mobile header

ମିଳିଲାନି ରାଜ୍ୟସଭା ଟିକଟ, ନବରଙ୍ଗପୁରବାସୀ ନିରାଶ

ବରିଷ୍ଠ ଆଦିବାସୀ ନେତା ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ ମିଳିଲାନି ରାଜ୍ୟସଭା ସାଂସଦ ଟିକଟ। ଫଳରେ ନବରଙ୍ଗପୁରଜିଲାବାସୀ ନିରାଶ ହୋଇଛନ୍ତି। ପ୍ରଦୀପ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପଦ ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ତାଙ୍କୁ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ପଦ ଦିଆଯାଇଛି। ତେବେ ସମସ୍ତଙ୍କର ଆଶା ଥିଲା ଯେ, ଏଥର ପ୍ରଦୀପଙ୍କୁ ରାଜ୍ୟସଭା ସାଂସଦ ପଦଟିଏ ମିଳିବ। ରାୟଗଡ଼ାର ଏ.ଭାସ୍କର ରାଓଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ନିଶ୍ଚିତ ଭାବରେ ତାଙ୍କର ପଦବୀ ଅବିଭକ୍ତ କୋରାପୁଟ ଜିଲାର ଜଣେ ନେତା ଭାଗରେ ପଡ଼ିବ ବୋଲି ସମସ୍ତଙ୍କର ଧାରଣା ରହିଥିଲା। ତେବେ ଏହି କ୍ରମରେ ଟାଣୁଆ ନେତା ପ୍ରଦୀପ ମାଝୀ ସର୍ବାଗ୍ରେ ରହିଥିବା ସାଧାରଣରେ ଚର୍ଚ୍ଚା ହୋଇଥିଲା।

ତେବେ ଆଜିର ଘୋଷଣାରେ ସମସ୍ତଙ୍କର ଆଶା ନିରାଶାରେ ପରିଣତ ହୋଇଛି। ଅବିଭକ୍ତ କୋରାପୁଟ ଜିଲାରୁ କାହାକୁ ମଧ୍ୟ ଏହି ପଦବୀ ମିଳିନାହିଁ। ତେବେ ବହୁ ଆଶାକରି କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିବା ପ୍ରଦୀପଙ୍କୁ ବିଜେଡି ଦଳ ପକ୍ଷରୁ ଧକ୍ମା ହୋଇଥିବା ନେଇ ଆଲୋଚନା ହେଉଛି। ସବୁଠାରୁ ପଛୁଆ ଅଞ୍ଚଳରୁ ରାଜ୍ୟସଭା ସାଂସଦ ଭାବେ ପ୍ରଦୀପ ବାବୁ ଯାଇଥିଲେ ଏହ ଅଞ୍ଚଳର ବିକାଶ ହୋଇ ପାରିଥାନ୍ତା। ବିଶେଷ କରି କେନ୍ଦ୍ର ସରକାରଙ୍କର ଦ୍ୱାରା କରାଯାଉଥିବା ବହୁ ଯୋଜନାର କାର୍ଯ୍ୟ ତ୍ୱରାନ୍ୱିତ ହୋଇ ପାରିଥାନ୍ତା ବୋଲି ମତପ୍ରକାଶ ପାଇଛି। ଏଡାଛଡା ଏହି ଅଞ୍ଚଳର ବହୁ ସମସ୍ୟା ଉଠାଇ ସରକାରଙ୍କର ଦୃଷ୍ଟି ଆକର୍ଷଣ କରି ପାରିଥାନ୍ତେ। ତେବେ ପଛଆ ଅଞ୍ଚଳର ଆଦିବାସୀ ନେତା ପ୍ରଦୀପଙ୍କୁ ଏହିପଦବୀ ନମିଳିବା ନେଇ ତାଙ୍କର ସମର୍ଥକଙ୍କର ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଏପରିକି ଅବିଭକ୍ତ କୋରାପୁଟ ଜିଲାର ଅନ୍ୟତମ ଟାଣୁଆ ଓ ବର୍ଷିୟାନ ନେତା ଉମରକୋଟର ଜୟଦେବ ପରିଡ଼ା ମଧ୍ୟ ଆଶାୟୀ ରହିଥିବା ବେଳେ ତାଙ୍କୁ ମଧ୍ୟ ନିରାଶା ହେବାକୁ ପଡ଼ିଛି। ସେ ମଧ୍ୟ ଦୀର୍ଘ ବର୍ଷ ଧରି ଅଣକଂଗ୍ରେସ ରାଜନୀତି କରି ବିଜୁ ପଟ୍ଟନାୟକଙ୍କ ସମୟରୁ ଜନତାଦଳ ଓ ପରେ ବିଜେଡିରେ ରହି ସଂଗଠନ କାମ କରିଆସୁଛନ୍ତି। ସେ କୌଣସି ପଦପଦବୀ ପାଇନଥିବା ବେଳେ ଏଥର ସେ ମଧ୍ୟ ରାଜ୍ୟସଭାକୁ ଯିବେ ବୋଲି ଆଲୋଚନା ହୋଇଥିଲା। ତେବେ ତାହା ମଧ୍ୟ ସଫଳ ହୋଇ ପାରିଲା ନାହିଁ। ଜିଲା ବିଜୁ ଜନତା ଦଳରେ ଗୋଚ୍ଛି କଟାକଟି ରାଜନୀତି ମଧ୍ୟ ଟିକଟ ନମିଳିବାର ଅନ୍ୟତମ କାରଣ ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.