ପ୍ଲେ ଅଫ୍‌ ଦୌଡ଼: ୩ ସ୍ଥାନ ପାଇଁ ୭ ଦଳ

ମୁମ୍ବାଇ: ଆଇପିଏଲ୍‌ର ଷୋଡ଼ଶ ସଂସ୍କରଣ ଏବେ ଅନ୍ତିମ ପର୍ଯ୍ୟାୟରେ। ଲିଗ୍ ପର୍ଯ୍ୟାୟ ସରି ଆସୁଥିବା ବେଳେ ୧୦ ଦଳୀୟ ଏହି ଲୋଭନୀୟ ଲିଗ୍‌ରେ ମାତ୍ର ଗୋଟିଏ ଦଳ ପ୍ଲେ ଅଫ୍‌ ଖେଳିବା ନିଶ୍ଚିତ ହୋଇଛି। ଗତ ଥରର ବିଜେତା ଗୁଜରାଟ ଟାଇଟନ୍ସ ୯ ବିଜୟ ସହ ଗୋଟିଏ ମ୍ୟାଚ୍‌ ପୂର୍ବରୁ ଶୀର୍ଷ ସ୍ଥାନକୁ ଦୃଢ଼ କରିଛି। ଆଉ ଗୋଟିଏ ବିଜୟ ମଧ୍ୟ ହାର୍ଦିକ ପାଣ୍ଡ୍ୟାଙ୍କ ଦଳକୁ ଗତବର୍ଷର ଲିଗ୍ ସଫଳତାର ସମକକ୍ଷ (୧୦ ବିଜୟ) କରାଇପାରିବ। ସେହିଭଳି ଦୁଇଟି ଦଳ ଆନୁଷ୍ଠାନିକ ଭାବେ ପ୍ଲେ ଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିସାରିଛନ୍ତି। ଏହି ଦୁଇ ଦଳ ହେଲେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପୂର୍ବ ବିଜେତା ସନ୍‌ରାଇଜର୍ସ ହାଇଦ୍ରାବାଦ। ଅର୍ଥାତ୍‌ ଅବଶିଷ୍ଟ ୩ ପ୍ଲେ ଅଫ୍‌ ସ୍ଥାନ ଉପରେ ୭ଟି ଦଳର ନଜର ରହିଛି। ଏହା ମଧ୍ୟରୁ ୨ଟି ଦଳ (ଚେନ୍ନାଇ ସୁପର୍ କିଙ୍ଗ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ) ଏକ ପ୍ରକାର ନିଶ୍ଚିତ ଥିବାବେଳେ ଆଉ ୨ ଦଳ (ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ଓ ମୁମ୍ବାଇ ଇଣ୍ଡିଆନ୍ସ) ସୁଯୋଗ ରଖିଛନ୍ତି। ଅବଶିଷ୍ଟ ୩ ଦଳ କ୍ଷୀଣ ସୁଯୋଗ ସହ ଝୁଲି ରହିଛନ୍ତି। ଫଳାଫଳ ଆଉ ଏମାନଙ୍କ ହାତରେ ନାହିଁ। ସମସ୍ତଙ୍କ ହାତରେ ଗୋଟିଏ ଲେଖାଏଁ ମ୍ୟାଚ୍‌ ରହିଛି। ଏହି ୩ ଦଳ ଜିତିଲେ ମଧ୍ୟ ଅନ୍ୟର ଫଳାଫଳକୁ ଅପେକ୍ଷା କରିବାକୁ ବାଧ୍ୟ। ମାତ୍ର ୨ ଦିନ ଭିତରେ ଲିଗ୍ ପର୍ଯ୍ୟାୟ ଶେଷ ହେଉଥିବାରୁ ଅନ୍ତିମ ୫ ଲିଗ୍ ମୁକାବିଲାକୁ ନେଇ ଅଙ୍କ କଷା ଚାଲିଛି। ବିଭିନ୍ନ ଦଳର ସମ୍ଭାବନା ସମ୍ପର୍କରେ ଆସନ୍ତୁ ନଜର ପକାଇନେବା।

୧-ଗ୍ରୁପ୍ ପର୍ଯ୍ୟାୟ ଶେଷ ସୁଦ୍ଧା ଗୁଜରାଟ ଟାଇଟନ୍ସ ଟେବୁଲ୍ ଟପ୍ପର ହେବା ନିଶ୍ଚିତ ରହିଛି।
୨-ଶୀର୍ଷ ୪ ଭିତରେ ରହି ପ୍ଳେ ଅଫ୍‌ ଖେଳିବା ପାଇଁ ଚେନ୍ନାଇ ସୁପର୍ କିଙ୍ଗ୍ସର ସମ୍ଭାବନା ୯୩.୮ ପ୍ରତିଶତ। ମାତ୍ର ଦୁଇଟି ସମ୍ଭାବନା ଏହି ଦଳକୁ ଶୀର୍ଷ ୪ରୁ ବାହାରକୁ ଠେଲି ପାରିବ। ବାଙ୍ଗାଲୋର୍‌, ଲକ୍ଷ୍ନୌ, ମୁମ୍ବାଇ ଯଦି ନିଜ ନିଜର ସମସ୍ତ ମ୍ୟାଚ୍‌ ଜିତୁଛନ୍ତି ଏବଂ ଚେନ୍ନାଇ ନିଜ ଶେଷ ମ୍ୟାଚ୍‌ ଦିଲ୍ଲୀଠାରୁ ହାରୁଛି ତେବେ ଧୋନିଙ୍କ ଦଳ ଆଗକୁ ବଢ଼ିପାରିବ ନାହିଁ।
୩-ଚେନ୍ନାଇ ସୁପର୍ କିଙ୍ଗ୍ସ ଭଳି ଲକ୍ଷ୍ନୌ ସୁପର୍ ଜାଏଣ୍ଟସ ୧୫ ପଏଣ୍ଟ ସହ ସମାନ ସ୍ଥିତି ଓ ୯୩.୮ ପ୍ରତିଶତ ସମ୍ଭାବନା ରଖିଛି। ଏକମାତ୍ର ବିକଳ୍ପ ଭାବେ ଏହି ଦଳ ଶୀର୍ଷ ୪ରୁ ବାହାର ‌ହୋଇପାରିବ ତାହା ହେଉଛି-ବାଙ୍ଗାଲୋର୍‌, ‌ଚେନ୍ନାଇ, ମୁମ୍ବାଇ ଯଦି ନିଜ ନିଜର ଶେଷ ମ୍ୟାଚ୍‌ ଜିତୁଛନ୍ତି ଏବଂ ଲକ୍ଷ୍ନୌ ନିଜ ମ୍ୟାଚ୍‌ କୋଲକାତାଠାରୁ ହାରୁଛି।
୪-ବାଙ୍ଗାଲୋର୍‌ ଗୁରୁବାର ରାତିରେ ହାଇଦ୍ରାବାଦକୁ ହରାଇବା ପରେ ଚତୁର୍ଥକୁ ଉଠିଛି। ଏହି ଦଳ ଶୀର୍ଷ ୪ ଭିତରେ ରହିବାର ସମ୍ଭାବନା ରହିଛି ୭୫ ପ୍ରତିଶତ। ଆର୍‌ସିବି ଯଦି ଗୁଜରାଟଠାରୁ ଶେଷ ମ୍ୟାଚ୍‌ ହାରିଯିବ ଏବଂ ହାଇଦ୍ରାବାଦ ବିପକ୍ଷରେ ମୁମ୍ବାଇ ଜିତିଯାଏ ତେବେ ଫାପ୍ ଡୁ ପ୍ଲେସିସଙ୍କ ଦଳ ପଞ୍ଚମକୁ ଖସିଯିବାର ବିପଦ ରହିଛି।
୫-ଆର୍‌ସିବି ଭଳି ମୁମ୍ବାଇ ଇଣ୍ଡିଆନ୍ସ ସ୍ଥିତି ସମାନ। ପଏଣ୍ଟ ଦୃଷ୍ଟିରୁ ଏହି ଦଳର ସମ୍ଭାବନା ମଧ୍ୟ ୭୫ ପ୍ରତିଶତ। ଶେଷ ମୁକାବିଲାରେ ରୋହିତ ଶର୍ମାଙ୍କ ଦଳ ଯଦି ହାଇଦ୍ରାବାଦଠୁ ହାରିଯିବ ଏବଂ ଆର୍‌ସିବି ଗୁଜରାଟକୁ ହରାଇବ ତେବେ ୫ ଥର ବିଜେତା ଦଳ ପଞ୍ଚମକୁ ଖସିଯିବାର ବିପଦ ରହିଛି। ଆର୍‌ସିବି ତୁଳନାରେ ମୁମ୍ବାଇର ଏନଆର୍‌ଆର୍‌ ମଧ୍ୟ ଖରାପ ରହିଛି।
୬-ଶୁକ୍ରବାରର ପଞ୍ଜାବ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ରାଜସ୍ଥାନର ପ୍ରତିଶତ ୧୨.୫ ଥିଲା। ଭଲ ଏନ୍‌ଆର୍‌ଆର୍‌ ରଖିଥିବାରୁ ଟାଇ ସ୍ଥିତି ଆସିଲେ ଆଗକୁ ଯାଇପାରିବ। ଏଥିପାଇଁ ପଞ୍ଜାବକୁ ହରାଇବା ସହିତ ମୁମ୍ବାଇ ଓ ବାଙ୍ଗାଲୋରର ପରାଜୟ ଆଶା ରଖିବ ସଂଜୁ ସାମସନଙ୍କ ଦଳ।
୭-କେକେଆର୍‌ର ପ୍ଲେ ଅଫ୍ ସମ୍ଭାବନା ମଧ୍ୟ କ୍ଷୀଣ ୧୨.୫ ପ୍ରତିଶତ ରହିଛି। ଶୀର୍ଷ ୪ ଭିତରକୁ ପ୍ରବେଶ ଲାଗି ଏହି ଦୁଇ ଥର ବିଜେତା ଦଳକୁ ତିନି କିମ୍ବା ୪ କୋଣୀୟ ଟାଇ ସ୍ଥିତିର ଅପେକ୍ଷା ରହିବ। ଯାହାକି ସବୁଠାରୁ ଜଟିଳ ପଥ। ତଥାପି ଏନଆର୍‌ଆର୍‌ ଖରାପ ଥିବାରୁ ପ୍ରଥମେ ନୀତୀଶ ରାଣାଙ୍କ ଦଳକୁ ଶନିବାର ଲକ୍ଷୌକୁ ବଡ଼ ବ୍ୟବଧାନରେ ହରାଇବାର ଆବଶ୍ୟକତା ରହିବ।
୮-ଅଷ୍ଟମରେ ଥିବା ପଞ୍ଜାବ ପାଇଁ ମଧ୍ୟ ରାଜସ୍ଥାନ ରୟାଲ୍ସ ଭଳି ସ୍ଥିତି ଓ ୧୨.୫ ପ୍ରତିଶତ ସମ୍ଭାବନା। ଏହି ଦଳକୁ ପ୍ରଥମେ ରାଜସ୍ଥାନକୁ ହରାଇଲେ ବି ଏହି ଦଳ ଆଶା କରିବ ହାଇଦ୍ରାବାଦ ଓ ଗୁଜରାଟ ନିଜ ନିଜ ଶେଷ ମ୍ୟାଚ୍‌ ଜିତି ନିଅନ୍ତୁ।

Leave A Reply

Your email address will not be published.