mobile header

ଚିତ୍ରକୋଣ୍ଡା ଥାନାରେ ଆକ୍ରମଣ ଘଟଣା: ପୁଲିସ ଭୟରେ ଚିତ୍ରକୋଣ୍ଡା ଆର୍ ଏସ୍ ସି ୧୩ ଗ୍ରାମ ରେ ପୁରୁଷ ଶୂନ୍ୟ

ମାଲକାନଗିରି:୧୫/୦୭/୨୨ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଆରଏସସି-୧୩ ଗ୍ରାମରେ ଗତ ଜୁନ ୭ ତାରିଖ ରାତିରେ ପୁଲିସର ବର୍ବରତାକୁ ନେଇ କଂଗ୍ରେସ ପ୍ରତିବାଦ କରିବା ସହ ବିଧାନସଭାରେ ହଟ୍ଟଗୋଳ କରି ଶେଷରେ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରି ସଫଳ ହୋଇଛି। ରାଜ୍ୟ ସରକାର ଏହି ଘଟଣାର କ୍ରାଇମବ୍ରାଞ୍ଚ ଆଇଜି ତଦନ୍ତ କରିବେ ବୋଲି ନିର୍ଦେଶ ଦେଲେ। ଗତ ଜୁନ ୨୦ ତାରିଖରେ କଂଗ୍ରେସ ଚିତ୍ରକୋଣ୍ଡାରେ ଯେଉଁ ପ୍ରତିବାଦ ଦସଭାର ଆୟୋଜନ କରିଥିଲା ଏବଂ ବିଭିନ୍ନ ଦାବି ନେଇ ବିଡିଓଙ୍କୁ ଭେଟିବାର ଯୋଜନା ଥିଲା।ଏହା ପରିବର୍ତ୍ତେ କିଛି ଲୋକ ଚିତ୍ରକୋଣ୍ଡା ଥାନାରେ ପଶି ଭଙ୍ଗାରୁଜା କରିବା ପରେ କଂଗ୍ରେସ ମଧ୍ୟ ଟିକେ ପଛେଇ ଯାଇଥିଲା।
କଂଗ୍ରେସର ୧୮ ଜଣ କର୍ମୀଙ୍କୁ ପୁଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲା। ଏହାପରେ କଂଗ୍ରେସ ତୁରନ୍ତ ଖଲାସ କରିବାକୁ ଦାବି କରି ସଫଳ ହୋଇଥିଲା। ତେବେ ଚିତ୍ରକୋଣ୍ଡା ଆକ୍ରମଣ ଘଟଣା ପରେ ଆରଏସସି ଗ୍ରାମ ଏବେ ପୁରୁଷ ଶୂନ୍ୟ ହୋଇଯାଇଛି। ଲୋକେ ନିଜର ପାରଂପାରିକ ଅସ୍ତ୍ରଶସ୍ତ୍ର ନେଇ ଜଂଗଲରେ ରହୁଛନ୍ତି। କୌଣସି ମୁହର୍ତ୍ତରେ ପୁଲିସ ସେମାନଙ୍କୁ ଗିରଫ କରିବାର ଭୟ ରହିଥିବାରୁ ସେମାନେ ଆଉ ଗାଁକୁ ଆସୁନଥିବା ଦେଖିବାକୁ ମିଳିଛି। ଏପରିକି ଚିତ୍ରକୋଣ୍ଡା କିମ୍ବା ବାଲିମେଳା ସହରକୁ ଯିବାକୁ ମଧ୍ୟ ଲୋକେ ଭୟ କରୁଥିବା ଦେଖିବାକୁ ମିଳିଛି। ଲଗାଣ ବର୍ଷା ଲାଗି ରହିଥିଲେ ମଧ୍ୟ ଲୋକେ ବର୍ଷାକୁ ଖାତିରି ନକରି ଜଂଗଲରେ ରହୁଥିବା ଦେକିବାକୁ ମିଳିଛି। ସେହିପରି ପୁଲିସ ମଧ୍ୟ ଗାଁଗୁଡିକରେ ପଶିବାକୁ ଭୟ କରୁଥିବା ଦେଖିବାକୁ ମିଳିଛି। କୌଣସି ମୁହର୍ତ୍ତରେ ପୁଲିସ ଉପରେ ଗାଁ ଲୋକଙ୍କ ଆକ୍ରମଣର ଭୟ ରହିଥିବାରୁ ପୁଲିସ ମଧ୍ୟ ହାତ ମାପି ଚାଖଣ୍ଡେ ଚାଲୁଛି। ତେବେ ଏମିତି କେତେ ଦିନ ଚାଲିବ ବୋଲି କୁହାଯାଇଛି। କଂଗ୍ରେସର ବରିଷ୍ଠ ନେତା ଶରତ ଚନ୍ଦ୍ର ବୁରୁଦା କିନ୍ତୁ ତୁରନ୍ତ ପୁଲିସ ଏବଂ ଗାଁ ଲୋକଙ୍କୁ ନେଇ ବୈଠକ କରିବା ସହ ଏକ ଶାନ୍ତି କମିଟି ଗଠନ କରିବାକୁ ଦାବି କରିଛନ୍ତି। ଗାଁ ଲୋକ ସହ ପୁଲିସ ମଧ୍ୟ ଭୟରେ ରହିଥିବାରୁ ଦୁଇ ପକ୍ଷଙ୍କୁ ଏକତ୍ର କରି ଆଗକୁ ଯେପରି ଏହି ଅଂଚଳରେ ଶାନ୍ତି ଫେରିବ ସେନେଇ ପଦକ୍ଷେପ ନେବା ଦରକାର ବୋଲି କୁହାଯାଇଛି। ଅନ୍ୟଦିଗରେ ଚିତ୍ରକୋଣ୍ଡା ଥାନା ଆଇଆଇସି ଅନୀଲ କୁମାର ପରିଡା ମଧ୍ୟ ଏହି ପ୍ରସ୍ତାବରେ ରାଜି ରହିଥିବା ଜଣାପଡିଛି। ସେ ମଧ୍ୟ ପୂର୍ବରୁ ଏହି ପଦକ୍ଷେପ ଉଠାଇଥିବା କହିଥିଲେ।ଗାଁର ମୁଖିଆ ଏବଂ ସରପଞ୍ଚମାନଙ୍କୁ ଏକତ୍ର କରି ଏକ ଶାନ୍ତି କମିଟି ଗଠନ କରି ସବୁ ସମାଧାନ କରିବା ଦରକାର ବୋଲି କହିଥିଲେ। ଦୀର୍ଘ ଦିନ ହେଲା ଗାଁ ପୁରୁଷ ଶୂନ୍ୟ ହୋଇଥିବା ବେଳେ ମହିଳାମାନେ ମଧ୍ୟ ନିଜକୁ ସୁରକ୍ଷିତ ମଣୁନଥିବା କହିଥିଲେ। କୌଣସି ମୁହର୍ତ୍ତରେ ପୁଲିସ ଫୋର୍ସ ନେଇ ଗାଁରେ ପଶି ପୁଣି ମାରଧର କରିବ ବୋଲି ଲୋକେ ଭୟ କରୁଛନ୍ତି। ତେବେ ପୁଲିସ ତରଫରୁ କିନ୍ତୁ ସେଭଳି କୌଣସି ଯୋଜନା ନଥିବା କୁହାଯାଇଛି। ଶାନ୍ତି କମିଟି ଗଠନ କରିବାକୁ କିଛି ବୁଦ୍ଧିଜୀବୀ, ରାଜନୈତିକ ଦଳଗୁଡିକର ନେତାମାନେ, ସ୍ଥାନୀୟ ମୁଖିଆମାନେ ଆଗକୁ ଆସିବା ଦରକାର ବୋଲି କୁହାଯାଇଛି। ତେବେ ଆଗକୁ ଏହି ଘଟଣାର ମୋଡ କେଉଁ ଆଡକୁ ଯାଉଛି ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.