mobile header

ଦିନକୁ ୯ ଜଣ ଦୁଷ୍କର୍ମର ଶିକାର

ଭୁବନେଶ୍ୱର : ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି କହି ବାଃ ବାଃ ନେଉଥିବା ଓଡ଼ିଶା ପୁଲିସ ଓ ରାଜ୍ୟ ସରକାରଙ୍କ ପାରିବାପଣିଆ ପଦାରେ ପଡ଼ିଛି । ୨୦୨୧ ମସିହାରେ ବର୍ଷ ତମାମ କରୋନା କଟକଣା ସତ୍ତ୍ୱେ ରାଜ୍ୟରେ ଆଖି ଖୋସି ହୋଇଯିବା ଭଳି ଅପରାଧ ବଢ଼ିଛି । ତା’ପୁଣି ସବୁ ବର୍ଗର ଅପରାଧରେ । ୨୦୨୦ ମସିହାରେ ୧ଲକ୍ଷ ୩୪ହଜାର ୨୩୦ଟି ଅପରାଧ ମାମଲା ରୁଜୁ ହୋଇଥିବାବେଳେ ୨୦୨୧ ମସିହାରେ ପ୍ରାୟ ୨୦ହଜାର ଅଧିକ ଅର୍ଥାତ ୧ଲକ୍ଷ ୫୫ହଜାର ୪୨୦ଟି ଅପରାଧ ମାମଲା ବିଭିନ୍ନ ଥାନାରେ ରୁଜୁ ହୋଇଛି ।
ସବୁଠୁ ଉଦବେଗଜନକ ଭାବେ ରାଜ୍ୟରେ ଦୁଷ୍କର୍ମ ମାମଲା ମଧ୍ୟ ବଢ଼ିଛି । ୨୦୨୦ରେ ମୋଟ ୨୯୮୪ଟି ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଥିବାବେଳେ ୨୦୨୧ ମସିହାରେ ୩୩୨୭ଟି ମାମଲା ପଞ୍ଜିକୃତ ହୋଇଛି । ଅର୍ଥାତ ୨୦୨୦ରେ ରାଜ୍ୟରେ ପ୍ରତିଦିନ ହାରାହାରି ୮ଜଣ ମହିଳା ବା ଝିଅ ଦୁଷ୍କର୍ମର ଶିକାର ହେଉଥିବାବେଳେ ୨୦୨୧ ମସିହାରେ ଏହି ସଂଖ୍ୟା ୯ରୁ ଅଧିକ ରହିଥିବା ଜଣାପଡ଼ିଛି ।
ରାଜ୍ୟ ଗୃହ ବିଭାଗ ପ୍ରତିବର୍ଷ ମାର୍ଚ୍ଚ ମାସରେ ନିଜର ଶ୍ୱେତପତ୍ର ପ୍ରକାଶ କରୁଥିଲେ ମଧ୍ୟ ଚଳିତବର୍ଷ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନରେ ବିଳମ୍ବ ଯୋଗୁ ଶ୍ୱେତପତ୍ର ଜାରି କରିନି । ତଥାପି ଗୃହ ବିଭାଗର ତଥ୍ୟ ଅନୁସାରେ, ୨୦୨୧ ମସିହାରେ ମୋଟ ୧ ଲକ୍ଷ ୫୫ହଜାର ୪୨୦ଟି ଅପରାଧ ମାମଲା ରୁଜୁ ହୋଇଥିବାବେଳେ ଏଥିରେ ୩୩୨୭ଟି ଦୁଷ୍କର୍ମ(ବଳାତ୍କାର), ୧୩୯୪ଟି ହତ୍ୟା, ୫୫୨ଟି ଡକାୟତି, ୨୮୨୬ ଲୁଟ, ୫୧୩୩ ଛିନତାଇ, ୧୩୦୨୪ଟି ଚୋରି, ୫୧୩୮ଟି ସିନ୍ଧିଚୋରି, ୨୨୨୦ଟି ହିଂସାକାଣ୍ଡ(riot), ୧୦୯୮୩ଟି ମୋଟର ଦୁର୍ଘଟଣା ଓ ୧ଲକ୍ଷ ୧୦୮୨୩ଟି ଅନ୍ୟାନ୍ୟ ବିଭିନ୍ନ ପ୍ରକାରର ମାମଲା ରୁଜୁ ହୋଇଛି । କେବଳ ହତ୍ୟାକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଅପରାଧ ମାମଲା ୨୦୨୦ ମସିହା ତୁଳନାରେ ୨୦୨୧ରେ ଅଧିକ ବୋଲି ଜଣାପଡ଼ିଛି ।
ତେବେ ରାଜ୍ୟରେ ମହିଳାଙ୍କ ବିରୁଦ୍ଧରେ ଦୁଷ୍କର୍ମ ମାମଲା ବୃଦ୍ଧି ପାଇଥିବା ସତ୍ତ୍ୱେ ସରକାର ୨୦୨୦ ମସିହା ତୁଳନାରେ କମ ସଂଖ୍ୟକ ମାମଲାକୁ ‘ରେଡ ଫ୍ଲାଗ’ ବର୍ଗରେ ସାମିଲ କରାଇଥିଲେ । ୨୦୨୦ ମସିହାରେ ମୋଟ ୨୭୬ଟି ମାମଲା ରେଡ୍ ଫ୍ଲାଗ ବର୍ଗରେ ଥିବାବେଳେ ୨୦୨୧ରେ ମାତ୍ର ୧୧୬ଟି ମାମଲା ଏହି ବର୍ଗରେ ସାମିଲ କରି ତା’ର ତଦନ୍ତ କରାଇଥିଲେ । ମହିଳାଙ୍କ ବିରୁଦ୍ଧରେ ହିଂସା ମାମଲାର ତଦନ୍ତ ଓ ସମ୍ବେଦନଶୀଳ ମହିଳା ବିରୁଦ୍ଧ ହିଂସା ମାମଲାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ଏହି ‘ରେଡ ଫ୍ଲାଗ’ ବର୍ଗରେ ସାମିଲ କରାଯାଇଥାଏ । ତେବେ ୨୦୨୧ରେ ରେଡଫ୍ଲାଗରେ ସାମିଲ ହୋଇଥିବା ମୋଟ ୧୧୬ଟି ମାମଲାରେ ଦୋଷୀସାବ୍ୟସ୍ତ ହାର ୪୫.୨୮% ଗୃହ ବିଭାଗ ଦର୍ଶାଇ ଏହାକୁ ନିଜର ସଫଳତା ବର୍ଗରେ ସାମିଲ କରିଛି ।
ସେହିପରି ୨୦୨୧ ମସିହାରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ବିରୁଦ୍ଧରେ ହିଂସାର ମୋଟ ୩୦୦୩ଟି ମାମଲା ରୁଜୁ ହୋଇଥିବାବେଳେ ସେଥିରୁ ୨୦୩୪ଟିର ସମାଧାନ ହୋଇଛି ଓ ୯୬୯ଟି ମାମଲାର ଏବେବି ତଦନ୍ତ ଜାରି ରହିଛି । ୨୦୨୧ ମସିହାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କ ସମେତ ଅନ୍ୟାନ୍ୟ ମାମଲାରେ ରାଜ୍ୟ ମାନବାଧିକାର ସୁରକ୍ଷା ଆୟୋଗ ମୋଟ ୪୫୫ଟି ଅଭିଯୋଗ ପାଇଥିବାବେଳେ ସେଥିରୁ ୩୮୩ଟି ମାମଲାର ବିଚାର ହୋଇ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏବେ ୭୨ଟି ମାମଲା ସମ୍ପୃକ୍ତ ଜିଲ୍ଲା ପୁଲିସ ଏସପିଙ୍କ ତଦନ୍ତ ପରିସରରେ ରହିଛି ।
୨୦୨୧ ମସିହାରେ ଜାତୀୟ ମାନବାଧିକାର କମିଶନଙ୍କ ପାଖରେ ରାଜ୍ୟର ୩୪୭ଟି ଅଭିଯୋଗ ରହିଥିବାବେଳେ ସେଥିରୁ ୩୨୮ଟି ମାମଲାର ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇଛି । ବାକି ୧୯ଟି ସମ୍ପୃକ୍ତ ଜିଲ୍ଲା ଏସପିଙ୍କ ପାଖରେ ବିଚାରଧୀନ ଅଛି ।
ସେହିପରି ୨୦୨୧ ମସିହାରେ ମୋଟ ୭୭ଟି ସାଇବର ଅପରାଧ ମାମଲା ସାଇବର ଥାନାରେ ପଞ୍ଜିକୃତ ହୋଇଛି ଓ ୧୬ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ୩ଜଣ ଆନ୍ତଃରାଜ୍ୟ ଅପରାଧୀ । ମୋଟ ୫୬ଲକ୍ଷ ୪୩ହଜାର ୨୦୯ଜଣ ବିଭିନ୍ନ ମାମଲାରେ ଜବତ ହୋଇଛି ।
ସେହିପରି ୨୦୨୧ ମସିହାରେ ରାଜ୍ୟ ଅର୍ଥନୀତିକ ଅପରାଧ ଶାଖା ମୋଟ ୧୭ଟି ମାମଲାର ପଞ୍ଜିକରଣ କରି ୨୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ବିଭିନ୍ନ ଠକ କମ୍ପାନୀ ଓ ଲୋକଙ୍କଠୁ ୪.୭୦କୋଟି ଟଙ୍କା ସମ୍ପତ୍ତି ଜବତ କରିଛି ।
ସ୍ପେଶାଲ ଟାସ୍କ ଫୋର୍ସ ମାଧ୍ୟମରେ ୨୦୨୧ ମସିହାରେ ୨୮ଟି ନିଶା ନିବାରଣ ଆଇନ ଅନ୍ତର୍ଗତ ମାମଲା ରୁଜୁ ହୋଇ ୫୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ୨୧ କିଲୋରୁ ଅଧିକ ବ୍ରାଉନସୁଗାର ଓ ୪୩କ୍ୱିଣ୍ଟାଲ ଗଞ୍ଜେଇ ମଧ୍ୟ ଜବତ ହୋଇଛି ।
ସେହିପରି ୨୦୨୧ ମସିହାରେ ରାଜ୍ୟରେ ୨୮ଟି ମାଓବାଦୀ ହିଂସା ସଂଘଟିତ ହୋଇଥିବାବେଳେ ୨୧ଥର ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିୟମ ହୋଇଛି । ଯେଉଁଥିରେ ୨ଜଣ ସାଧାରଣ ଲୋକ ଓ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଛି । ୭ଜଣ ମାଓବାଦୀ ନିହତ ହୋଇଛନ୍ତି। ୩୬ଜଣ ଗିରଫ ହୋଇଥିବାବେଳେ ୨୧ଜଣ ଆତ୍ମସମର୍ପଣ କରିଛନ୍ତି । ରାଜ୍ୟର ୧୦ଟି ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପ ଚାଲିଥିବା ସରକାର ସ୍ୱୀକାର କରିଥିଲେ ମଧ୍ୟ ଏହା ନିୟନ୍ତ୍ରଣାଧୀନ ବୋଲି କହିଛନ୍ତି ।

Leave A Reply

Your email address will not be published.