mobile header

ମମିତାଙ୍କୁ ନ୍ୟାୟ ଦେବା ପାଇଁ କଳାକୋଟ୍ ପିନ୍ଧିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର

ମମିତା ମେହେରଙ୍କୁ ନ୍ୟାୟ ନେବା ପାଇଁ କଳାକୋଟ୍ ପିନ୍ଧିଲେ ନରସିଂହ ମିଶ୍ର । ଯେ ପର୍ଯ୍ୟନ୍ତ ମମିତାଙ୍କୁ ନ୍ୟାୟ ନମିଳିଛି, ସେ ଯାଏଁ ଚୁପ୍ ବସିବେ ନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ତୁରେଇକେଲା ଥାନା ଅନ୍ତର୍ଗତ ଝରନି ଗାଁରେ ମମିତାଙ୍କ ପରିବାରକୁ ଭେଟିବା ଅବସରରେ ଏହି ସୂଚନା ଦେଇଥିଲେ ନରସିଂହ ମିଶ୍ର । ହାଇକୋର୍ଟର ମୁଖ୍ୟ ବିଚାରପତି ଏକେ ମୁରଲୀଧର ଓ ବିଚାରପତି ଆରକେ ପଟ୍ଟନାୟକଙ୍କୁ ଗଠିତ ଖଣ୍ଡପୀଠ ମମିତା ମେହେର ହତ୍ୟା ମାମଲାର ଶୁଣାଣି କରିଥିଲେ । ନରସିଂହ ମିଶ୍ର ମଧ୍ୟ ନିଜେ ଯୁକ୍ତି କରିଥିଲେ ଯେ ମମିତାଙ୍କୁ ହତ୍ୟା କରାଯିବା ପଛରେ ଷଡ଼ଯନ୍ତ୍ର ରହିଛି । ପୋଲିସର ମାମଲା ରୁଜୁ ଓ ତଦନ୍ତକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ ନରସିଂହ ମିଶ୍ର । ହତ୍ୟାକାରୀ ଓ ସହଯୋଗୀଙ୍କୁ ଗିରଫ କରି ପୋଲିସ୍ ନିଜ ଦାୟିତ୍ୱ ସାରିଦେଇଥିବା କହିଛନ୍ତି ନରସିଂହ ମିଶ୍ର ।

ତେବେ ଗତବର୍ଷ ସେପ୍ଟେମ୍ବରରେ ଶିକ୍ଷୟିତ୍ରୀ ମମିତାଙ୍କୁ ହତ୍ୟା କରାଯିବା ନେଇ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା । ଘଟଣାରେ ରାଜ୍ୟ ସରକାରଙ୍କ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସଂପୃକ୍ତି ଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି । ଏପରିକି ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଧାନସଭା ଅଧିବେଶନ ମଧ୍ୟ ଚାଲିପାରିନଥିଲା । ଏହାରି ଭିତରେ ମମିତାଙ୍କ ହତ୍ୟାକୁ ୭ ମାସରୁ ଅଧିକ ସମୟ ବିତିଯାଇଥିଲେ ହେଁ ଏବେ ବି ହତ୍ୟାକାଣ୍ଡକୁ ନେଇ ବିବାଦ ଥମିନାହିଁ । ମୁଖ୍ୟ ଅଭିଯୁକ୍ତି ଗୋବିନ୍ଦ ସାହୁ ସହ ଏଥିରେ ଆଉ କାହାର ସଂପୃକ୍ତି ରହିଛି କି ନାହିଁ, ସେ ନେଇ ମଧ୍ୟ କିଛି ସ୍ପଷ୍ଟ ହୋଇନାହିଁ । ଏଭଳି ସ୍ଥିତିରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଘଟଣାକୁ ପୁନଃତଦନ୍ତ ପାଇଁ ଦାବି କରିଛନ୍ତି ।

Leave A Reply

Your email address will not be published.