ମାଲକାନଗିରି,୨୦/୬: ମାଲକାନଗିରି ଥାନା ଅନ୍ତର୍ଗତ ପଦ୍ମଗିରି ଠାରେ ବିଦେଶୀ ମଦ ବିକ୍ରି ଏବଂ ଦୋକାନ ନଖୋଲିବା ନେଇ ଆଜି ଶତାଧିକ ମହିଳା ଜିଲ୍ଲାପାଳଙ୍କୁ ଭେଟି ଦାବି କରିଛନ୍ତି।ପଦ୍ମଗିରି ଅଂଚଳରେ ବିଦେଶୀ ମଦ ଦୋକାନ ଖୋଲିବା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ପଦ୍ମଗିରି ସରପଞ୍ଚ ସୁନ।ଧର ମାଡକାମୀ,ନାଏବ ସରପଞ୍ଚ ରମିଲା ନାୟକ ସମେତ ଶତାଧିକ ସ୍ଥାନୀୟ ମହିଳା ଆଜି ମାଲକାନଗିରି ପହଞ୍ଚି ଜିଲ୍ଲାପାଳଙ୍କୁ ଭେଟିଥିଲେ।ପଦ୍ମଗିରିରେ କିପରି ଲୋକେ ମଦ ଦୋକାନ ଖୋଲିବାକୁ ରାଜି ହୋଇଛନ୍ତି ବୋଲି ମହିଳାମାନେ ଯୁକ୍ତି ବାଢିଥିଲେ।ଏହି ଅଂଚଳରେ କିଛି ଲୋକ ମଦ ଦୋକାନ ଖୋଲିବା ନେଇ ଲୋକେ ରାଜି ଥିବା ନେଇ ପ୍ରଶାସନକୁ ଅବଗତ କରାଇଥିବା ବେଳେ ମହିଳାମାନେ ଏହାକୁ ତଦନ୍ତ କରାଯାଇ କେଉଁମାନେ ଏଭଳି କାମ କରିଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଉ ବୋଲି ଦାବି କରିଥିଲେ।ଏ ଅଂଚଳରେ ମଦ ବିକ୍ରି ହେଲେ ବିଶେଷକରି ଯୁବଗୋଷ୍ଠୀ ପଥଭ୍ରଷ୍ଟ ହେବା ସହ ପ୍ରତିଦିନ ଘରେ ଗଣ୍ଡଗୋଳ ହେବା ସହ ପିଲାଛୁଆଙ୍କ ଭବିଷ୍ୟତ ନଷ୍ଟ ହେବାର ସମ୍ଭାବନା ରହିଥିବା ମହିଳାମାନେ କହିଥିଲେ।ତେଣୁ ଏହାକୁ ଗୁରୁତ୍ବର ସହ ନେଇ ଏ ଅଂଚଳରେ ମଦ ଦୋକାନ ନଖୋଲିବାକୁ ଦାବି କରାଯାଇଛି।ଯଦି ଜବରଦସ୍ତ ମଦ ଦୋକାନ ଖୋଲାଯାଏ ତେବେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ମହିଳାମାନେ ଚେତାବନୀ ଦେଇଥିଲେ।