mobile header

୫ଟି ଶାସନ ସଚିବ ଭିକେ ପାଣ୍ଡିଆନ୍‌ ଆଜି ଗଂଜାମ ଓ ଗଜପତି ଜିଲ୍ଲା ଗସ୍ତ : ବହୁମୁଖୀ ଜଳସେଚନ ପ୍ରକଳ୍ପ, ବିଦ୍ୟାଳୟ ରୁପାନ୍ତରଣ ଓ ବିଦ୍ୟାଳୟରେ ସୌରଶକ୍ତି ବ୍ୟବସ୍ଥା ଆଦି ପ୍ରକଳ୍ପଗୁଡ଼ିକର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମୀକ୍ଷା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଜଳସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁଗର୍ଗ ଏବଂ ୫ଟି ଶାସନ ସଚିବ ଭିକେ ପାଣ୍ଡିଆନ୍‌ ଆଜି ଗଂଜାମ ଓ ଗଜପତି ଜିଲ୍ଲା ଗସ୍ତ କରି ବହୁମୁଖୀ ଜଳସେଚନ ପ୍ରକଳ୍ପ, ବିଦ୍ୟାଳୟ ରୁପାନ୍ତରଣ ଓ ବିଦ୍ୟାଳୟରେ ସୌରଶକ୍ତି ବ୍ୟବସ୍ଥା ଆଦି ପ୍ରକଳ୍ପଗୁଡ଼ିକର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମୀକ୍ଷା କରିଛନ୍ତି।

ଆଜି ପୂର୍ବାହ୍ନରେ ଏହି ସର୍ବୋଚ୍ଚ ପ୍ରଶାସନିକ ଟିମ୍‌ ଗଂଜାମ ଜିଲ୍ଲାରେ ପହଞ୍ଚିବା ପରେ ଘଟକେଶ୍ୱର ବହୁମୁଖୀ ଜଳସେଚନ ପ୍ରକଳ ନିର୍ମାଣ କାର୍ଯ୍ୟର ପ୍ରତ୍ୟକ୍ଷ ଅନୁଧ୍ୟାନ କରିଥିଲେ। କ୍ଷେତ୍ରସ୍ତରୀୟ ଅଗ୍ରଗତି ଅନୁଧ୍ୟାନ କରି ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କାର୍ଯ୍ୟାନ୍ଵୟନ ସଂସ୍ଥାଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ, କୁକୁଡାହାଣ୍ଡି ବ୍ଲକ ଅନ୍ତର୍ଗତ ଘଟକେଶ୍ୱର ବହୁମୁଖୀ ପ୍ରକଳ୍ପ ପ୍ରାୟ ୧୭୨.୦୬ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେଉଛି। ବ୍ରହ୍ମପୁର ସହରଠାରୁ ୨୦ କିଲୋମିଟର ଦୂରରେ ଅବସ୍ଥିତ ଏହି ପ୍ରକଳ୍ପର ଆକାର ୨୩.୫୫ ବର୍ଗ କିଲୋମିଟର। ଏହାଦ୍ୱାରା କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ୪ଟି ଗ୍ରାମର ପ୍ରାୟ ୬୦୦ ହେକ୍ଟରରୁ ଅଧିକ ଜମି ଜଳସେଚିତ ହେବ। ଏହା ବ୍ୟତୀତ ଏହି ପ୍ରକଳ୍ପରୁ ବ୍ରହ୍ମପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ବସବାସ କରୁଥିବା ଏକ ଲକ୍ଷରୁ ଅଧିକ ଲୋକଙ୍କୁ ଦୈନିକ ୮.୨୫ ଏମ୍‌ଏଲଡି ପାନୀୟ ଜଳ ଯୋଗାଇ ଦିଆଯିବ।

ପରେ ପରେ ଏହି ଟିମ୍‌ କଙ୍କିଆ ଗ୍ରାମପଞ୍ଚାୟତର ପୁରୁଣାପାଟଣା ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ ପ୍ରକଳ୍ପର କାର୍ଯ୍ୟାନ୍ଵୟନ ଅନୁଧ୍ୟାନ କରିଥିଲେ। ଏହି ବିଦ୍ୟାଳୟରେ ୨୦୨୧ ମସିହା ଡିସେମ୍ବର ମାସରୁ ରୂପାନ୍ତରଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ୨୦୨୨ ଏପ୍ରିଲ ମାସରେ ନିର୍ମାଣ ସରିଥିବା ପ୍ରକଳ୍ପଗୁଡ଼ିକ କିପରି କାର୍ଯ୍ୟ କରୁଛି ଏବଂ ଏଥିରୁ ଛାତ୍ରଛାତ୍ରୀମାନେ କିପରି ଉପକୃତ ହେଉଛନ୍ତି, ସେସବୁ ବିଷୟରେ ଏହି ବରିଷ୍ଠ ଅଧିକାରୀମାନେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ।

ବିଦ୍ୟାଳୟରେ ଆଧୁନିକ ଶିକ୍ଷା ଉପକରଣ, କମ୍ପ୍ୟୁଟର, ସ୍ମାର୍ଟ କ୍ଲାସରୁମ୍‌, ଇ-ଲାଇବ୍ରେରି, ବିଜ୍ଞାନ ପରୀକ୍ଷାଗାର, ଖେଳ ପଡ଼ିଆ, ପରିଚ୍ଛନ୍ନତା ଓ ସୁନ୍ଦର ପରିବେଶ ସୃଷ୍ଟି କରାଯାଇଥିବାରୁ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ବିଦ୍ୟାଳୟରେ ଶିକ୍ଷାଦାନ ଓ ଶିକ୍ଷାଗ୍ରହଣ ପ୍ରକ୍ରିୟାର ଗୁଣାତ୍ମକମାନ ଉଚ୍ଚସତରକୁ ନେବା ସହ ଛାତ୍ରଛାତ୍ରୀମାନଙ୍କୁ ଯେ କୌଣସି ଜାତୀସ୍ତରର ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସମକକ୍ଷ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ଗଂଜାମ ଜିଲ୍ଲାର ୬୨୬ଟି ବିଦ୍ୟାଳୟ ପାଇଁ ସୌରଶକ୍ତି ପ୍ରକଳ୍ପର ଶୁଭାରମ୍ଭ କରାଯାଇଥିଲା। ଏଥିରେ ୫୫୦ଟି ମାଧ୍ୟମିକ ବିଦ୍ୟାଳୟ ସାମିଲ ରହିଛି।

ଗଂଜାମ ଗସ୍ତ ପୂର୍ବରୁ ଏହି ସର୍ବୋଚ୍ଚ ପ୍ରଶାସନିକ ଟିମ୍‌ ଗଜପତି ଜିଲ୍ଲା ଗସ୍ତ କରି ଛେଳିଗଡ଼ ଜଳସେଚନ ଓ ଜଳବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ।

Leave A Reply

Your email address will not be published.