ପିଟି ଉଷା, ଇଲୈୟାରାଜାଙ୍କ ସମେତ ରାଜ୍ୟସଭାକୁ ଯିବେ ଏହି ୪ ବିଶିଷ୍ଟ ବ୍ୟକ୍ତି । ଟୁଇଟ୍ କରି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ରାଜ୍ୟସଭାକୁ ଯିବେ ଦୌଡରାଣୀ ପିଟି ଉଷା । ପିଟି ଉଷାଙ୍କ ସହିତ ଫିଲ୍ମ କମ୍ପୋଜର ଓ ସଙ୍ଗୀତକାର ଇଲୈୟାରାଜା, ବୀରେନ୍ଦ୍ର ହେଗଡେ ଓ ବି ବିଜୟେନ୍ଦ୍ର ପ୍ରସାଦ ରାଜ୍ୟସଭା ଯିବାକୁ ମନୋନୀତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ପିଟି ଉଷାଙ୍କ ସମ୍ପର୍କରେ ସୂଚନା ଦେଇ ଲେଖିଛନ୍ତି ଯେ, ପିଟି ଉଷା ଖେଳରେ ଅନେକ ଉପଲବ୍ଧି ହାସଲ କରିଛନ୍ତି । ଗତ କିଛି ବର୍ଷ ଭିତରେ ନୂଆ ଆଥଲେଟ୍ ମାନଙ୍କୁ ମାର୍ଗଦର୍ଶନ ପାଇଁ ସେ ଅନେକ କାମ କରିଛନ୍ତି । ତେଣୁ ରାଜ୍ୟସଭାକୁ ମନୋନୀତ ହୋଇଥିବାରୁ ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସେହିପରି ଫିଲ୍ମ କମ୍ପୋଜର ତଥା ସଙ୍ଗୀତକାର ଇଲୈୟାରାଜାଙ୍କ ବିଷୟରେ ସୂଚନା ଦେଇ ମୋଦୀ ଲେଖିଛନ୍ତି ଯେ, ସେ ପିଢି ପରେ ପଢି ଲୋକଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି । ତାଙ୍କ ଅନେକ ରଚନା ତାଙ୍କ ସୁନ୍ଦର ଭାବନାକୁ ଦର୍ଶାଉଛି । ସେ ଗୋଟିଏ ବିନମ୍ର ପୃଷ୍ଠଭୂମିରୁ ଉଠି ବହୁତ କିଛି ହାସଲ କରିଛନ୍ତି । ତା ସହିତ ସେ ରାଜ୍ୟସଭାକୁ ମନୋନୀତ ହୋଇଥିବାରୁ ମୋଦୀ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ।

ତା ସହିତ ବୀରେନ୍ଦ୍ର ହେଗଡେ ମଧ୍ୟ ରାଜ୍ୟସଭା ଯିବାକୁ ମନୋନୀତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ମଧ୍ୟ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ମୋଦୀ ଲେଖିଛନ୍ତି, ସେ ସାମୁଦାୟିକ ସେବାରେ ସବୁଠୁ ଆଗରେ । ସ୍ୱାସ୍ଥ୍ୟ, ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ତାଙ୍କ କାମକୁ ଦେଖିବାର ସୌଭାଗ୍ୟ ହାସଲ ମୁଁ କରିପାରିଛି । ତେଣୁ ନିଶ୍ଚିତ ଭାବେ ସେ ସଂସଦୀୟ କାର୍ଯ୍ୟକୁ ସମୃଦ୍ଧ କରିବେ ବୋଲି ମୋଦୀ ଲେଖିଛନ୍ତି ।

ଏହି ତିନି ଜଣଙ୍କ ସହିତ ବି ବିଜୟେନ୍ଦ୍ର ପ୍ରସାଦ ମଧ୍ୟ ରାଜ୍ୟସଭାକୁ ଯିବାକୁ ମନୋନୀତ ହୋଇଛନ୍ତି । ତାଙ୍କ ବିଷୟରେ ଲେଖି ପ୍ରଧାନମନ୍ତ୍ରୀ କହିଛନ୍ତି, ସେ ଦର୍ଶକଙ୍କ ସହିତ ରଚନାତ୍ମକ ଦୁନିଆରେ ଯୋଡି ହେଇ ରହିଛନ୍ତି । ତାଙ୍କ ରଚନା ଭାରତର ଗୌରବଶାଳୀ ସଂସ୍କୃତିକୁ ପ୍ରଦର୍ଶିତ କରୁଛି । ତା ସହିତ ବିଶ୍ୱସ୍ତରରେ ମଧ୍ୟ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ବୋଲି ମୋଦୀ ଲେଖିଛନ୍ତି ।

Leave A Reply

Your email address will not be published.