ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ ଜିଲା ଓକିଲ ସଂଘର ଦାବୀପତ୍ର ପ୍ରଦାନ

ପଶ୍ଚିମ ଓଡ଼ିଶାର ସମ୍ବଲପୁର ଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ ବୌଦ୍ଧ ଜିଲା ଓକିଲ ସଂଘ ପକ୍ଷରୁ ଏକ ଦାବୀପତ୍ର ରାଜ୍ୟପାଳଙ୍କ ଉଦେଶ୍ୟରେ ଶୁକ୍ରବାର ଦିନ ପ୍ରଦାନ କରାଯାଇଛି। ପଶ୍ଚିମ ଓଡ଼ିଶାର ଓକିଲ ସଂଘ ଗୁଡିକ କୋର୍ଟ କାମ ବନ୍ଦ କରି ଦାବୀ ପତ୍ର ପ୍ରଦାନ କରିଥିଲେ। ଜଷ୍ଟିସ ଯଶ୍ୱବନ୍ତ ସିଂ କମିଶନ ଆଧାରରେ ପଶ୍ଚିମ ଓଡ଼ିଶାରେ ତୁରନ୍ତ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ପଦକ୍ଷେପ ନେବାକୁ ଦାବୀ କରିଥିଲେ। ପଶ୍ଚିମ ଓଡ଼ିଶାରେ ଆଦିବାସୀ, ହରିଜନ ସଂପ୍ରଦାୟର ଲୋକମାନେ ବହୁଳ ଭାବରେ ଥିବାବେଳେ ବହୁ ଲୋକ ଗରୀବ ଶ୍ରେଣୀର ଅଟନ୍ତି। ଫଳରେ ଗରୀବ ଲୋକମାନେ କଟକ ଯାଇ କୋର୍ଟ କାର୍ଯ୍ୟ ଠିକ ଭାବେ କରିପାରୁନାହାନ୍ତି।

ଏଣୁ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ଏକ ସ୍ଥାୟୀ ବେଞ୍ଚ ସମ୍ବଲପୁରଠାରେ ସ୍ଥାପନ କରିବାକୁ ଦାବୀ କରିଥିଲେ। ୨୦୧୩ ମସିହାରେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ପାର୍ଲିଆମେଣ୍ଟରେ ଆଇନ ଆଣିବାକୁ କେନ୍ଦ୍ର ସରକାରଙ୍କୁ ମଧ୍ୟ ସୁପାରିଶ କରିଥିଲେ। ଜିଲା ଓକିଲ ସଂଘର ସଭାପତି ତାରେଣୀ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଜିଲା ଓକିଲ ସଂଘର ସମସ୍ତ ସଦସ୍ୟମାନେ କୋର୍ଟ କାର୍ଯ୍ୟରୁ ବିରତ ରହି ଏକ ଶୋଭାଯାତ୍ରା କରି ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଏକ ଦାବୀ ପତ୍ର ରାଜ୍ୟପାଳଙ୍କ ଉଦେଶ୍ୟରେ ଜିଳାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ପ୍ରଦାନ କରିଥିଲେ। ଦାବୀ ପତ୍ର ପ୍ରଦାନ ସମୟରେ ବରିଷ୍ଠ ଆଇନଜିବୀ ସୁଧର କର୍ଣ୍ଣ , ସଂଘର ସଂପାଦକ ଅଶୋକ କୁମାର ମିଶ୍ର, ଅଶୋକ କୁମାର ସାହୁ, ବିଶ୍ୱଜିତ ମିଶ୍ର, ରଘୁନାଥ ମେହେର, ଯୋଗେଶ ପ୍ରସାଦ ନାୟକ, ଜ୍ଞାନରଞ୍ଜନ ପଟ୍ଟନାୟକ, ଦେବରଞ୍ଜନ ବିଶି, ପ୍ରଦିପ କୁମାର ମହାରଣା, କୁନାଲ ମହାପାତ୍ର, ତଦଶା ମାଝୀ , ମନୋଜ କୁମାର ତ୍ରିପାଠିଙ୍କ ସମେତ ବହୁସଂଖ୍ୟାରେ ଆଇନଜିବୀ ସାମିଲ ଥିଲେ।

Leave A Reply

Your email address will not be published.