mobile header

ବ୍ରିଜ୍ କୋର୍ସ’ ଦ୍ୱାରା ଭରଣା ହେବ ପାଠପଢ଼ା:ଟେଣ୍ଡର ଆହ୍ୱାନ କଲେ ରାଜ୍ୟ ସରକାର ।

ଶିକ୍ଷାଦାନ କ୍ଷେତ୍ରରେ ଏକ ନୂଆ କଥା ଲାଗୁ କରିବାକୁ ଯାଉଛନ୍ତି ସରକାର । ଯାହା ପୂର୍ବରୁ କେବେ ହୋଇନଥିଲା । ସ୍କୁଲ ଓ ଗଣଶିକ୍ଷା ବିଭାଗ, ବାହାର ଏଜେନ୍ସି ଦ୍ୱାରା କରୋନାରେ ବାଧା ହୋଇଥିବା ପାଠପଢ଼ାକୁ ଭରଣା କରିବାକୁ ଯାଉଛନ୍ତି । ସରକାର ଆହ୍ୱାନ କରିଥିବା ଟେଣ୍ଡର ମାଧ୍ୟମରେ ତୃତୀୟ ପକ୍ଷ ଏଜେନ୍ସି ନିଯୁକ୍ତ କରାଯିବ ।

‘ବ୍ରିଜ୍ କୋର୍ସ’ ଦ୍ୱାରା ଭରଣା ହେବ ପାଠପଢ଼ା । ତୃତୀୟ ପକ୍ଷ ‘ଏଜେନ୍ସି’ ନେବ ଦାୟିତ୍ୱ । ଉପକୃତ ହେବେ ୪୧ ଲକ୍ଷ ପିଲା, ଖର୍ଚ୍ଚ ହେବ ୭୦ କୋଟି ଟଙ୍କା । ମହାମାରୀ ଯୋଗୁଁ ୨୦୨୦ ଓ ୨୦୨୧ ଶିକ୍ଷା ବର୍ଷର ପାଠପଢ଼ା ଭୀଷଣ ରୂପେ ପ୍ରଭାବିତ ହୋଇଥିଲା । ଏବେ ଏହାକୁ ଭରଣା କରିବାକୁ ଅଣ୍ଟା ଭିଡିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ଖରାଦିନ ଛୁଟିକୁ ସୀମିତ କରି ପିଲାଙ୍କ ପାଇଁ ବ୍ରିଜ୍ କୋର୍ସ କରାଯିବ । ଯେଉଁ ଦୁଇ ବର୍ଷର ପାଠପଢ଼ା ଅଧାପନ୍ତରିଆ ରହିଛି, ତାକୁ ଭରଣା କରାଯିବ ।

ବ୍ରିଜ୍ କୋର୍ସ ପାଠପଢ଼ା
ତୃତୀୟ ଶ୍ରେଣୀରୁ ନବମ ଶ୍ରେଣୀ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ହେବ ବ୍ରିଜ୍ କୋର୍ସ
ପୂର୍ବ ୨ ବର୍ଷର ପାଠ୍ୟକ୍ରମକୁ ୪୦-୬୦ ଅନୁପାତରେ ସାମିଲ କରାଯିବ
ବୋର୍ଡ ପରୀକ୍ଷା ଥିବାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ଏଥିରୁ ବାଦ ଦିଆଯାଇଛି
ଏହି ପାଠପଢ଼ା ପାଇଁ ଏଜେନ୍ସି ବା ତୃତୀୟ ପକ୍ଷ ନିଯୁକ୍ତ ହେବେ
ଏଥିପାଇଁ ଆରମ୍ଭ ହୋଇଛି ଟେଣ୍ଡର ପ୍ରକ୍ରିୟା

ମନେ କରନ୍ତୁ ଏବେ ଜଣେ ଛାତ୍ର ଷଷ୍ଠ ଶ୍ରେଣୀରେ ପଢୁଛନ୍ତି । ଗତ ଦୁଇ ବର୍ଷର ପାଠ ବ୍ୟାଘାତ ହୋଇଥିବାରୁ ଏହି ବ୍ରିଜ୍ କୋର୍ସରେ ଚତୁର୍ଥ ଓ ପଂଚମ ଶ୍ରେଣୀର ପାଠକୁ ସାମିଲ କରାଯିବ । ଚତୁର୍ଥ ଶ୍ରେଣୀର ୪୦ ପ୍ରତିଶତ ଓ ପଞ୍ଚମର ୬୦ ପ୍ରତିଶତ ପାଠ ବ୍ରିଜ୍ କୋର୍ସ ଜରିଆରେ ଶେଷ କରାଯିବ । ଏଥିପାଇଁ ସ୍ୱତନ୍ତ୍ର ମଡ୍ୟୁଲ୍ କରିବ ଏଜେନ୍ସି ।

ବ୍ରିଜ୍ କୋର୍ସର ପାଠ୍ୟକ୍ରମ ପସ୍ତୁତି ଠାରୁ ଆରମ୍ଭ କରି ଶିକ୍ଷକଙ୍କ ପ୍ରଶିକ୍ଷଣ ଓ ପିଲାଙ୍କ ଦକ୍ଷତା ବୃଦ୍ଧି କିପରି ହୋଇଛି ଇଣ୍ଟରନାଲ ଆସେସ୍ କରି ମାସିକିଆ ରିପୋର୍ଟ ଦେବ ଏଜେନ୍ସି ।

ନଜର ପକାନ୍ତୁ କେମିତି ହେବ ‘ବ୍ରିଜ୍ କୋର୍ସ’ ପାଠପଢ଼ା ?
ଇଂରାଜୀ, ଗଣିତ ଓ ବିଜ୍ଞାନକୁ ଦିଆଯିବ ଗୁରୁତ୍ୱ
ପ୍ରତ୍ୟେକ ଜିଲ୍ଲାରେ ପ୍ରତି ବିଷୟ ପାଇଁ ୫୦ ଜଣ ଶିକ୍ଷକ, ଅର୍ଥାତ ମୋଟ ୧୫୦ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେବ ଏଜେନ୍ସି
ଏହି ଶିକ୍ଷକମାନେ ଜିଲ୍ଲାର ଅନ୍ୟ ଶିକ୍ଷକମାନଙ୍କୁ ମାର୍ଗଦର୍ଶନ କରିବେ
ପ୍ରତି ଶ୍ରେଣୀରେ ୩୫ରୁ ୪୦ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ରହିବେ
ସପ୍ତାହରେ ପ୍ରତ୍ୟେକ ବିଷୟରେ ୪ ଲେଖାଏଁ କ୍ଲାସ ହେବ
ଇଂରାଜୀ, ଗଣିତ ଓ ବିଜ୍ଞାନ ପାଇଁ ସପ୍ତାହରେ ହେବ ମୋଟ ୧୨ଟି କ୍ଲାସ
ପ୍ରତି କ୍ଲାସର ସମୟ ସୀମା ରହିବ ୧ ଘଂଟା

ତେବେ ସରକାରଙ୍କ ଏହି ଯୋଜନା, କିପରି କାର୍ଯ୍ୟକାରୀ ହେବ, ଏ ନେଇ ସନ୍ଦେହ ପ୍ରକାଶ କରିଛି ଓଷ୍ଟା ।

Leave A Reply

Your email address will not be published.