିହାସ, କଥା ଓ କାହାଣୀ। କେବେ ଏସବୁ ଭୁବନେଶ୍ବରକୁ ନେଇ ପରିଚିତ ହୁଅନ୍ତି ତ’ କେବେ ଅଜଣା ଆଗନ୍ତୁକ ପାଇଁ ସ୍ମୃତି ଚିହ୍ନ ହୋଇ ରହିଯାଆନ୍ତି। ଭୁବନେଶ୍ବରର ଏମିତି କିଛି ପ୍ରମୁଖ ସ୍ଥାନକୁ ନେଇ ଆମର ଏହି ସ୍ବତନ୍ତ୍ର ପ୍ରସ୍ତୁତି।
ଭୁବନେଶ୍ବର: ୧୯୪୯ ମସିହା। ଦେଶର ସ୍ବାଧୀନତାକୁ ମାତ୍ର ୨ ବର୍ଷ ପୂରିଥାଏ। ଦେଶ ବିଭାଜନର କରୁଣ ପରିଣତି ପାଇଁ ପାକିସ୍ତାନରୁ ଭାରତ ଚାଲିଆସିଥିବା ଲୋକମାନେ ଶରଣାର୍ଥୀ ଶିବିରରେ ବା ଏଣେତେଣେ ଆଶ୍ରୟ ନେଇଥା’ନ୍ତି। ବଡ଼ ଦୁର୍ବିସହ ସେ ସମୟର ଜୀବନ। ଖାଇବା ପିଇବା, ରହିବା ଓ ପିଲାଛୁଆଙ୍କ ଚିନ୍ତା ଘାରୁଥାଏ। ଏପଟେ ଭୁବନେଶ୍ବରରେ ରାଜଧାନୀ ନିର୍ମାଣର ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ। ବିଧାନସଭା କୋଠା, ରାଜ୍ୟ ଅତିଥି ଭବନ ଓ ବିଭିନ୍ନ ଅଟ୍ଟାଳିକା ବା ସୌଧ ନିର୍ମାଣ ପାଇଁ ପଞ୍ଜାବର ‘ମାଷ୍ଟର କନ୍ଷ୍ଟ୍ରକ୍ସନ୍ କମ୍ପାନି’ର ମାଲିକ ବାବୁରାମ ଲାମ୍ବାଙ୍କୁ ଠିକା ମିଳେ। ନୂଆ ରାଜଧାନୀରେ କାମ ତଥା ନିଯୁକ୍ତିର ପର୍ଯ୍ୟାପ୍ତ ସୁଯୋଗ ରହିଥିବାରୁ ଠିକାଦାର ଲାମ୍ବା ଚାରି ଭାଇ କାଳୁରାମ ହଂସ, ଈଶ୍ବରଦାସ ହଂସ, ଲାଲ୍ଚାନ୍ଦ ହଂସ ଓ ଚୁନ୍ରିଲାଲ୍ ହଂସଙ୍କୁ ଏଠାକୁ ଡାକିଆଣନ୍ତି। ପାକିସ୍ତାନର କ୍ବେଟା ସହରରୁ ଆସି ଦିଲ୍ଲୀ ଶରଣାର୍ଥୀ ଶିବିରରେ ଆଶ୍ରୟ ନେଇ ଜୀବିକା ଅନ୍ବେଷଣରେ ଥିବା ୪ ଭାଇ ସମୟ ସ୍ରୋତରେ ଭାସିଭାସି ପହଞ୍ଚିଯାଆନ୍ତି ଭୁବନେଶ୍ବରରେ। ଏମିତିରେ ସେମାନେ ଗଢ଼ନ୍ତି ପଞ୍ଜାବୀ କଲୋନି ଏବଂ ଭୁବନେଶ୍ବର ପାଲଟିଯାଏ ସେମାନଙ୍କ ଶେଷ ଠିକଣା। ଅବଶ୍ୟ ଦିଲ୍ଲୀ ପରେ ସେମାନେ କିଛି ଦିନ ପାଇଁ ଉତ୍ତରପ୍ରଦେଶ ବୁଲନ୍ଦ୍ ସହରରେ ଆଶ୍ରୟ ନେଇଥିଲେ।
ସେଦିନର କଥା ମନେପକାଇ ଚୁନ୍ରିଲାଲ୍ ହଂସଙ୍କ ଝିଅ ତଥା ଜଣାଶୁଣା ସମାଜସେବୀ ଆଶା ହଂସ କହିଛନ୍ତି ଯେ ସେତେବେଳେ ସତ୍ୟନଗର ବି ଗଢ଼ି ଉଠିନଥିଲା। ତାଙ୍କ ବାପା ଭାଇମାନଙ୍କ ସହ ମିଶି ଚାଳ ଛପର ଘର କରି ମାଷ୍ଟରକ୍ୟାଣ୍ଟିନ୍ରେ ଢାବା କରିଥିଲେ। ସେଥିରେ ସିଙ୍ଗଡ଼ା ଓ ରସଗୋଲା ବିକ୍ରି କରୁଥିଲେ। କାଳକ୍ରମେ ସେମାନେ ରହୁଥିବା ସେହି ଜଙ୍ଗଲ ଘେରା ଅଞ୍ଚଳ ସତ୍ୟନଗର ଭାବେ ପରିଚିତ ହେଲା। ସେଠାରେ ସେମାନେ ୧ ଏକର ଜମିକୁ ୨୦୦୦ ଟଙ୍କାରେ କିଣି ସ୍ଥାୟୀ ଭାବେ ରହିବା ଆରମ୍ଭ କଲେ। ସେବେଠୁ ପଡ଼ିଥିଲା ‘ପଞ୍ଜାବୀ କଲୋନି’ର ମୂଳଦୁଆ। ପ୍ରାୟ ୧୯୬୦ ମସିହା ଆଡ଼କୁ ମାଷ୍ଟରକ୍ୟାଣ୍ଟିନ୍ରେ ରେଳଷ୍ଟେସନ୍, ନୂଆ ବିଧାନସଭା କୋଠା, ସଚିବାଳୟ ଆଦି ନିର୍ମାଣ କରିବା ପାଇଁ ଆଉ ଜଣେ ପଞ୍ଜାବୀ ବିଲ୍ଡର୍ ଉତ୍ତମ ସିଂହଙ୍କୁ ଠିକା ମିଳିଥିଲା।
ସେତେବେଳେ ଏସବୁ କାମ କରିବାକୁ ଓଡ଼ିଶାରେ କୁଶଳୀ ଶ୍ରମିକ ନଥିଲେ। ତେଣୁ ସେ ପଞ୍ଜାବରୁ ଶହେ ଶ୍ରମିକଙ୍କୁ ଏଠାକୁ ଡକାଇଥିଲେ। ଆମେ ପଞ୍ଜାବୀ ୪ ପରିବାର ଏଠି ରହୁଥିବାରୁ ସେହି ଶ୍ରମିକମାନେ ମଧ୍ୟ ଏଠାରେ ରହିବାକୁ ପସନ୍ଦ କଲେ। ଧୀରେଧୀରେ ଭଲ ରୋଜଗାର ହେବାରୁ ସେମାନେ ସେମାନଙ୍କ ପରିବାରକୁ ବି ଏଠାକୁ ନେଇ ଆସିଲେ। ଏମିତି ଧୀରେଧୀରେ ପଞ୍ଜାବୀଙ୍କ ସଂଖ୍ୟା ବଢ଼ିବା ସହ କଲୋନିର ନାମ ‘ପଞ୍ଜାବୀ କଲୋନି’ ହୋଇଗଲା। ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ ଏହି ବାସିନ୍ଦାମାନଙ୍କୁ ଜମି ଯୋଗାଇ ଦିଆଗଲା। ପରେ ଟ୍ରକ୍ ଚଲାଇବାକୁ ସର୍ଦ୍ଦାରମାନେ ଏଠାକୁ ଆସି ରହିଲେ। ମାଲ୍ ଗୋଦାମ୍ ସବୁ ସତ୍ୟନଗର ଆଖପାଖ ଅଞ୍ଚଳରେ ରହୁଥିବାରୁ ସର୍ଦ୍ଦାରମାନଙ୍କ ରହିବା ପାଇଁ ଏହା ଏକ ଉପଯୁକ୍ତ ସ୍ଥାନ ଥିଲା। ରାଜଧାନୀରେ ତିଆରି ହୋଇଥିବା ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ ଉଦ୍ଦେଶ୍ୟରେ ଅଧିକରୁ ଅଧିକ ପଞ୍ଜାବୀ ଏଠାକୁ ଆସିଥିଲେ। ସମୟକ୍ରମେ ପଞ୍ଜାବୀମାନେ ରାଜଧାନୀରେ ‘ଢାବା ସଂସ୍କୃତି’ ଆରମ୍ଭ କରିଥିଲେ। ଧୀରେଧୀରେ ସେମାନେ ବେପାର, ବଣିଜ କରି ସମୃଦ୍ଧ ହେବା ସହ ରାଜଧାନୀ ଭୁବନେଶ୍ବରର ବିକାଶ ଧାରାରେ ନିଜକୁ ସାମିଲ କରିନେଲେ।
ଏହା ଭିତରେ ଅନେକ ପଞ୍ଜାବୀ ପରିବାର ଏଠାରୁ ନିଜ ଘରଡିହ ବିକି ପଞ୍ଜାବରେ ସ୍ଥାୟୀ ବାସିନ୍ଦା ହୋଇଗଲେଣି। କିନ୍ତୁ ଏବେ ବି ୧୦୦ରୁ ଅଧିକ ପଞ୍ଜାବୀ ପରିବାର ଏଠାରେ ରହୁଛନ୍ତି। ଓଡ଼ିଶାକୁ ନିଜ ଭିଟାମାଟି ଭାବେ ଗ୍ରହଣ କରିନେଇଛନ୍ତି। ଏବେ ଏହି କଲୋନିରେ ବହୁ ଓଡ଼ିଆ ପରିବାର ରହିଛନ୍ତି। ତେଣୁ ଏବେ ଏଠାରେ ଓଡ଼ିଆ ଓ ପଞ୍ଜାବୀମାନଙ୍କ ମଧ୍ୟରେ ଏକ ଅପୂର୍ବ ଭାଇଚାରର ପରିବେଶ ଦେଖିବାକୁ ମିଳେ।