mobile header

ମମିତା ମେହର ହତ୍ୟା ଘଟଣା: ହସ ହସ ମୁହଁରେ ଜେଲରୁ ବାହାରିଲେ ଗୋବିନ୍ଦ ସାହୁ

ଗୋବିନ୍ଦଙ୍କ ସହ ତାଙ୍କ ସହଯୋଗୀ ରାଧେଶ୍ୟାମ ଚଣ୍ଡୀ ମଧ୍ୟ କୋର୍ଟରେ ହାଜର ହୋଇଥିଲେ। ଜାମିନ କପି ଗୋବିନ୍ଦଙ୍କ ଓକିଲ ଦୁର୍ଗା ପ୍ରସାଦ ପାଢ଼ୀ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଦାଖଲ କରିଥିଲେ। ଏହାପରେ କୋର୍ଟ ଗୋବିନ୍ଦଙ୍କୁ ୮ ଟି ସର୍ତ୍ତ ଓ ୫୦ ହଜାରର ଦୁଇଟି ବଣ୍ଡ ବଳରେ ୧୪ ଦିନ ପାଇଁ ଜାମିନ ଦେଇଥିଲେ। ଆଜି ସେ କଣ୍ଟାବାଞ୍ଜି ଜେଲରୁ ବାହାରିବା ବେଳେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଏହି ସମୟରେ ଗୋବିନ୍ଦ ସ୍ମିତ ହାସ୍ୟ ଦେଇ ବାହାରକୁ ଆସୁଥିବା ଦେଖିବାକୁ ମିଳିଛି।

କୋର୍ଟଙ୍କ ଜାମିନ ସର୍ତ୍ତ ଅନୁସାରେ ବିନା ଅନୁମତିରେ ସେ ନିଜ ଅଞ୍ଚଳ ଛାଡ଼ି ପାରିବେ ନାହିଁ। ସାକ୍ଷୀଙ୍କୁ ପ୍ରଭାବିତ କରି ପାରିବେ ନାହିଁ କିମ୍ବା ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିବେନି। ପ୍ରତିଦିନ ସନ୍ଧ୍ୟାରେ ସେ ଏହି ମାମଲାର ଆଇଓଙ୍କ ପାଖରେ ହଜାର ହେବେ। ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇପାରିବେ ନାହିଁ କୋର୍ଟ ସର୍ତ୍ତ ରଖିଛନ୍ତି।

ଆଜି ଜେଲରୁ ବାହାରିବା ବେଳେ ଗୋବିନ୍ଦ ସାହୁଙ୍କ ପ୍ରତିକ୍ରିୟା ନେବାକୁ ଗଣମାଧ୍ୟମ ପକ୍ଷରୁ ଉଦ୍ୟମ କରାଯାଇଥିଲା। ହେଲେ ସେ ହାଇକୋର୍ଟଙ୍କ ନିର୍ଦ୍ଦେଶ କଥା କହି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି।

ସୂଚନାଯୋଗ୍ୟ, ମହାଲିଙ୍ଗ ସନ୍‌ସାଇନ୍‌ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ମମିତାଙ୍କୁ ମହାଲିଙ୍ଗ କଲେଜ ସଭାପତି ଗୋବିନ୍ଦ ହତ୍ୟା କରି ଗାତରେ ପକାଇ ନିଆଁ ଲଗାଇ ପୋଡ଼ି ଦେଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ସେ ଗିରଫ ହୋଇ ଜେଲ୍‌ରେ ଥିଲେ। ତେବେ ଗୋବିନ୍ଦ ସହିତ ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପର୍କ ସାମ୍ନାକୁ ଆସିବା ପରେ ରାଜ୍ୟ ରାଜନୀତି ଉଷ୍ମ ହୋଇଥିଲା।

Leave A Reply

Your email address will not be published.