
ନୟାଗଡ଼ : ଜିଲ୍ଲାପାଳଙ୍କ ସଦ୍ ଭାବନା ସଭାଗୃହରେ ଅନୁସୂଚୀତ ଜାତି ଓ ଜନଜାତି ବିଭାଗ ଆନୁକୂଲ୍ୟରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାର ଜିଲ୍ଲାସ୍ତରୀୟ ସମ୍ମିଳିତ କମିଟି ବୈଠକ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ପ୍ରଥମେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ସଭା କାର୍ଯ୍ୟ ଆରମ୍ଭ କରିବା ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନୟାଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୫ଗୋଟି ଗ୍ରାମକୁ ୨୦୧୧ ଜନଗଣନା ଅନୁସାରେ ଯେଉଁ ଗ୍ରାମର ଜନସଂଖ୍ୟା ୫୦୦ଅଧିକ ହୋଇଥିବ ଏବଂ ଅର୍ଦ୍ଧାଧିକ ଲୋକ ଅନୁସୂଚୀତ ଜନଜାତିର ହୋଇଥିବେ ସେହି ସବୁ ଗ୍ରାମକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ପାଇଁ ସରକାରଙ୍କ ନିୟମ ଅନୁଯାୟୀ ବଛାଯାଇଅଛି । ଏହି ଗ୍ରାମଗୁଡ଼ିକରେ ବାସ କରୁଥିବା ଲୋକମାନଙ୍କର ପାନୀୟଜଳ ଓ ପରିମଳ, ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା, ଗୃହ ଓ ଗ୍ରାମ୍ୟରାସ୍ତା , ବିଦ୍ୟୁତ୍ ଓ ସ୍ୱଚ୍ଛ ଇନ୍ଧନ, କୃଷି,ଅର୍ଥ, ଦୂରସଂଚାର, ଜୀବିକା ଓ ଉନ୍ନତ କୌଶଳର ଉତ୍ଥାନ ନିମନ୍ତେ ୪୦ଲକ୍ଷ ଟଙ୍କାର ଆର୍ଥିକ ସାହାଯ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ମ୍ୟାଚିଙ୍ଗ୍ ସ୍କିମରେ ଦିଆଯାଇଥାଏ । ଉପରୋକ୍ତ ୧୦ଟି ମୌଳିକ ସେବାର ବିକାଶକୁ ଲକ୍ଷ୍ୟ କରି ଗ୍ରାମଗୁଡ଼ିକୁ ମାନ୍ୟତା ପ୍ରଦାନ କରାଯାଇଥାଏ । ଗ୍ରାମଗୁଡ଼ିକର ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ଉକ୍ତ ଅର୍ଥକୁ ଖର୍ଚ୍ଚ କରିବା ପାଇଁ ଗ୍ରାମ୍ୟସ୍ତରରେ ସମ୍ମିଳିତ କମିଟି ଗଠନ କରାଯାଇ ଏହାର ନିଷ୍ପତି ଅନୁସାରେ ଖର୍ଚ୍ଚ କରିବା ପାଇଁ ଜିଲ୍ଲାପାଳ ଗୁରୁତ୍ୱ ଆରୋପ କରିଥିଲେ । ପ୍ରତ୍ୟେକ ଗ୍ରାମରେ ଆବର୍ଜନା ପିଟ୍ (ଖାଲ) କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ଏହି ଟଙ୍କାର ବିନିଯୋଗର ତଦାରଖ ନିମନ୍ତେ କେନ୍ଦ୍ରୀୟ ଦଳ ବିଭିନ୍ନ ଅଂଚଳ ଅତର୍କିତ ପରିଦର୍ଶନ କରିପାରନ୍ତି । ତେଣୁ ସମସ୍ତେ ସତର୍କ ରହିବା ଜରୁରୀ । ଶେଷରେ ଜିଲ୍ଲା ମଙ୍ଗଳ ଅଧିକାରୀ ଧନ୍ୟବାଦ ପ୍ରଦାନ କରିବା ସହ ସଭା ସାଙ୍ଗ କରାଯାଇଥିଲା ।