mobile header

ଆତ୍ମଘୋଷିତ ଡନ୍ ଠୁକୁରା ଗିରଫ

ଦାଦାବଟି ନଦେବାରୁ ଜମିମାଲିକଙ୍କୁ ଆକ୍ରମଣ ଅଭିଯୋଗରେ ତମାଣ୍ଡୋ ଥାନା ପୁଲିସ ଜଣେ ଆତ୍ମଘୋଷିତ ଡନ୍‌କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ତମାଣ୍ଡୋ ନରୋଗଦା ଅଞ୍ଚଳର ସୌଭାଗ୍ୟ କେତନ ଜେନା ଓରଫ ଠୁକୁରା(୩୨) ବୋଲି ଜଣାଯାଇଛି । ଏନେଇ ପୁଲିସ ବିଭିନ୍ନ ଦଫା ଲଗାଇ ଅଭିଯୁକ୍ତ ଠୁକୁରାକୁ ଗୁରୁବାର କୋର୍ଟ ଚାଲାଣ କରିଛି ।

ସୂଚନା ଅନୁଯାୟୀ, ତମଣ୍ଡୋ ଥାନା ଅନ୍ତର୍ଗତ ସୁବୁଧିପୁର ମୌଜା ଅଞ୍ଚଳରେ ତମାଣ୍ଡୋର ପତିତପାବନ ସାହୁ ଗୋଟିଏ ଜମି କିଣିଥିଲେ । ଗତ ବୁଧବାର ଉକ୍ତ ଜମିରେ ସେ ତାଙ୍କ ଘର ନିର୍ମାଣ କାମ କରୁଥିଲେ । ଠିକ ମଧ୍ୟାହ୍ନ ସମୟରେ ଅଭିଯୁକ୍ତ ଠୁକୁରା ସାଙ୍ଗରେ କେତେକ ସହଯୋଗୀଙ୍କୁ ଧରି ଉକ୍ତ ଜମି ନିକଟକୁ ଯାଇଥିଲା । ସେଠାରେ ପତିତପାବନଙ୍କୁ ସାଙ୍ଗରେ ଆଣିଥିବା ପିସ୍ତଲ ଓ ଖଣ୍ଡା ଦେଖାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ନାନା ପ୍ରକାର ଧମକ ଚମକ ଦେଇଥିଲା । ଠୁକୁରା ନିଜକୁ ସ୍ଥାନୀୟ ଅଞ୍ଚଳର ଡନ୍ ବୋଲି ପରିଚୟ ଦେଇ ଦାଦାବଟି ମାଗିଥିଲା ।

ଦାଦାବଟି ନଦେଲେ ସମ୍ପୂର୍ଣ୍ଣ ଘର କାମ ତିଆରି କରିବାକୁ ଠିକା ଦିଅନ୍ତୁ ବୋଲି ଦାବି କରିଥିଲା । ହେଲେ ପତିତପାବନ ରୋକଠୋକ୍ ମନା କରିଦେଇଥିଲେ । ଏଥିରେ ଠୁକୁରା ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ମୁଥ ଓ ଗୋଇଠା ମାରିଥିଲା । ଯାହାଫଳରେ ପତିତପାବନଙ୍କ ଶରୀରରେ ଆଘାତ ଲାଗିଥିଲା । ଏହାପରେ ଘର କାମ କରିବାକୁ ଠିକା ନେଇଥିବା କ୍ରିଷ୍ଣାବିଲ୍ଡର୍ସ ମାଲିକଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା ।

ଏହି ଘଟଣାର ଲିଖିତ ଅଭିଯୋଗ ପରେ ତମାଣ୍ଡୋ ଥାନା ପୁଲିସ ଚଢଉ କରି ସମ୍ପୃକ୍ତ ଅଭିଯୁକ୍ତକୁ ତା ଘରୁ ଗିରଫ କରିଥିଲା । ଅଭିଯୁକ୍ତ ଠୁକୁରା ଜଣେ କୁଖ୍ୟାତ ଅପରାଧୀ । ତା’ ନାମରେ ୨୦୧୨ମସିହାରେ ମହିଳା ଥାନାରେ ଗୋଟିଏ ଅପରାଧିକ ମାମଲା ଥିବା ବେଳେ, ୨୦୨୦ରୁ ୨୦୨୨ ମସିହା ମଧ୍ୟରେ ତମାଣ୍ଡୋ ଥାନାରେ ୩ଟି ଅପରାଧିକ ମାମଲା ରହିଛି । ତେଣୁ ଠୁକୁରା ବିରୋଧରେ ସିଆର୍‌ପିସି-୧୧୦ରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.