xmas

କାଲି ପାଇଁ କାଲିର ସିନେମା’ ବହି ପାଇଁ ଓଡ଼ିଶାର ସୂର୍ଯ୍ୟ ଦେଓଙ୍କୁ ଜାତୀୟ ପୁରସ୍କାର, ଶ୍ରେଷ୍ଠ ଅଭିନେତା ଅଜୟ ଦେବଗନ୍‌

ଭୁବନେଶ୍ୱର: ଆଜି ୬୮ ତମ ଜାତୀୟ ଫିଲ୍ମ ପୁରସ୍କାର ୨୦୨୦ ଘୋଷଣା ହୋଇଛି। ଏଥିରେ ଓଡ଼ିଆ ସିନେ ସାମ୍ବାଦିକ ତଥା ସମୀକ୍ଷକ ସୂର୍ଯ୍ୟ ଦେଓ ଆଜି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ତାଙ୍କ ପୁସ୍ତକ ‘କାଲି ପାଇଁ କାଲିର ସିନେମା’ ବେଷ୍ଟ ବୁକ୍‌ ଅନ୍ ସିନେମା(ସିନେମା ଉପରେ ସର୍ବୋତ୍ତମ ପୁସ୍ତକ) ପୁରସ୍କାର ମିଳିଛି। ପକ୍ଷୀଘର ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶିତ ସୂର୍ଯ୍ୟ ଦେଓଙ୍କ ଲିଖିତ ‘କାଲି ପାଇଁ କାଲିର ସିନେମା’ ପୁସ୍ତକରେ ପୁରୁଣା ଦିନର ଫିଲ୍ମ ବିଷୟରେ ଖୁବ ବର୍ଣ୍ଣନା କରାଯାଇଛି। ସେତେବେଳେର ଫିଲ୍ମ କେମିତି ହେଉଥିଲା ଏହାର କାହାଣୀ ଓ ଅଭିନେତା ଚୟନ କିପରି ହୋଇଥିଲା ଏସବୁକୁ ଆଧାର କରି ଏହି ପୁସ୍ତକ ଲେଖାଯାଇଛି। ଓଡ଼ିଆ ସିନେମାକୁ ଲିପିବଦ୍ଧ କରି ଧରି ରଖିବାରେ ସୂର୍ଯ୍ୟ ଦେଓଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେ ଓଡ଼ିଆ ସିନେମାକୁ ନେଇ ଅନେକ ପୁସ୍ତକ ଲେଖିଛନ୍ତି। ଆରମ୍ଭଠାରୁ ଏପର୍ଯ୍ୟନ୍ତ ଓଡ଼ିଆ ସିନେମାର ଗତି କେଉଁ ଆଡ଼େ ଯାଇଛି ତାର ସୁବିସ୍ତାର ବର୍ଣ୍ଣନା ତାଙ୍କ ପୁସ୍ତକରେ ଦେଖିବାକୁ ମିଳିଥାଏ। ପାଖାପାଖି ତିନି ଦଶନ୍ଧି ଧରି ଓଡ଼ିଆ ସିନେ ସାମ୍ବାଦିକ ଭାବରେ କାର୍ଯ୍ୟରତ ଥିବା ସୂର୍ଯ୍ୟ ଦେଓ ଖବର କାଗଜ, ୱେବ୍‌ସାଇଟ୍ ଓ ମାଗାଜିନ୍‌ରେ ମଧ୍ୟ ସିନେମା ସମ୍ବନ୍ଧିତ ସ୍ତମ୍ବ ଲେଖି ଅନେକ ପ୍ରଶଂସା ସାଉଁଟିଛନ୍ତି। ସିନେମା ତାଙ୍କ ପାଇଁ ଏକ ଚଳନ୍ତା ଇତିହାସ ଓ ତାଙ୍କ ରକ୍ତରେ ରହିଛି ବୋଲି ସୂର୍ଯ୍ୟ ଦେଓ ଅନେକ କହିଥାନ୍ତି।ସୋନପୁର ଲୁପୁରପଙ୍ଖରେ ଜନ୍ମ ହୋଇଥିବା ସୂର୍ଯ୍ୟ ଦେଓ ପିଲାବେଳେ ଠିକ୍ ଏକ କ୍ଲାସିକ୍ ସିନେମାର କାହାଣୀ ପରି। ଚାହାଳୀରୁ ପାଠପଢା ଆରମ୍ଭ କରିଥିବା ସୂର୍ଯ୍ୟ ଦେଓ ସେହିଠାରୁ ହିଁ ସଂଗୀତ ଓ କଲା ପ୍ରତି ଆକୃଷ୍ଟ ହୋଇଥିଲେ। ତାଙ୍କ ଯେଯେମା ଜଣେ ଭଲ ଛାନ୍ଦ ଗାୟିକା ଥିଲେ। ତେଣୁ ପରିବାରରେ କଳା ଥିବାରୁ ସେ ଏଥିପ୍ରତି ଆକୃଷ୍ଟ ହୋଇଥିଲେ। ଏଥିପାଇଁ ସେ ସିନେମା ସଂଗୀତ ଏସବୁର ଇତିହାସକୁ କାଗଜରେ ଲିପିବଦ୍ଧ କରି ରଖିବାକୁ ମନ ବଳାଇଥିଲେ। ତେବେ ସିନେମାକୁ ଲେଖିବାକୁ ହେଲେ ପ୍ରଥମେ ସିନେମାକୁ ବୁଝିବାକୁ ହେବ ବୋଲି ସେ କୁହନ୍ତି। ଓଡିଆ ସିନେମାକୁ ନେଇ କହନ୍ତି ଯେ ଓଡିଆ ଭାଷାରେ ସିନେମା ତିଆରି ହେବା ଓ ଓଡିଆରେ ସିନେମା ତିଆରି ହେବା ତା ଅଲଗା ଅଲଗା କଥା। ଯେତେବେଳେ ଆମ ଚାଲିଚଳଣୀ ବେଶଭୂଷା ଆଦି ନେଇ ସିନେମା ତିଆରି ହେବ ଯେଉଁଥିରେ ଓଡିଆର ସଂସ୍କୃତି ଓ ଛାପ ଥିବ ତେବେ ତାହା ଓଡିଆ ସିନେମା କୁହାଯିବ। ନହେଲେ ସିନେମାରେ ଦୃଶ୍ୟ ସବୁଠି ସମାନ ବୋଲି ସେ କହନ୍ତି।

Leave A Reply

Your email address will not be published.