ବିଜେଡ଼ିରେ ଯୋଗଦେଲେ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀ ବହୁ ନିର୍ବାଚିତ ପ୍ରତିନିଧି

ଭୁବନେଶ୍ୱର, ୦୫/୦୫/୨୦୨୪: ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ମୁରୀବାହାଲ ବ୍ଳକର ସରପଞ୍ଚ ସଂଘ ସଭାପତି ବିଶ୍ୱବିହାରୀ ଯୋଶୀଙ୍କ ସହ ବ୍ଲକର ବହୁ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, କଣ୍ଟାବାଞ୍ଜି ଓ ପଦ୍ମପୁର ପର୍ଯ୍ୟବେକ୍ଷକ ମୌସମ ମିଶ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ବିଶ୍ୱବିହାରୀ ଯୋଶୀଙ୍କ ସହ ଶତାଧିକ କର୍ମୀଙ୍କୁ ଡକ୍ଟର ପାତ୍ର, ଓ ଶ୍ରୀ ମିଶ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ଏହି କର୍ମୀମାନଙ୍କ ଯୋଗଦାନ ଫଳରେ ବିଶେଷକରି ମୁରୀବାହାଲ ବ୍ଲକରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର ଓ ଶ୍ରୀ ମିଶ୍ର କହିଥିଲେ ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଶ୍ୱବିହାରୀ ଯୋଶୀ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ । ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ । ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।

ଏହି ମିଶ୍ରଣ ପର୍ବରେ ସରପଞ୍ଚ ସୁକମଣି ପଟେଲ, କାଳିଆ ସରଫ, ରାମ ଦାସ ମହାକୁଡ, ପ୍ରିୟବ୍ରତ ପ୍ରଧାନୀ, ମଣ୍ଟୁ ଯାଦବ, ଗିରିଧରୀ ମହାନନ୍ଦ, ଦୋଳମଣୀ ଛୁରା, ହେମରାଜ ବେହେରା, ଲମ୍ବୋଦର ବଗର୍ତୀ, କର୍ଣ୍ଣ ଘିବେଲା, ନବକିଶୋର ହାତୀ, ରାମରଂଜନ ସେଠ, ବବୁଲ ଭୋଇ, ଚିନ୍ତାମଣି ବେହେରା, ଜିତେନ୍ଦ୍ର ନାଗ ଓ ସରୋଜ ମେହେରଙ୍କ ସହ ଶତାଧିକ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.