mobile header

ଗୁଳି ଫୁଟାଇଲେ ସୁନାଚେନ୍ ଲୁଟିନେଲେ

ଖୁଣ୍ଟା – ସ୍ପଷ୍ଟ ଦିବାଲୋକରେ ରାଜ୍ୟ ରାଜପଥରେ ବନ୍ଧୁକ ଖୋଲି ଗୁଳି ଫୁଟାଇଲେ ଏବଂ ମହିଳାଙ୍କ ବେକରୁ ସୁନାଚେନ୍ ସହିତ ମୋବାଇଲ୍‌, ଟଙ୍କା ଲୁଟିନେଲେ ଦୁବୁର୍ତ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ଅଂଚଳରେ । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ମହୁଲଡିହା ଗ୍ରାମର ପୁଷ୍ପିତା ପଣ୍ଡା ଏବଂ ତାଙ୍କ ଝିଅ ପ୍ରାଚୀପ୍ରଭା ପଣ୍ଡା ଝୀଙ୍କପଦା ଅଂଚଳରୁ କାମ ସାରି ସ୍କୁଟି ଯୋଗେ ଘରକୁ ଫେରୁଥିବା ବେଳେ ବାଲେଶ୍ୱର ଗୋଲେଇ ଠାରୁ ମାତ୍ର କେଇ ମିଟର ଦୂରରେ ହଠାତ୍ ଦୁଇ ଜଣ ଦୁବୁର୍ତ ବାଇକରେ ଆସି ଗାଡି ପଛରେ ବସିଥିବା ପୁଷ୍ପିତା ପଣ୍ଡାଙ୍କ ବେକରୁ ସୁନାଚେନ୍ ଲୁଟିବାକୁ ଉଦ୍ୟମ କରିଥିଲେ । ଏଥିରେ ଭାରସାମ୍ୟ ହରାଇ ପ୍ରାଚୀପ୍ରଭା ଏବଂ ପୁଷ୍ପିତା ଗାଡିରୁ ଖସି ତଳେ ପଡିଯାଇଥିଲେ । ଜନଗହଳିପୂର୍ଣ୍ଣ ରାସ୍ତାରେ ହଠାତ୍ ଦୁଇ ଜଣ ତଳେ ପଡିବା ପରେ ବାଇକରେ ଥିବା ଦୁଇ ଦୁବୁର୍ତ ବନ୍ଧୁକ ଖୋଲି ଦୁଇ ତିନି ରାଉଣ୍ଡ ଗୁଳି ଚଳାଇବା ସହିତ ମହିଳାଙ୍କ ବେକରୁ ସୁନାଚେନ୍ ଏବଂ ଉଭୟଙ୍କ ପାଖରେ ଥିବା ଦୁଇ ଗୋଟି ମୋବାଇଲ, ଟଙ୍କା ଲୁଟି ନେଇ ସେଠାରୁ ଚାଲିଯାଇଥିଲେ । ଏହି ଆକ୍ରମଣରେ ସ୍କୁଟି ଚଳାଉଥିବା ପୁଷ୍ପିତାଙ୍କ ଝିଅ ପ୍ରାଚୀପ୍ରଭା ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ତାଙ୍କ ଗୋଡ ଭାଙ୍ଗିବା ସହିତ ମୁଣ୍ଡରେ ଗଭୀର କ୍ଷତ ଲାଗିଛି । ଖବର ପାଇ କପ୍ତିପଦା ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ସ୍ପଷ୍ଟ ଦିବାଲୋକରେ ଏଭଳି ଲୁଟ୍ କରି ଲୁଟେରାମାନେ କପ୍ତିପଦା ପୋଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ।

Leave A Reply

Your email address will not be published.