
ମାଲକାନଗିରି,୧୫/୬: ମାଲକାନଗିରି ବ୍ଲକ ଅନ୍ତର୍ଗତ କାମଵେଡା ପଞ୍ଚାୟତର ଉନ୍ନତି ଓ ବନ୍ୟ ଜୀବଜନ୍ତୁଙ୍କ ଜୀବନଜୀବିକା ନିମନ୍ତେ ସଂରକ୍ଷିତ ରହିଥିବା ସ୍ଥାନରେ ଅବୈଧ ଉପାସନା ଗୃହ ନିର୍ମାଣ କରାଯାଉଥିବାରୁ ଏହାକୁ ବିରୋଧ କରି ସରପଞ୍ଚ ରମାକାନ୍ତ ମାଡକାମୀଙ୍କ ନେତୃତ୍ବରେ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।ସେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଆମ ଅଂଚଳର ଲୋକେ ଖ୍ରୀଷ୍ଟିଆନ ନୁହନ୍ତି।ଯେହେତୁ ଅନ୍ୟ ଧର୍ମର ଲୋକ ଆମ ଅଂଚଳରେ ନାହାନ୍ତି ଏଣୁ ଆମ ପଞ୍ଚାୟତରେ କୌଣସି ଧର୍ମାନୁଷ୍ଠାନ ନିର୍ମାଣ ହେବା ଦରକାର ନାହିଁ ବୋଲି ଦାବି କରିଛନ୍ତି।ଯଦି ଆମ ପଞ୍ଚାୟତରେ କେହି ଧର୍ମ ବଦଳାଇଛନ୍ତି ଏବଂ ଏଠାରେ ସେମାନେ ଉପାସନା ନିମନ୍ତେ ଗୃହ ନିର୍ମାଣ କରିବାକୁ ଚାହୁଁଛନ୍ତି ତେବେ ଆମେ ସ୍ବାଗତ କରିବୁ।କିନ୍ତୁ ଅନ୍ୟ ସ୍ଥାନରୁ ଆସି ଏଠାରେ ଉପାସନା ଗୃହ ନିର୍ମଣକରିବାକୁ ଦେବୁ ନାହିଁ ବୋଲି ସରପଞ୍ଚ ଯୁକ୍ତି ବାଢିଛନ୍ତି।ଆମେ କୋୟା ଆଦିବାସୀ ଲୋକେ ଗାଈକୁ ମାଆ ବୋଲି ପୂଜା କରିବା ସହ ତାକୁ ସମ୍ମାନ ଦେଉ।କିନ୍ତୁ ଆମ ଅଂଚଳର କିଛି ଲୋକ ଗାଈକୁ ମାରି ତାର ମାଂସ ଭୋଜି କରି ଖାଇଛନ୍ତି।ଏହାଦ୍ବାରା ଆମ ସଂସ୍କୃତି ଏବଂ ପରଂପରା ନଷ୍ଟ ହୋଇଛି।ଗୋ ହତ୍ୟା ଆଇନଗତ ଅପରାଧ।ଗୋ ରକ୍ତ ମାଟିରେ ପଡିବା ଦ୍ବାରା ଆମର ସଂସ୍କୃତିର ପବିତ୍ର ସ୍ଥାନଗୁଡିକ ଅପବିତ୍ର ହୋଇଗଲା।ଆମର ନିତିଦିନଆ ପୂଜା ଏବଂ ଉପାସନା ପରଂପରା ନଷ୍ଟ ହୋଇଛି।ଏଠାରେ ନିର୍ମାଣ ହେଉଥିବା ପ୍ରାର୍ଥନା ଗୃହକୁ ବନ୍ଦ କରାଯାଉ।ମାଲକାନଗିରି ଆଇଆଇସି ମଧ୍ୟ ଗତ ଫେବୃୟାରୀ ମାସରେ ଆସି ଏହାକୁ ବନ୍ଦ କରିବାକୁ ଲୋକମାନଙ୍କୁ ବୁଝାଇଥିଲେ।କିନ୍ତୁ ପରେ ଏହା ପୂନର୍ବାର ଚାଲୁ ହେଲା।ଏହି ସ୍ଥାନ ପଞ୍ଚାୟତ ତରଫରୁ ମୋଡେଲ ପଖୋରୀ ନିମନ୍ତେ ସ୍ଥିର ହୋଇଥିଲା।ଯାହାଫଳରେ ଦିନରେ ଗ୍ରାମବାସୀ ଏବଂ ରାତିରେ ବନ୍ୟଜନ୍ତୁ ଏହି ପାଣିର ବ୍ୟବହାର କରିପାରନ୍ତେ।ତେବେ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରି ପଞ୍ଚାୟତର କେତେ ଜଣ ଧର୍ମ ପରିବର୍ତ୍ତନ କରିଛନ୍ତି ତାହା ଆମକୁ ଜଣାଯାଉ ବୋଲି ସରପଞ୍ଚ ଦାବି କରିଛନ୍ତି।