mobile header

ଖଣି ଖନନରେ ଅବିଳମ୍ବେ ରୋକ୍ ଲଗାଇବାକୁ ଦାବି

ଚିତ୍ରକୋଣ୍ଡା: ୩୦/୦୪/୨୦୨୨
ମାଲକାନଗିରି ଜିଲ୍ଲାର ଉପାନ୍ତ ବ୍ଲକ୍ ଚିତ୍ରକୋଣ୍ଡା ଠାରେ ଆଜି ମାଲକାନଗିରି ଜିଲ୍ଲା ଆଦିବାସୀ ସଂଘ ଆନୁକୂଲ୍ୟରେ ଲୋକଶକ୍ତି ଅଭିଯାନ ତରଫରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି । ସଂଗଠନର ସଭାପତି ପ୍ରଫୁଲ୍ଲ ସାମନ୍ତରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରେସ୍ ମିଟ୍ ରେ କତାମାଟେରୁ ଗ୍ରାମରେ ହେବାକୁ ଯାଉଥିବା ଚୂନପଥର ଖନନରେ ସିଧାସଳଖ ସରକାର ଓ ପ୍ରଶାସନ ରୋକ୍ ଲଗାଇବାକୁ ଦାବି କରାଯାଇଛି । ହଜାର ହଜାର ନିରୀହ ଆଦିବାସୀଙ୍କ ବଞ୍ଚିବାର ମେରୁଦଣ୍ଡ ତଥା ଜୀବନ ଜୀବିକା ପାଲଟିଥିବା କତାମାଟେରୁ ଜଙ୍ଗଲରେ ମହୁଲ,କେନ୍ଦୁ,ମର୍ଦ୍ଧ ଭଳି ଅନେକ ଅର୍ଥକରୀ ବୃକ୍ଷ ସମେତ ଅନେକ ଔଷଧୀୟ ଗୁଳ୍ମ ଓ ବୃକ୍ଷଲତା ମଧ୍ୟ ରହିଛି । ଏତଦ୍ ବ୍ୟତୀତ ଜଙ୍ଗଲକୁ ଲାଗି ପ୍ରାୟ ୧୬ଟି ଗ୍ରାମ ବର୍ତ୍ତମାନ ଖଣି ଖନନ ଦ୍ଵାରା ବାୟୁ ପ୍ରଦୂଷଣ,ଜଳ ପ୍ରଦୂଷଣ ତଥା ଶବ୍ଦ ପ୍ରଦୂଷଣ ସର୍ବୋପରି ପ୍ରାକୃତିକ ବିପର୍ଯ୍ୟୟର ସିଧାସଳଖ ଶିକାର ପାଲଟିବେ ବୋଲି ସଂଗଠନର ସଭାପତି ଆରୋପ ଆଣିଛନ୍ତି। ଅନ୍ୟପକ୍ଷରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କାରଣରୁ ପେସା ଓ ଜଙ୍ଗଲ ଅଧିକାର ଆଇନକୁ ଉଲ୍ଲଙ୍ଘନ କରି ଗ୍ରାମସଭାର ବିନା ସହମତିରେ ପ୍ରଶାସନର ଏଭଳି ଦାୟିତ୍ବହୀନତାକୁ ତୀବ୍ର ସମାଲୋଚନା କରାଯାଇଛି । ଜଙ୍ଗଲ ଅଧିକାର ଆଇନର ସଫଳ ରୂପାୟନ ହୋଇନଥିବା ପରିପ୍ରେକ୍ଷୀରେ ଏଯାବତ୍ ସ୍ଥାନୀୟ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ଦିଆଯାଇ ପାରି ନାହିଁ । ଏଣୁ ପ୍ରଥମେ ପ୍ରତ୍ୟେକ ଗାଁର ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଉ,ଦ୍ଵିତୀୟରେ ଗ୍ରାମସଭାର ସମ୍ମତି ନିମନ୍ତେ ଗ୍ରାମସଭା କରାଯାଉ, ତୃତୀୟରେ ଡାଲମିଆ କମ୍ପାନୀକୁ ଦିଆଯାଇଥିବା ବେଆଇନ ଓ ଅସାମ୍ବିଧାନିକ ଖଣି ଲିଜ ପ୍ରତ୍ୟାହାର କରି ଉକ୍ତ ସ୍ଥାନରେ ଜଙ୍ଗଲ ଜାତ ଦ୍ରବ୍ଯ ଗୁଡିକର ପ୍ରକ୍ରିୟାକରଣ ନିମନ୍ତେ କ୍ଷୁଦ୍ର ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କରାଯାଉ ବୋଲି ଲୋକଶକ୍ତି ଅଭିଯାନ ତରଫରୁ ଦାବୀ ଉପସ୍ଥାପନା କରାଯାଇଛି ।

Leave A Reply

Your email address will not be published.