ତୋତେ ଆସିବାକୁ ହେବ

ତୁହି ଅଛୁ ସେଠି ମୁହିଁ ଅଛି ଏଠି
ମଝିରେ ପଚାଶ କୋଶ
ତୋ ‘ ଆଖିରେ ସିନା କୋଟି ଜନ ମୁଖ
ମୋ ଆଖିରେ ଗୋଟେ ବେଶ ।।୧।

ତୋ ନୟନୁ ବହେ କରୁଣା ର ଧାରା
ସିକ୍ତ କରେ ଭକ୍ତ ଜନେ
ମୋ ‘ ଆଖିରୁ ବହେ ବେଦନା ର ଲୁହ
ପୋଛୁଚି ବସି ଗୋପନେ ।।୨।

ଅମୃତ ବେଳାରେ ଭକ୍ତଙ୍କ ମେଳରେ
ଆନନ୍ଦେ ରହିଛୁ ବୁଡି
ଭାବିଛୁ କି ଥରେ ଏକା ଏକା ଘରେ
ବିଷାଦେ ରହିଛି ପଡି !!! ।।୩।

କେତେ ଗୁଣୀ ଜନ ଘୋଷି ତୋ’ର ନାମ
କରୁଛନ୍ତି ଜୟଗାନ
ନୁହେଁ ଗୁଣୀ ଜାଣି କରିଛୁ ବାରଣ
ଯିବା ପାଇଁ ତୋ’ର ଧାମ ।।୪।

ପତିତ ଜନଙ୍କୁ ଉଦ୍ଧାରିବା ପାଇଁ
ତୋ’ର ଏ ବିଜୟ ଯାତ
ମୋ’ ପରି ପତିତ ଏକା ରହିଗଲା
ହେଲାନି କିପରି ଜ୍ଞାତ ? ।।୫।

ଲାଗିବ ତୋ’ନାମେ କଳଙ୍କ ର ଦାଗ
ଉଦ୍ଧାର ନକଲେ ମୋତେ
ପତିତପାବନ ନାମ ବୃଥା ଯିବ
ଜଗତ ନିନ୍ଦିବ ତୋତେ ।।୬।

ମୋହର ଆଉ ବି ବଳୁନାହିଁ ମନ
କରିବାକୁ ତୋତେ ଅଳି
ଜାଣିଛି ମୁଁ ଆପେ ଆସିବୁ ମୋ ପାଶେ
(ଯେଣୁ)ପାପ ମୋ ଗଲାଣି ବଳି ।।୭।

              ଡଃ ସୁଧୀର ସାମଲ
Leave A Reply

Your email address will not be published.