xmas

ବଣ୍ଡାଘାଟିର ଦୁର୍ଦଶା ବର୍ଷାରେ ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ଆସିପାରିଲା ନାହିଁ; ଗର୍ଭବତୀ ମହିଳାଙ୍କୁ ଚଲାଇ ଚଲାଇ ଆଣିଲେ


ମାଲକାନଗିରି,୨୨/୭–: ମାଲକାନଗିରି ଜିଲ୍ଲା ଅନ୍ତର୍ଗ ତ ଖଇରପୁଟ ବ୍ଲକର ବଣ୍ଡାଘାଟିରେ ଲଗାଣ ବର୍ଷା ଲୋକଙ୍କ ଅସ୍ତବ୍ୟସ୍ତ କରିପକାଇଥିବା ବେଳେ ରାସ୍ତାଘାଟ ସବୁ ଅତି କଦର୍ଯ୍ୟ ହୋଇପଡିଛି।ଏହି ରାସ୍ତାରେ ପାଦରେ ଚାଲି ଯିବା ମଧ୍ୟ କଷ୍ଟକର ହୋଇପଡୁଥିବା ବେଳେ ଯାନବାହାନ ଯିବା ଦୂରର କଥା।ତେବେ ଘାଟିରେ ଲୋକେ ଅତି ଦୟନୀୟ ଅବସ୍ଥାରେ ରହୁଥିବା ଦେଖିବାକୁ ମିଳିଛ।ରାସ୍ତା ଖରାପ ଥିବା ଯୋଗୁଁ ଗୋଟିଏ ଗାଁରୁ ଅନ୍ୟ ଗାଁକୁ କିମ୍ବା ଡାକ୍ତରଖାନାକୁ ଯିବାକୁ ହେଲେ ବହୁ କଷ୍ଟ ସ୍ବୀକାର କରିବାକୁ ପଡୁଥିବା ଲୋକେ କହିଛନ୍ତି।ସଦ୍ୟତମ ଘଟଣାକ୍ରମରେ ଅଣ୍ଡ୍ରାହାଲ ଗ୍ରାମର ଶିବା ଶିଶାଙ୍କ ପତ୍ନୀ ଚଙ୍କି ଶିଶା ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇଥିଲା।ତେବେ ତୁରନ୍ତ ଆଶା କର୍ମୀ ସମ୍ବାରୀ କିରସାନୀ ଆମ୍ବୁଲେନସ ସହ ଯୋଗାଯୋଗ କରିଥିଲେ।କିନ୍ତୁ ଆମ୍ବୁଲେନସ ଗାଁ ପର୍ଯ୍ୟନ୍ତ ଯାଇପାରିବ ନାହିଁ ବୋଲି ସଫା ସଫା ମନା କରିଦେଇଥିଲା।କୌଣସି ପ୍ରକାରେ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ମହିଳାଙ୍କୁ ଆଣିବାକୁ କହିଥିଲା।ତେବେ ଗର୍ଭବତୀ ମହିଳାଙ୍କୁ ଖରାପ ରାସ୍ତାରେ ପ୍ରାୟ ଦୁଇ କିଲୋମିଟର ଚଲାଇ ଚଲାଇ ପରିବାର ଲୋକେ ଏବଂ ଆଶା କର୍ମୀ ମୁଖ୍ୟ ରାସ୍ତାରେ ଠିଆ ହୋଇଥିବା ଆମ୍ବୁଲେନସ ପର୍ଯ୍ୟନ୍ତ ଆଣିଥିଲେ।ତେବେ ମଝିରେ ମଝିରେ ଘାଟି ପଡୁଥିବା ବେଳେ ମହିଳା ଜଣକ ଘାଟି ଚଢିପାରିବେ ନାହିଁ ବୋଲି ସେଠାରେ ହିଁ ବସି ପଡୁଥିଲେ।ତେବେ ପରିବାର ଲୋକଙ୍କ ବାଧ୍ୟବାଧକତା ଓ ପାଟିତୁଣ୍ଡରେ ଗର୍ଭବତୀ ମହିଳା ଜଣକ ବହୁ କଷ୍ଟରେ ଘାଟି ଚଢି ଉପରକୁ ଉଠୁଥିବା ଦେଖିବାକୁ ମିଳିଥିଲା।ଗର୍ଭବତୀ ମହିଳା ଜଣକକୁ ଆମ୍ବୁଲେନସ ଯୋଗେ ମୁଦୁଲିପଡା ମେଡିକାଲକୁ ନିଆଯାଇଥିଲା।ସେଠାରେ ମହିଳା ଜଣକ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ।ମା ଓ ଝିଅ ଏବେ ସୁସ୍ଥ ଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି।ତେବେ ବଣ୍ଡାଘାଟିରେ ଗର୍ଭବତୀ ମହିଳା,ପ୍ରସୂତୀ ମହିଳା ଏବଂ ରୋଗୀ ବର୍ଷା ଦିନେ କିପରି ହନ୍ତସନ୍ତ ହେଉଛନ୍ତି ଏହା ହେଉଛି ତାହା ନଗ୍ନ ନମୂନା।ଏହି ଚାରି ମାସ ବଣ୍ଡାଘାଟିର ଲୋକେ ଡାକ୍ତରଖାନାକୁ ଯିବାକୁ ବହୁ କଷ୍ଟ ସ୍ବୀକାର କରୁଥିବାରୁ ଡାକ୍ତରଖାନାକୁ ନଯାଇ ଘରେ ଅତି ଦୟନୀୟ ଅବସ୍ଥାରେ ପଡି ରହୁଛନ୍ତି।ପରିବାର ଲୋକେ ମଧ୍ୟ ମେଡିକାଲ ନେବାକୁ ଅମଙ୍ଗ ହେଉଛନ୍ତି।ତୁରନ୍ତ ପ୍ରଶାସନ ପକ୍ଷରୁ ବଣ୍ଡାଘାଟିର ରାସ୍ତାଗୁଡିକର ମରାମତି କରିବା ସହ ପକ୍କା ରାସ୍ତା ନିର୍ମାଣ ପାଇଁ ଦାବି କରିଥିଲେ।

Leave A Reply

Your email address will not be published.