ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ସ୍ଥିତ ଲିଙ୍ଗରାଜ ପାସେଞ୍ଜର ହଲ୍ଟ ଏବେ ଲିଙ୍ଗରାଜ ରେଳ ଷ୍ଟେସନ୍ରେ ପରିଣତ ହେବ । ଏହାସହ ଭୁବନେଶ୍ୱର ରେଳ ଷ୍ଟେସନର ନବୀକରଣ ମଧ୍ୟ ହେବ । ଏନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।
ସାଂସଦ ଅପରାଜିତାଙ୍କ ଅନୁରୋଧ କ୍ରମେ ଏହି ଦୁଇ ପ୍ରକଳ୍ପ କାମ ଖୁବ କମ ସମୟ ମଧ୍ୟରେ ହେବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଥିବା ଟ୍ୱିଟ୍ କରି କହିଛନ୍ତି ଅପରାଜିତା । ଏହାସହ ସାଂସଦ ଅପରାଜିତା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଧନ୍ୟବାଦ ଜ୍ଞାପନ କରିଛନ୍ତି । ଦୁଇଟି ପ୍ରକଳ୍ପ କମ ସମୟ ମଧ୍ୟରେ ଆରମ୍ଭ ହେବ ବୋଲି ଟୁଇଟ୍ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ଅନ୍ୟପଟେ ଭୁବନେଶ୍ୱର ସହରରେ ହେବ ୨ଟି ଫୁଟ୍ ଓଭରବ୍ରିଜ୍ ଓ ଗୋଟିଏ ଫ୍ଲାଇ ଓଭର । ଏନେଇ କେନ୍ଦ୍ର ମଂଜୁରୀ ଦେଇଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ପୂର୍ବରୁ ସୂଚନା ଦେଇସାରିଛନ୍ତି । କସମୋପଲିସ୍ ଛକରେ ଜାତୀୟ ରାଜପଥ ଉପରେ ଗୋଟିଏ ଫ୍ଲାଇଓଭର ନିର୍ମାଣ ହେବାକୁ ଥିବା ବେଳେ କ୍ରାଉନ ହୋଟେଲ ଓ ସତସଙ୍ଗ ବିହାର ଠାରେ ହେବ ଫୁଟ୍ ଓଭରବ୍ରିଜ୍ ବୋଲି କହିଛନ୍ତି ଅପରାଜିତା । ଏନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କଠାରୁ ଅନୁମତି ମିଳି ସାରିଛି ।
କ୍ୟାପିଟାଲ ରିଜିଅନ୍ ରିଂ-ରୋଡ୍କୁ ମଧ୍ୟ ମଂଜୁରୀ ମିଳିଥିବା ସୂଚନା । ଖୋର୍ଦ୍ଧା ରାମେଶ୍ୱର ଠାରୁ କଟକ ଟାଙ୍ଗି ପର୍ଯ୍ୟନ୍ତ ହେବ ବାଇପାସ୍ ରୋଡ୍ । କ୍ୟାପିଟାଲ ରିଜିଅନ୍ ରିଂ-ରୋଡ୍ ପାଇଁ ୫୭୪୪ କୋଟି ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି । ଏସବୁ ପ୍ରକଳ୍ପ ନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ପୂର୍ବରୁ ନିବେଦନ କରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।