ଅନ୍ତଃରାଜ୍ୟ ଜାଲନୋଟ୍‌ କାରବାର ର଼୍ୟାକେଟ୍‌ର ପର୍ଦ୍ଦାଫାଶ

ବରଗଡ଼ ଜିଲା ପୋଲିସ ସହାୟତାରେ ଗୁରୁବାର ଅନ୍ତଃରାଜ୍ୟ ଜାଲନୋଟ୍‌ କାରବାର ର଼୍ୟାକେଟ୍‌ର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ, ଉତ୍ତରପ୍ରଦେଶ ରାଜ୍ୟ ଗୋରଖପୁର ଜିଲା କେଶରାହ ଥାନା ପରାୱାରୀ ଗ୍ରାମର ମୂଳ ବାସିନ୍ଦା ତଥା ବର୍ତ୍ତମାନ ସମ୍ବଲପୁର ଜିଲା ବୁର୍ଲାଥାନା କଟାପାଲି ନିକଟ ସିକିର୍ଡ଼ି ଗ୍ରାମରେ ରହୁଥିବା ପଟ୍ଟୁ ଯାଦବ(୫୩) ଏବଂ ବରଗଡ଼ ଜିଲା ବରପାଲି ମହତ୍ତମ ପଡ଼ାର ବଲରାମ ମେହେର(୪୫) । ସେମାନଙ୍କ ପାଖରୁ ୧୪ ଲକ୍ଷ ୨୯ ହଜାର ୫୦୦ଟଙ୍କାର ଜାଲ୍‌ନୋଟ୍‌, ୨ଟି ମୋବାଇଲ ଏବଂ ଜାଲନୋଟ୍‌ ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି । ଏ ନେଇ ବରପାଲି ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ଦଫା ୪୮୯(ଏ), ୪୮୯(ବି), ୪୮୯(ସି), ୪୮୦(ଡି), ୧୨୦(ବି) ଆଇପିସିରେ ଏକ ମାମଲା ରୁଜୁ ହୋଇଛି ।ପ୍ରକାଶ ଯେ, ଜାଲନୋଟ୍‌ କାରବାର ନେଇ କୌଣସି ସୂତ୍ରରୁ ସୂଚନା ପାଇଁ ଭୋର୍‌ ୩ଟାରେ ଏସ୍‌ଟିଏଫ ଏବଂ ବରଗଡ଼ ଜିଲା ପୋଲିସ ଚଢାଉ କରି ଅଭିଯୁକ୍ତ ବଲରାମଙ୍କୁ ବରଗଡ଼-ବରପାଲି ମଧ୍ୟରେ ଜାତୀୟ ରାଜପଥ କଡ଼େ ରହିଥିବା ବହିଆପଦର ନିକଟ ଫଲସା ତଲିୟାନ ମନ୍ଦିର ପାଖରୁ ଗିରଫ କରିଥିଲା । ସେତେବେଳେ ବଲରାମଙ୍କ ପାଖରୁ ଏକ ବ୍ୟାଗରେ ୧୨ଲକ୍ଷ ୯୭ ହଜାର ଟଙ୍କା ଜବତ ହୋଇଥିଲା । ତାଙ୍କୁ ଜେରା କରି ଅନ୍ୟ ଅଭିଯୁକ୍ତ ପଟ୍ଟୁଙ୍କୁ ସିକିର୍ଡି ଗ୍ରାମରୁ ଗିରଫ କରାଯାଇଥିଲା । ତାଙ୍କ ପାଖରୁ ୧ଲକ୍ଷ ୩୨ହଜାର ୫୦୦ ଟଙ୍କା ଜାଲ ନୋଟ୍‌ ଜବତ ହୋଇଥିଲା । ସବୁ ଜାଲନୋଟ୍‌ ୫୦୦ ଟଙ୍କିଆ ଥିଲା । ସେହିପରି ବଲରାମଙ୍କଠାରୁ ଜାଲନୋଟ୍‌ ପ୍ରସ୍ତୁତିରେ ବ୍ୟବହୃତ କଲର ପ୍ରିଣ୍ଟର ଆଦି ଜବତ କରାଯାଇଥିଲା ।ଅଭିଯୁକ୍ତ ବଲରାମ ଦୀର୍ଘଦିନରୁ ଜାଲନୋଟ୍‌ କାରବାର ଚଲାଇ ଆସୁଥିଲେ। ଏବଂ ତାଙ୍କ ବିରୋଧରେ ବିଭିନ୍ନ ଥାନାରେ ମାମଲା ରହିଥିବା ପୋଲିସ ସୂଚନା ଦେଇଛି । ଅପରପକ୍ଷେ ଅନ୍ୟ ଅଭିଯୁକ୍ତ ପଟ୍ଟୁ ଉତ୍ତରପ୍ରଦେଶ ରାଜ୍ୟର ମୂଳ ବାସିନ୍ଦା । ଫଳରେ ଏହି କାରବାରର ଚେର ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଥିବା ଅନୁମାନ କରାଯାଉଛି । ପୋଲିସ ଏ ନେଇ ଅଧିକ ତଦନ୍ତ କରୁଛି ।

Leave A Reply

Your email address will not be published.