mobile header

ଦୂତି, ସ୍ବାଧୀନଙ୍କୁ ରୌପ୍ୟ ପଦକ

ବେଙ୍ଗାଲୁରୁରେ ଆୟୋଜିତ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ମହିଳା ୨୦୦ ମିଟର ଦୌଡ଼ରେ ଓଡ଼ିଶା ଦୂତି ଚାନ୍ଦ ଓ ପୁରୁଷ ହାଇଜମ୍ପରେ ସ୍ବାଧୀନ ମାଝୀ ରୌପ୍ୟ ପଦକ ଜିତିଛନ୍ତି। ଭାରତର ଶୀର୍ଷ ଧାବିକା ଦୂତି ୨୦୦ ମିଟରରେ ସ୍ବର୍ଣ୍ଣ ପଦକ ଜିତିବେ ବୋଲି ଆଶା ଥିଲା। କିଟ୍ ବିଶ୍ବବିଦ୍ୟାଳୟକୁ ପ୍ରତିନିଧିତ୍ବ କରୁଥିବା ଦୂତି ୨୦୦ ମିଟର ଦୌଡ଼ ପ୍ରାରମ୍ଭରୁ ଅନ୍ୟ ଧାବିକାଙ୍କଠାରୁ ଆଗୁଆ ରହିଥିଲେ। ତେବେ ୧୦୦ ମିଟର ପରେ ଜୈନ୍‌ ମହାବିଦ୍ୟାଳୟକୁ ପ୍ରତିନିଧିତ୍ବ କରୁଥିବା ପ୍ରିୟା ମୋହନ ଚମତ୍କାର ପ୍ରଦର୍ଶନ କରିବା ସହ ଦୂତିଙ୍କୁ ପଛରେ ପକାଇ ସ୍ବର୍ଣ୍ଣ ପଦକ ଜିତିବାକୁ ସକ୍ଷମ ହୋଇଥିଲେ। ପ୍ରିୟା ମୋହନ ୨୩.୯୦ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ଜିତିଥିବା ଦୂତି ୨୪.୦୨ ସେକେଣ୍ଡ ସମୟ ନେଇ ରୌପ୍ୟ ଜିତିଛନ୍ତି। ରାଞ୍ଚି ବିଶ୍ବବିଦ୍ୟାଳୟର ଫ୍ଲୋରେନ୍‌ସ ବାର୍ଲା ୨୪.୧୩ ସେକେଣ୍ଡ ସହ କାଂସ୍ୟ ପଦକ ହାସଲ କରିଥିଲେ। ଦୂତି ଶନିବାର ଆୟୋଜିତ ୧୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହି କ୍ରୀଡ଼ାରେ ଦୂତି ୨ୟ ପଦକ ହାସଲ କରିଛନ୍ତି। ଅନ୍ୟପକ୍ଷରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ସ୍ବାଧୀନ ମାଝୀ ପୁରୁଷ ହାଇଜମ୍ପରେ ରୌପ୍ୟ ପଦକ ଜିତିଛନ୍ତି। ସେ ଓଡ଼ିଶା ରିଲାଏନ୍‌ସ ଫାଉଣ୍ଡେସନ୍‌ ଦୌଡ଼କୁଦ ହାଇପର୍ଫମାନ୍‌ସ କେନ୍ଦ୍ରରେ ତାଲିମ ନେଉଛନ୍ତି।

Leave A Reply

Your email address will not be published.