mobile header

ସମ୍ବଲପୁର ଆଇଆଇଏମ ଓଡ଼ିଶାକୁ ମ୍ୟାନେଜମେଣ୍ଟ ଦୁନିଆରେ ନୂଆ ପରିଚୟ ଦେବ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ କେନ୍ଦ୍ର ବିଜେପି ସରକାରଙ୍କ ୮ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ପ୍ରଥମେ ମନ୍ତ୍ରୀ ଶ୍ରୀ ପ୍ରଧାନ ବସନ୍ତପୁର ସ୍ଥିତ ଆଇଆଇଏମର ନିର୍ମାଣାଧୀନ ନୂତନ ସ୍ଥାୟୀ କ୍ୟାମ୍ପସ ପରିଦର୍ଶନ କରିବା ସହ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଆଲୋଚନା କରିଥିଲେ। ବିକାଶର ତୀର୍ଥ ଭଳି ନିର୍ମାଣ ହେଉଥିବା ଏହି ନୂତନ କ୍ୟାମ୍ପସ ରାଜ୍ୟ ଓ ଦେଶର ଛାତ୍ରଛାତ୍ରୀ ମାନଙ୍କ ଆକାଂକ୍ଷାକୁ ପୂରଣ କରିବ। ଯୁବଶକ୍ତିର ସାମର୍ଥ୍ୟକୁ ଅଧିକ ମଜବୁତ୍ କରିବା ସହ ଓଡ଼ିଶାକୁ ମ୍ୟାନେଜମେଣ୍ଟ ଦୁନିଆରେ ନୂଆ ପରିଚୟ ଦେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଓଡ଼ିଶା ଏବଂ ସମ୍ବଲପୁରର ମହାନ ସଂସ୍କୃତି ଓ ଐତିହ୍ୟ ଅନୁସାରେ କ୍ୟାମ୍ପସକୁ ବିକଶିତ କରିବା ଏବଂ ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁସାରେ ସମ୍ବଲପୁର ଜିଲ୍ଲାର କୃଷି ଏବଂ ଶିଳ୍ପ ଅର୍ଥନୀତିର ସମ୍ଭାବନାକୁ ବୁଝିବା ପାଇଁ ଜିଲ୍ଲା ପ୍ରଶାସନ ଓ ପ୍ରାଧ୍ୟାପକଙ୍କୁ ପରାମର୍ଶ ପରାମର୍ଶ ଦେଇଛନ୍ତି।

ସେହିପରି ଆଜି ବିଶ୍ୱ ପରିବେଶ ଦିବସ ଅବସରରେ କ୍ୟାମ୍ପସ ପରିସରରେ ବୃକ୍ଷଚାରା ରୋପଣ କରିବା ସହ ପ୍ରାଧ୍ୟାପକ ମାନଙ୍କୁ ଚାରା ବଣ୍ଟନ କରିଥିଲେ । କ୍ୟାମ୍ପସକୁ ସବୁଜ ସୁନ୍ଦର ରଖିବା ପାଇଁ ଏଠାରେ ବ୍ୟାପକ ବୃକ୍ଷରୋପଣ କରିବାର ଦାୟିତ୍ୱ ନେବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି।

ପରେ ଶ୍ରୀ ପ୍ରଧାନ ଚିପିଲିମା ସ୍ଥିତ ଗୋଶାଳା ସୈନିକ ସ୍କୁଲ ପରିଦର୍ଶନ କରିଥିଲେ । ଜୁଜୁମୁରାଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ୮ ବର୍ଷ ସେବାର ପୂର୍ତ୍ତି ଓ ଗରିବ କଲ୍ୟାଣ ଯୋଜନା ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦବୋଧନ ଦେଇଥିଲେ । ଆସନ୍ତା ଏକ ବର୍ଷ ସୁଦ୍ଧା ପ୍ରତି ଗାଁରେ ମୋବାଇଲ ଟାୱାର ଓ ଇଣ୍ଟରନେଟ୍‍ ସୁବିଧା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.