mobile header

ବଦଳୁନି ନଗଡାର ଚିତ୍ର : ପୁଣି ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କଲେ ମାନବାଧିକାର କମିଶନ

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ବହୁ ଚର୍ଚ୍ଚିତ ନଗଡା ଗାଁରେ ବିକାଶ ଅପହଂଚ । 2016 ରେ 19 ଜଣ ଜୁଆଙ୍ଗ ଶିଶୁଙ୍କ ମତ୍ୟୁପରେ ରାଜ୍ୟ ଓ ଜାତୀୟଗଣମାଧ୍ୟମରେ ଶିରୋନାମାରେ ଆସିଥିଲା ଏହି ଅଖ୍ୟାତ ପଲ୍ଲୀ । ଏହାକୁ ନେଇ ସେତେବେଳେ ରାଜ୍ୟ ସରକାର ତରବରିଆ ଭାବେ ସେଠାକାର ବିକାଶ ପାଇଁ ଅଣ୍ଟା ଭିଡିଥିଲେ । କିଛି କାମ ମଧ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ପାଂଚ ବର୍ଷ ପରେ ମଧ୍ୟ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ଜୀବନରେ କୌଣସି ଉନ୍ନତି ହୋଇନଥିବାରୁ ଜାତୀୟ ମାନବିକ ଅଧିକାର କମିଶନ ଚିନ୍ତା ବ୍ୟକ୍ତ କରିବା ସହ ଏହା ଉପରେ ରିପୋର୍ଟ ଦେବା ପାଇଁ ଯାଜପୁର ଜିଲ୍ଲାପାଳଙ୍କୁ ନୋଟିସ୍ ଜାରି କରିଛନ୍ତି । ମାନବିକ ଅଧିକାର କର୍ମୀ ଶ୍ରୀ ଅଖଣ୍ଡଙ୍କ ପିଟିସନ୍ ଉପରେ ବିଚାର କରି କମିଶନ 4 ସପ୍ତାହ ମଧ୍ୟରେ ସବିଶେଷ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଆବେଦନକାରୀ ଅଭିଯୋଗ କରିଥିଲେ ଯେ ଏବେ ବି ନଗଡାରେ ଶିଶୁମାନେ ଅପପୁଷ୍ଟିର ଶିକାର ହୋଇଥିବା ଦେଖିବାକୁ ମିଳୁଛି । ଅନେକ ପିଲା ସ୍କୁଲ ମାଡୁନାହାନ୍ତି । ଅଙ୍ଗନବାଡି କେନ୍ଦ୍ର ଓ ସ୍କୁଲ ଠିକ୍ ଭାବେ କାମ କରୁନାହିଁ । ସେଠାକାର ଅଧିବାସୀ ଏବେ ବି ଭାତ ଓ ଲୁଣକୁ ହିଁ ସେମାନଙ୍କର ମୁଖ୍ୟ ଖାଦ୍ୟଭାବେ ଖାଉଛନ୍ତି । ବାଲ୍ୟ ବିବାହ ଏଠାରେ ଏକ ସ୍ୱାଭାବିକ ପ୍ରଥା ଭାବେ ରହିଆସିଛି । ପ୍ରଶାସନିକ ଅଧିକାରୀମାନେ ଏହି ଦୁର୍ଗମ ଗାଁକୁ ଯାଉନଥିବାରୁ ସେମାନେ ସେହିପରି ଆଦିମ ସଭ୍ୟତାର ଅଧିବାସୀ ଭାବେ ରହି ଆସୁଛନ୍ତି । ଶୁଦ୍ଧ ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା ସୁଧାରିବାରେ ପ୍ରଶାସନ ଫେଲ୍ ମାରିଛି । ତିଆରି ହୋଇଥିବା ରାସ୍ତାର ଅବସ୍ଥା ମଧ୍ୟ ଠିକ୍ ନାହିଁ । ଏନଆରଜିଏରେ ଲୋକଙ୍କୁ କାମ ମିଳିପାରୁନାହିଁ । ସେମାନଙ୍କ ବିକାଶ ପାଇଁ ଆସିଥିବା କୋଟି କୋଟି ଟଙ୍କା ତୋଷରପାତ ହୋଇଥିବା ନେଇ ଏବେ ବି ଲୋକାୟୁକ୍ତରେ ମାମଲା ଚାଲିଛି । ନଗଡାକୁ ନେଇ ଆଗରୁ ମଧ୍ୟ ଶ୍ରୀ ଅଖଣ୍ଡଙ୍କ ପକ୍ଷରୁ ଏନଏଚଆରସି ଆଗରୁ ଦୁଇଟି ମାମଲା ହୋଇଥିଲା ଏବଂ ସରକାରଙ୍କୁ ନୋଟିସ୍ ହୋଇଥିଲା । କାମ କରିବାର ପ୍ରତିଶ୍ରୁତି ଦେଇ ପ୍ରଶାସନ ଏହି ଦୁଇ ମାମଲାରୁ ଖସି ଯାଇଥିଲା । ଏବେ ପୁଣି ଥରେ ଜିଲ୍ଲାପାଳଙ୍କୁ ନୋଟିସ୍ ଜାରି ହୋଇଛି । କମିଶନଙ୍କ ତଦନ୍ତ ଟିମ୍ କିମ୍ବା ସ୍ୱତନ୍ତ୍ର ରାପୋର୍ଟିୟର୍ ଙ୍କ ଦ୍ୱାରା ନଗଡାର ସ୍ଥିତି ସମ୍ପର୍କରେ ଅନୁସନ୍ଧାନ କରିବାକୁ ଅଖଣ୍ଡ କମିଶନଙ୍କୁ ନିବେଦନ କରିଥିଲେ । ସେହିପରି ସେଠାକାର ବିକାଶ ପାଇଁ ଏକ ମନିଟରିଂ କମିଟି ଗଢିବା ଲାଗି ନିର୍ଦ୍ଦେଶ ଦେବାକୁ ମଧ୍ୟ ସେ କମିଶନଙ୍କ ନିକଟରେ ଜଣାଇଛନ୍ତି ।

Leave A Reply

Your email address will not be published.