mobile header

କଳାହାଣ୍ଡି, କୋରାପୁଟ ଜିଲ୍ଲାରୁ ପାଠ ଛାଡିଛନ୍ତି ସର୍ବାଧିକ ପିଲା

ପ୍ରଥମେ ମାଟ୍ରିକ୍‌ ଫର୍ମ ପୂରଣ କରି ପରୀକ୍ଷା ନ ଦେବା ଓ ଏବେ ୧ ଲକ୍ଷ ୪ ହଜାର ୨୭୨ ପିଲା ରାଜ୍ୟରେ ଅଧାରୁ ପାଠ ଛାଡ଼ିବା ଭଳି ଉଦ୍‌ବେଗଜନକ ତଥ୍ୟ ପଦାକୁ ଆସିଛି । ଏଥିରେ ୧୬-୧୮ ବର୍ଷୀୟ ପିଲା ଅଧିକ ଅଛନ୍ତି । ଏତେ ସଂଖ୍ୟକ ପିଲା ଅଧାରୁ ପାଠପଢ଼ା ଛାଡ଼ିବାରୁ ରାଜ୍ୟ ସରକାର ଶିକ୍ଷାର ପ୍ରଚାର ପ୍ରସାର ବାବଦରେ ନେଇଥିବା ପଦକ୍ଷେପ ଫେଲ୍‌ ମାରିଥିବା ସ୍ପଷ୍ଟ ପ୍ରମାଣିତ ହୋଇଛି ।

ରାଜ୍ୟ ସରକାର ପିଲାଙ୍କୁ ପାଠପଢ଼ା ପ୍ରତି ଆକୃଷ୍ଟ କରିବାକୁ ସ୍କୁଲଗୁଡ଼ିକୁ ଚକାଚକ୍‌ କରୁଛନ୍ତି । ଶିକ୍ଷାରେ ଯୋଜନା ପରେ ଯୋଜନା ହୋଇ ଚାଲିଛି । ତଥାପି ଏତେ ସଂଖ୍ୟକ ଛାତ୍ରଛାତ୍ରୀ କାହିଁକି ପାଠ ଛାଡ଼ିଛନ୍ତି ତାହା ଏବେ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ୨୦୨୧ରେ ହୋଇଥିବା ଘରୋଇ ସର୍ଭେ (ହାଉସ୍‌ ହୋଲ୍ଡ ସର୍ଭେ)ରେ ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କ ତଥ୍ୟ ମିଳିଛି ।

୬ରୁ ୧୮ ବର୍ଷ ବୟସର ୧ ଲକ୍ଷ ୪ ହଜାର ୨୭୨ ପିଲା ଆଉ ପାଠ ପଢୁନାହାନ୍ତି ବୋଲି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି । ଏଥିରେ ୬ରୁ ୧୦ ବର୍ଷ ବୟସର ପିଲା ଅଛନ୍ତି ୩ ହଜାର ୨୪ ଜଣ । ସେହିପରି ୧୧ରୁ ୧୩ ବର୍ଷ ବୟସରେ ଅଛନ୍ତି ୯୯୧୫ ଜଣ ପିଲା । ୧୪-୧୫ ବର୍ଷର ୨୫ ହଜାର ୪୨୯ ଜଣ ପିଲା ଅଧାରୁ ପାଠ ଛାଡ଼ିଥିବାବେଳେ ୧୬-୧୮ ବର୍ଷ ବୟସର ସର୍ବାଧିକ ୬୫ ହଜାର ୯୦୪ ଜଣ ଛାତ୍ରଛାତ୍ରୀ ଆଉ ପାଠ ପଢୁନାହାନ୍ତି ।

କଳାହାଣ୍ଡିରୁ ୧୩,୯୮୧ ଓ କୋରାପୁଟରୁ ୧୩,୩୧୯ ଛାତ୍ରଛାତ୍ରୀ ସ୍କୁଲ ଯାଉନାହାନ୍ତି । ସେହିପରି ଅନୁଗୁଳରେ ୩୮୯୭, ବାଲେଶ୍ୱରରେ ୨୩୮୯, ବରଗଡ଼ରେ ୪୧୦୯, ଭଦ୍ରକରେ ୨୭୫୬, ବଲାଙ୍ଗୀରରେ ୩୧୨୩, ବୌଦ୍ଧରେ ୧୦୩୦, କଟକରେ ୧୧୪୦, ଦେବଗଡ଼ରେ ୧୫୪୪, ଢେଙ୍କାନାଳରେ ୩୭୦୬, ଗଜପତି ୧୨୨୫, ଗଞ୍ଜାମ ୩୫୯୧, ଜଗତସିଂହପୁର ୧୫୧୨, ଯାଜପୁର ୭୧୫, ଝାରସୁଗୁଡ଼ା ୭୧୯, କନ୍ଧମାଳ ୨୫୨୫, କେନ୍ଦ୍ରାପଡ଼ା ୨୦୦, କେନ୍ଦୁଝର ୫୧୬୯, ଖୋର୍ଦ୍ଧା ୨୬୩୨, ମାଲକାନଗିରି ୭୧୨୮, ମୟୂରଭଞ୍ଜ ୧୦୬୮, ନବରଙ୍ଗପୁର ୪୬୬୪, ନୟାଗଡ଼ ୧୬୦୦, ନୂଆପଡ଼ା ୩୭୨୧, ପୁରୀ ୮୪୧, ରାୟଗଡ଼ା ୬୩୮୯, ସମ୍ବଲପୁର ୩୪୦, ସୋନପୁର ୨୬୮୭ ଓ ସୁନ୍ଦରଗଡ଼ ଜିଲ୍ଲାରେ ୬୫୫୧ ଜଣ ଛାତ୍ରଛାତ୍ରୀ ଆଉ ପାଠ ପଢୁନାହାନ୍ତି ।

ଝିଅଙ୍କ ଅପେକ୍ଷା ପୁଅଙ୍କ ସଂଖ୍ୟା ଅଧିକ ରହିଛି । ଅଧାରୁ ପାଠ ଛାଡ଼ିଥିବା ଏସବୁ ପିଲାମାନେ କିଭଳି ପାଠ ପଢ଼ିବେ ସେନେଇ ଚିନ୍ତା ପ୍ରକଟ କରିଛନ୍ତି ଶିକ୍ଷାବିତ୍‌ । ଶିକ୍ଷାବିତ୍‌ଙ୍କ କହିବା କଥା ହେଲା, କରୋନା ପାଇଁ ସ୍କୁଲ ବନ୍ଦ ରହିବାରୁ ଅଧିକାଂଶ ପିଲା ଆଉ ସ୍କୁଲ ଗଲେନି ।

ସେମାନେ ପାଠପଢ଼ା ଅଧାରୁ ବନ୍ଦ କରିଦେଲେ । ବହୁ ପିଲା ଏବେ ଶିଶୁ ଶ୍ରମିକ ହୋଇ କାମ କରୁଛନ୍ତି । ତେଣୁ ଏହି ପିଲାମାନେ ଏବେ କେଉଁଠି ଅଛନ୍ତି, କ’ଣ କରୁଛନ୍ତି ଏସବୁକୁ ବିଭାଗ ପକ୍ଷରୁ ଖୋଜାଯାଉ । ତୁରନ୍ତ ଏହି ପିଲାମାନେ ପୁଣି କିଭଳି ସ୍କୁଲ ଆସି ପାଠ ପଢ଼ିବେ ସେହି ବ୍ୟବସ୍ଥା କରାଯାଉ ବୋଲି ଶିକ୍ଷାବିତ୍‌ମାନେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.