mobile header

ଭୁବନେଶ୍ୱର ଇନ୍ଦିରା କଲୋନୀରେ ଏଟିଏମକୁ ତାଡି ନେବା ଘଟଣା: ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର ସ୍ଥିତ ଶିଶୁପାଳଗଡ଼-ଲିଙ୍ଗିପୁର ହାଉସିଂବୋର୍ଡ ଛକରୁ ଏଟିଏମ୍ ଉପାଡ଼ି ନେଇ ଟଙ୍କା ଲୁଟ୍ ଘଟଣାର ଚେର ବାଂଲାଦେଶ ପର୍ଯ୍ୟନ୍ତ ଲମ୍ବିଛି। ଏହି ଘଟଣାରେ କମିଶନରେଟ୍‌ ପୁଲିସ ୨ ଜଣଙ୍କୁ ଗିରଫ କରିବା ପରେ ଏ କଥା ଜଣାପଡ଼ିଛି। ଗିରଫ ୨ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବାଂଲାଦେଶୀ ହୋଇଥିବା ବେଳେ ଆଉ ଜଣେ କୋଲକାତାର। ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ପୁଲିସ୍‌ କମିଶନରଙ୍କ ସୂଚନା ଅନୁଯାୟୀ, ତଦନ୍ତକାରୀ ଟିମ୍ ବିଭିନ୍ନ ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ଅଭିଯୁକ୍ତମାନଙ୍କ ହୁଲିଆ ବିଷୟରେ ଜାଣିବାକୁ ପାଇଥିଲା। ଏଥିରେ ସରାଇ ଆପ୍ଲିକେସନ୍ ବି ସହାୟକ ହୋଇଥିଲା। ଏହି ଆପ୍ଲିକେସନ ଦ୍ୱାରା ହୋଟେଲ୍‌ ଗୁଡ଼ିକୁ କେଉଁମାନେ ଆସୁଛନ୍ତି ଓ ଯାଉଛନ୍ତି, ସେ ବିଷୟରେ ତଥ୍ୟ ମିଳେ। ଏସବୁକୁ ଭଲ ଭାବେ ଯାଞ୍ଚ କରି ତଦନ୍ତକାରୀ ଟିମ୍ ୫ ଜଣ ସମ୍ଭାବ୍ୟ ଅଭିଯୁକ୍ତଙ୍କ ବେଶଭୂଷା ଓ ପରିପାଟୀ ବିଷୟରେ ଜାଣିବାକୁ ପାଇଥିଲା। ତା’ ଭିତରେ ରାଜ୍ୟ ତଥା ରାଜ୍ୟ ବାହାରେ ଏଟିଏମ୍‌ ଲୁଟ୍‌ ସଂପର୍କିତ ବିଭିନ୍ନ ଘଟଣା ଉପରେ ବି ଟିମ୍ ତର୍ଜମା କରିଥିଲା। ଆଉ ଏହି ସମୟରେ ଜାଣିବାକୁ ପାଇଥିଲା ଗୋଆରେ ଏଭଳି ଏକ ଏଟିଏମ୍‌ ଲୁଟ୍ ଘଟଣାରେ ଦିଲ୍ଲୀ ପୁଲିସ୍ ୩ ଜଣଙ୍କୁ ଗିରଫ କରିଥିଲା, ଯେଉଁମାନେ ବାଂଲାଦେଶୀ ଥିଲେ। ହୁଏତ ସେହି ଟିମ୍ ଏଠାରେ ଏହି କାଣ୍ଡ ଘଟାଇଥିବା ଭାବି ତଦନ୍ତକାରୀ ଟିମ୍ ସେହି ଦିଗରେ ତଦନ୍ତ କରିଥିଲା। ତେବେ ତଦନ୍ତ ବେଳେ ଜଣାପଡ଼ିଲା ଯେ ଏଠାରେ ଲୁଟ୍‌ କରିଥିବା ଟିମ୍ ଆନ୍ଧ୍ରପ୍ରଦେଶରେ ଅଛି। ଆଉ ସେ ଦିଗରେ ଅଧିକ ତଦନ୍ତ କଲା ବେଳେ ଅଭିଯୁକ୍ତମାନେ ବେଙ୍ଗାଲୁରୁରେ ଥିବା ତଦନ୍ତକାରୀ ଟିମ୍ ଜାଣିବାକୁ ପାଇଲା।

ଏହା ପରେ ଏସିପି ସଞ୍ଜୀବ ଶତପଥୀଙ୍କ ନେତୃତ୍ୱରେ ଏକ ଟିମ୍ ବେଙ୍ଗାଲୁରୁ ଯାଇ ଅଭିଯୁକ୍ତମାନଙ୍କୁ ଖୋଜିଥିଲା। ସେଠାରେ ପ୍ରାୟ ୩୦ଟି ହୋଟେଲକୁ ଟିମ୍ ଯାଞ୍ଚ କରିବା ପରେ ୨ ଜଣ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା। ଏଥିରେ ବେଙ୍ଗାଲୁରୁ ପୁଲିସ୍ ମଧ୍ୟ କିଛି ମାତ୍ରାରେ ସହାୟତା କରିଥିଲା।

ପୁଲିସ୍ କମିଶନରଙ୍କ ସୂଚନା ଅନୁଯାୟୀ, ଏ ପ୍ରକାର ଲୁଟ୍‌ରେ ସାଧାରଣତଃ ଅଧିକ ନଗଦ ଟଙ୍କା ଜବତ ହୋଇପାରେ ନାହିଁ। ଦିଲ୍ଲୀ ମାମଲାରେ ଅଳ୍ପ ନଗଦ ଟଙ୍କା ଜବତ ହୋଇଥିବା ବେଳେ ଭୁବନେଶ୍ୱର ମାମଲାରେ ମଧ୍ୟ ଅଳ୍ପ ନଗଦ ଟଙ୍କା ଜବତ ହୋଇଛି। ସେମାନେ ସମ୍ଭବତଃ ଲୁଟ୍‌ ଟଙ୍କାକୁ ବାଂଲାଦେଶ ପଠାଇ ଦିଅନ୍ତି।

ପୁଲିସ୍ କମିଶନର ଆହୁରି କହିଛନ୍ତି ଯେ ଏହି ମାମଲାରେ ଆହୁରି ୪ ଜଣ ଅଭିଯୁକ୍ତ ଅଛନ୍ତି। ସେମାନେ ସେହି ବେଙ୍ଗାଲୁରୁ ବା ଏହା ଆଖପାଖ ଅଞ୍ଚଳରେ କେଉଁଠି ଥାଇପାରନ୍ତି ବୋଲି ଆମେ ଆଶା କରୁଛୁ। ଗିରଫ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କଲେ ଆହୁରି ଅଧିକ ତଥ୍ୟ ମିଳିପାରିବ।

ସୂଚନାଯୋଗ୍ୟ, ଏପ୍ରିଲ ୪ ତାରିଖରେ ଏହି ଘଟଣା ଘଟିଥିଲା। ବିଳମ୍ୱିତ ରାତିରେ ଲୁଟେରାମାନେ ଶିଶୁପାଳଗଡ଼-ଲିଙ୍ଗିପୁର ହାଉସିଂବୋର୍ଡ ଛକରେ ଥିବା ଏସ୍‌ବିଆଇ ଏଟିଏମ୍‌କୁ ଏକ ଚୋରା ଟାଟା ଏସ୍‌ସିଇରେ ଲଦି ନେଇ ଯାଇଥିଲେ। ଏଟିଏମ୍‌କୁ ଗାଡ଼ିରେ ଲଦି ପ୍ରାୟ ୩ କିମି ଦୂର ଲିଙ୍ଗିପୁର ନଦୀ ପଠାକୁ ନେଇଯାଇଥିଲେ। ସେଠାରେ ଶାବଳରେ ଏଟିଏମ୍‌କୁ ଭାଙ୍ଗି ପ୍ରାୟ ୨୫ ଲକ୍ଷ ଟଙ୍କା ନେଇ ଯାଇଥିଲେ ଲୁଟେରା।

ଭୁବନେଶ୍ୱର ଲିଙ୍ଗିପୁର ଏଟିଏମ୍ ଲୁଟେରା ରହୁଥିବା ହୋଟେଲ ଓ ଲଜରେ ତନାଘନା । ଗେଷ୍ଟ ହାଉସ ମାଲିକ ଓ ମ୍ୟାନେଜର ଅଟକ

ଅଭିଯୁକ୍ତ ରହିଥିବା ଭୁବନେଶ୍ୱରର ବିଭିନ୍ନ ହୋଟେଲ ଓ ଲଜରେ ତନାଘନା ଆରମ୍ଭ ହୋଇଛି । ଓଲ୍ଡଟାଉନର କମଳା ଲଜ ଓ ଖାରବେଳନଗରର ସେଂଟ୍ରାଲ ଗେଷ୍ଟ ହାଉସ ମାଲିକ ଓ ମ୍ୟାନେଜର ଅଟକ ରଖିଛି ପୋଲିସ । ରାଜଧାନୀରେ ଆହୁରି ଅନେକ ଲଜ ଓ ଓ ହୋଟେଲ ଏବେ ପୋଲିସ ସ୍କାନରରେ ରହିଛି । ଏଟିଏମରେ ସୁରକ୍ଷା ବ୍ୟବସ୍ଥା ତ୍ରୁଟି ପାଇଁ ରିଜର୍ଭ ବ୍ୟାଙ୍କକୁ ଚିଠି ଲେଖିବ ପୋଲିସ । ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ କ୍ରାଇମସିନ୍ ରିକ୍ରିଏସନ କରିବ ପୋଲିସ ।

Leave A Reply

Your email address will not be published.