mobile header

ଆଜି ଶପଥ ନେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା: ଉପମୁଖ୍ୟମନ୍ତ୍ରୀ ହେବେ ଡି.କେ ଶିବକୁମାର

ବେଙ୍ଗାଲୁରୁ: ଆଜିଠୁ କର୍ଣ୍ଣାଟକରେ ଆରମ୍ଭ ହେବ ସିଦ୍ଦରମେୟା ଯୁଗ । କଂଗ୍ରେସ ଗଢ଼ିବ ନୂଆ ସରକାର । ବେଙ୍ଗାଲୁରୁର କାନ୍ତିରଭା ଷ୍ଟାଡିୟମରେ ଜୋରସୋର ଆୟୋଜିତ ହେବାକୁ ଥିବା ଏକ ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଦରମେୟା ଓ ଉପମୁଖ୍ୟମନ୍ତ୍ରୀ ଭାବେ ଡି.କେ ଶିବକୁମାର ଶପଥ ନେବେ। ଆଜି ଶପଥ ଗ୍ରହଣ ସମାରୋହରେ ପ୍ରାୟ ୨୫ରୁ ୨୮ ମନ୍ତ୍ରୀ ଶପଥ ନେବେ ବୋଲି ଜଣାଯାଇଛି।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହକୁ ଏକ ଗ୍ରାଣ୍ଡ ସେଲିବ୍ରିଶନ କରିବାକୁ କଂଗ୍ରେସ ତରଫରୁ ଜୋର ସୋରରେ ପ୍ରସ୍ତୁତି ଚାଲିଛି। ଏହି କାର୍ଯ୍ୟକ୍ରମରେ ୟୁପିଏ ଚେୟାର ପର୍ସନ ସୋନିଆ ଗାନ୍ଧି, ଉଭୟ ରାହୁଲ ଓ ପ୍ରିୟଙ୍କା ଗାନ୍ଧି, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଉପସ୍ଥିତ ରହିବେ ବୋଲି ଜଣାଯାଇଛି। ଏହାବାଦ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ମେଣ୍ଟ ସରକାରଙ୍କୁ ମଧ୍ୟ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି ।

ଶପଥ ସମାରୋହ ପାଇଁ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ କିଛି ଅଣବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବଡ଼ ବଡ଼ ନେତାଙ୍କୁ ନିମନ୍ତ୍ରଣ ଦେଇଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ଏନସିପି ମୁଖ୍ୟ ଶରଦ ପାୱାର, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଏନସି ମୁଖ୍ୟ ଫାରୁକ ଅବଦୁଲ୍ଲାଙ୍କୁ ଆମନ୍ତ୍ରଣ କରିଛନ୍ତି । ଏହାବ୍ୟତୀତ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ, ହେମନ୍ତ ସୋରେନଙ୍କୁ ମଧ୍ୟ ଶପଥ ସମାରୋହ ପାଇଁ ଡାକରା ମିଳିଛି । ସେହିପରି ସିପିଆଇ ମହାସଚିବ ଡି. ରାଜା, ସିପିଆଇ-ଏମ୍ ମହାସଚିବ ସୀତାରାମ ୟେଚୁରୀ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।

ତେବେ ଶପଥ ସମାରୋହ ପାଇଁ କଂଗ୍ରେସ, ଆମ ଆଦମୀ ପାର୍ଟି, ବିଏସପି ଓ ବିଆରଏସ୍ ସମେତ କିଛି ଦଳକୁ ନିମନ୍ତ୍ରଣ କରିନାହିଁ । ଅର୍ଥାତ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ, କେସିଆର, କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ସାମିଲ ହେବେ ନାହିଁ । କେବଳ ଏତିକି ନୁହେଁ, ବିଏସପି ମୁଖ୍ୟ ମାୟାବତୀଙ୍କୁ ମଧ୍ୟ ନିମନ୍ତ୍ରଣ ମିଳିନାହିଁ । ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅନ୍ୟ କାରଣରୁ ଶପଥ ସମାରୋହରେ ସାମିଲ ହେବେ ନାହିଁ ବୋଲି ଜଣାପଡ଼ିଛି । 

ସେପଟେ ବିରୋଧୀଙ୍କୁ ଏକାଠିକୁ ନେଇ କଟାକ୍ଷ କରିଛି ବିଜେପି । ହାଇକମାଣ୍ଡଙ୍କ ନିଷ୍ପତି ପରେ କର୍ଣ୍ଣାଟକ କଂଗ୍ରେସ୍ ଇନଚାର୍ଜ ରଣଦୀପ ସୂର୍ଜେୱାଲା ଓ ଏଆଇସିିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ, ସିଦ୍ଧରମେୟାଙ୍କୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏବଂ ଡି କେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ହେବା ନେଇ ବିଦ୍ଧିବଦ୍ଧ ଘୋଷଣା କରିଥିଲେ । ତେବେ କର୍ଣ୍ଣାଟକ ମନ୍ତ୍ରିମଣ୍ଡଳରେ କେଉଁମାନଙ୍କୁ ସ୍ଥାନ ମିଳୁଛି, ତାକୁ ନେଇ ଚର୍ଚ୍ଚା ଜାରି ରହିଛି ।

ବେଙ୍ଗାଲୁରୁର କାନ୍ତିରଭା ଷ୍ଟାଡିୟମରେ ୨୦୧୩ ମସିହାରେ ସିଦ୍ଦରମେୟା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବାରୁ ଏହି ଷ୍ଟାଡିୟମକୁ ହିଁ ପୁନର୍ବାର ତାଙ୍କ ଶପଥ ଗ୍ରହଣ ନିମନ୍ତେ ବଛା ଯାଇଛି। ତେବେ ଏହାର ବସିବା କ୍ଷମତା ୨୫ ହଜାର ଥିବା ବେଳେ ଆଜି ପ୍ରାୟ ୬୦ ହଜାର ଲୋକ ଏକତ୍ରିତ ହେବାର ଆକଳନ କରାଯାଇଛି।

କଂଗ୍ରେସ ନେତା ଡିକେ ଶିବକୁମାର ଗତକାଲି କାନ୍ତିରଭା ଷ୍ଟାଡିୟମ ପରିଦର୍ଶନ କରିଥିବା ବେଳେ ଏପରି ସମାରୋହ ସମଗ୍ର ଦେଶବାସୀଙ୍କୁ ଚକିତ କରିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.