mobile header

ଦୁର୍ଗମ ଗାଁର ଛାତ୍ରମାନଙ୍କ ପାଇଁ ମାଗଣା ଶିକ୍ଷଣ କେନ୍ଦ୍ର


ଦେବଗଡ:- କୋଭିଡ-19 ମହାମାରୀ ପ୍ରଭାବରୁ ବିଗତ ୨ ବର୍ଷ ଧରି ବିଦ୍ୟାଳୟ ବନ୍ଦ ରହିବ ଯୋଗୁଁ ଏହାର କୁପ୍ରଭାବ କେବଳ ଶ୍ରେଣୀଗୃହ ଶିକ୍ଷା ଉପରେ ନୁହେଁ ବରଂ ପିଲାମାନଙ୍କର ମାନସିକ ସୁସ୍ଥତା ଉପରେ ମଧ୍ୟ ପଡିଛି । ସ୍କୁଲ ବନ୍ଦ ରହିଥିବା ସମୟରେ ଗରିବ ପରିବାର ମାନଙ୍କର ଶିଶୁମାନେ ନାନା ପ୍ରକାରର କାର୍ଯ୍ୟରେ ନିୟୋଜିତ ରହିଥିଲେ ବୋଲି ବିଭିନ୍ନ ସର୍ଭେ ରିପୋର୍ଟରୁ ଜଣାପଡୁଛି । ବର୍ତମାନ ସ୍କୁଲ ଖୋଲାଯିବା ପରେ ମଧ୍ୟ ଅନେକ ଶିଶୁ ମାନଙ୍କର ପାଠପଢା ପୁଣି ଆରମ୍ଭ ନହେବାର ସମ୍ଭାବନା ରହିଛି । ସରକାରଙ୍କ ସ୍କୁଲ ଫେରିଚାଲ ଅଭିଯାନକୁ ଅପହଞ୍ଚ ଗ୍ରାମଗୁଡିକରେ ପହଂଚାଇବା, ସ୍କୁଲରେ ଉପସ୍ଥାନକୁ ନିୟମିତ କରିବା ସହିତ ସେହି ଗ୍ରାମ ମାନଙ୍କର ଶିଶୁଙ୍କର ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି କରିବାର ଲକ୍ଷ୍ୟ ନେଇ ଆକ୍ସନଆଡ଼ ଭୁବନେଶ୍ୱର ତରଫରୁ ପ୍ରଶାସନ ଓ ପ୍ରଂଚାୟତ ପ୍ରତିନିଧିଙ୍କ ସକ୍ରିୟ ତ୍ୱାବଧାନରେ ଦେବଗଡ ଜିଲ୍ଲାର ବାରକୋଟ ବ୍ଲକର ରଂଭେଇ ଓ ସରୁଆଳୀ ପଂଚାୟତର ୩ ଟି ଲେଖାଏ ଗ୍ରାମରେ ମାଗଣା ଶିକ୍ଷା ଶିବିର ଆରମ୍ଭ କରାଯାଇ ମୋଟ ୧୩୬ (ବାଳିକା – ୭୩ ଜଣ ଓ ବାଳକ – ୬୩) ଜଣ ଶିଶୁଙ୍କୁ ଶିକ୍ଷା ପ୍ରଦାନ କରାଯାଉଛି । ରଂଭେଇ ପଂଚାୟତର ବୁଢାବାହାଲ, ବ୍ରାହ୍ମଣୀମାଲ ଓ ରଙ୍ଗାମାଟିଆ ଗ୍ରାମ ଏବଂ ସରୁଆଳୀ ପଂଚାୟତର ସରୁଆଳୀ, ଟାଇନ୍ସର ଓ ମାଦଳିଆ ଗ୍ରାମରେ ଗତ ୧ ଏପ୍ରିଲ ୨୦୧୨ ରୁ ଏହି ମାଗଣା ଶିକ୍ଷଣ ଶିବିର ଆରମ୍ଭ କରାଯାଇଛି । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀମାନେ ଏହି ଶିବିରରେ ଯୋଗଦାନ କରି ଶିକ୍ଷା ଗ୍ରହଣ କରୁଛନ୍ତି । ଗ୍ରାମର ମଧ୍ଦ୍ୟ ସ୍ଥଳରେ ଚାଲୁଥିବା ଏହି ଶିବିରରେ ପ୍ରତି ଗ୍ରାମରୁ ହାରାହାରି ୨୦ ରୁ ୩୦ ଜଣ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ନିୟମିତ ଭାବରେ ସ୍କୁଲ ସମୟକୁ ଛାଡି ଦୈନିକ ୨ – ୨.୫୦ ଘଣ୍ଟା ପାଇଁ ଶିକ୍ଷା ଗ୍ରହଣ କରୁଛନ୍ତି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରୋମିଓ ମହାପାତ୍ର, ରଂଭେଇ ପଂଚାୟତ ସରପଞ୍ଚ ଶ୍ରୀଯୁକ୍ତ ରସ୍ମିତ ବେହେରା ଓ ସାରୁଆଳୀ ପଂଚାୟତ ସରପଂଚ ଶ୍ରୀମତୀ ସୁଭଦ୍ରା ସାହୁ ଓ ଆକ୍ସନଆଡ଼ ର କର୍ମୀ ମାନଙ୍କର ମିଳିତ ପ୍ରୟାସ ଓ ତତ୍ୱାବଧାନରେ ଶିକ୍ଷଣ କେନ୍ଦ୍ର ଚାଲୁଥିବା ଗ୍ରାମରୁ ଏକ ଶିକ୍ଷିତ ଓ ଆଗ୍ରହୀ ସ୍ବେଚ୍ଛାସେବୀଙ୍କୁ ଚିହ୍ନଟ କରି ଶିକ୍ଷାଦାନ କରିବାର ଦାୟିତ୍ୱ ଦିଆଯାଇଛି। ପ୍ରଥମ ଦିନରେ ଉଭୟ ପଂଚାୟତର ସରପଂଚ ଶିବିରକୁ ଉଦଘାଟନ କରି ଏହାର ଶୁଭାରମ୍ଭ କରିଥିଲେ। ଶିକ୍ଷା ସ୍ଵେଛାସେବୀ ଭାବେରେ ବୁଢାବାହାଲ ଗ୍ରାମରେ ଶ୍ରୀ ଲିପୁନ କୁମାର ବାଘ ବ୍ରାହ୍ମଣୀମାଲ ଗ୍ରାମରେ କମଲିୟୁସ ଜୋଜୋ, ରଙ୍ଗମାଟିଆ ଗ୍ରାମରେ ଦୁଷ୍ମନ୍ତ କୁମାର ବାରିକ, ସାରୁଆଳୀ ଗ୍ରାମରେ ସ୍ମିତାରାଣୀ ସାହୁ, ମାଦଳିଆ ଗ୍ରାମରେ ରିତା ନାୟକ, ଓ ଟାଇନ୍ସର ଗ୍ରାମରେ ଉତ୍ତମ କୁମାର ବେହେରା ନିୟୋଜିତ ହୋଇ ଶିଶୁ ମାନଙ୍କୁ ଶିକ୍ଷା ପ୍ରଦାନ କରିଆସୁଛନ୍ତି। ପ୍ରଶାସନର ଓ ଆକ୍ସନଆଡ଼ ର କର୍ମୀ ମାନେ ନିୟମିତ ଭାବେରେ ଶିବିରକୁ ତଦାରଖ କରିବା ସହିତ ଶିଶୁ ମାନଙ୍କୁ ପ୍ରେରିତ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି।

Leave A Reply

Your email address will not be published.