mobile header

ଜଙ୍ଗଲ ସଂରକ୍ଷଣ ନିୟମାବଳୀ-୨୦୨୨ ନାମରେ ସଂଶୋଧନ ପ୍ରତ୍ୟାହାର ଦାବିରେ ପ୍ରତିବାଦ ବିକ୍ଷୋଭ

ଭୁବନେଶ୍ୱର, ତା ୨୮/୦୭ : ଗତ ୨୮ ଜୁନ ୨୦୨୨ ଦିନ କେନ୍ଦ୍ର ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଜଙ୍ଗଲ ସଂରକ୍ଷଣ ଆଇନ -୧୯୮୦ ର ପରିବର୍ତ୍ତନ କରିବା ପାଇଁ ଜଙ୍ଗଲ ସଂରକ୍ଷଣ ନିୟମାବଳୀ -୨୦୨୨ ଆଦିବାସୀ ଓ ପରିବେଶ ବିରୋଧୀ ବୋଲି ମର୍ଯ୍ୟାଦାର ସହ ବଞ୍ଚିବାର ଅଭିଯାନ (ସି.ଏସ୍.ଡି) ପକ୍ଷରୁ ଅଭିଯୋଗ କରାଯାଇଛି ।
ଆଜି ବିଧାନସଭା ସମ୍ମୁଖରେ ଆୟୋଜିତ ଏକ ବିକ୍ଷୋଭ ତଥା ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ମଧ୍ୟମରେ ଏହି ଜନବିରୋଧୀ ତଥା ଆଦିବାସୀ ବିରୋଧୀ ସଂଶୋଧନ ଅବିଳମ୍ବେ ପ୍ରତ୍ୟାହାର କରିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି । ସଂଗଠନର ନେତୃବୃନ୍ଦ କହିଛନ୍ତିଯେ ଏହି ନିୟମାବଳୀର ସଂଶୋଧନ ଅନୁମୋଦନ ହୋଇଗଲେ ଜଙ୍ଗଲ ଭିତରେ ଜୀବନ ଜୀବିକା ପାଇଁ ବସବାସ କରୁଥିବା ଆଦିବାସୀ ଓ ବନବାସୀ ମାନଙ୍କ ପାଇଁ ଜଙ୍ଗଲ ଅଧିକାର ଆଇନ-୨୦୦୬ ଦେଇଥିବା ଆଇନଗତ କ୍ଷମତା ଆଉ ରହିବ ନାହିଁ। ଜଙ୍ଗଲ ଅଧିକାର ଆଇନ ରେ ଥିବା ପ୍ରାବଧାନ ମୁତାବକ ଜଙ୍ଗଲ ଅଧିକାର ସ୍ବୀକୃତି ଓ ପ୍ରକ୍ରିୟା ଶେଷ ନହେବା ଯାଏଁ ଆଦିବାସୀ ଏବଂ ପାରମ୍ପରିକ ବନବାସୀ ସେମାନେ ଭୋଗଦଖଲ କରୁଥିବା ଜଙ୍ଗଲଜମିରୁ ଉଚ୍ଛେଦ କିମ୍ବା ବିତାଡିତ ହେବେ ନାହିଁ। ଆହୁରି ମଧ୍ୟ ଜଙ୍ଗଲଜମିକୁ ଅଣଜଙ୍ଗଲରେ ପରିବର୍ତ୍ତନ କରିବାକୁ ହେଲେ ଗ୍ରାମସଭାର ଅନୁମୋଦନ ଦରକାର ଏବଂ ଜଙ୍ଗଲ ଅଧିକାର ଆଇନରେ ଥିବା ଏ ସମସ୍ତ ନିୟମକୁ ପ୍ରଚଳିତ ଜଙ୍ଗଲ ସଂରକ୍ଷଣ ଆଇନ – ୧୯୮୦ ଅନୁପାଳନ କରିବ । କିନ୍ତୁ କେନ୍ଦ୍ରସରକାରଙ୍କ ଦ୍ଵାରା ସଂଶୋଧନ ହେବାକୁ ଯାଉଥିବା ଜଙ୍ଗଲ ସଂରକ୍ଷଣ ନିୟମାବଳୀ- ୨୦୨୨ ରେ ଗ୍ରାମସଭାର ଏ ସମସ୍ତ କ୍ଷମତାକୁ ଉଚ୍ଛେଦ କରିଦିଆଯାଇଛି।
ଏହି ନିୟମ ଆସିଲେ ଦେଶୀ ବିଦେଶୀ ପୁଞ୍ଜିପତିଙ୍କୁ ଜଙ୍ଗଲ ଜମିକୁ ହସ୍ତାନ୍ତର କରିବା ପାଇଁ ଆଉ କୌଣସି ପ୍ରତିବନ୍ଧକ ରହିବ ନାହିଁ । ସରକାରଙ୍କ ପାଖରେ ଅସୀମିତ କ୍ଷମତା ରହିବ । ଏଣିକି ଆଉ ଜଙ୍ଗଲ ଜମି ହସ୍ତାନ୍ତର ପୂର୍ବରୁ ସ୍ଥାନୀୟ ଗ୍ରାମସଭାର ସମ୍ମତିର ଆବଶ୍ୟକତା ପଡ଼ିବ ନାହିଁ। ସଂଶୋଧନ ହେବାକୁ ଯାଉଥିବା ଏହି ନିୟମ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ମାନଙ୍କର ଜଙ୍ଗଲ ଅଧିକାର (ସ୍ୱୀକୃତି) ଆଇନ-୨୦୦୬ କୁ ସମ୍ପୂର୍ଣ୍ଣ ଭାବରେ ଉଲଙ୍ଘନ କରୁଥିବା ବେଳେ ଏହା ସମ୍ବିଧାନର ଧାରା ୨୪୪(୧) ଅନୁଯାୟୀ ଅନୁସୂଚିତ ଅଞ୍ଚଳକୁ ଦେଇଥିବା ସ୍ୱତନ୍ତ୍ର କ୍ଷମତା ଅନୁଯାୟୀ କାର୍ଯ୍ୟକାରୀ ହେଉଥିବା ‘ପେସା ଆଇନ – ୧୯୯୬’ କୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଉଲଙ୍ଘନ କରୁଛି। କାରଣ ପେସା ଆଇନର ଧାରା ୪(ଝ) ଅନୁଯାୟୀ ଅନୁସୂଚିତ ଅଞ୍ଚଳରେ ଯେ କୌଣସି ପ୍ରକାରର ଜମି ଅଧିଗ୍ରହଣ ପୂର୍ବରୁ ଗ୍ରାମସଭାର ସମ୍ମତି ଦରକାର।


ଜଙ୍ଗଲ ଅଧିକାର ଆଇନର ମୁଖବନ୍ଧରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ, ପୁରୁଷାନୁକ୍ରମେ ଜଙ୍ଗଲରେ ରହି ଆସୁଥିବା ଯେଉଁ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ମାନଙ୍କର ଅଧିକାରକୁ ନଥିଭୁକ୍ତ କରାଯାଇ ପାରିନାହିଁ ,ସେହି ମାନଙ୍କୁ ସେମାନଙ୍କର ଅଧିକୃତ ଜମି ଏବଂ ଜଙ୍ଗଲ ଅଧିକାରର ସ୍ୱୀକୃତି ଦିଆଯିବା ଓ ଜଙ୍ଗଲ ଅଧିକାରର ନଥିଭୁକ୍ତ କରିବା ନିମନ୍ତେ ଏକ ଲୋକାଭିମୁଖୀ ଜଙ୍ଗଲ ଅଧିକାର ଆଇନ-୨୦୦୬ ପ୍ରଣୟନ କରାଯାଇଛି । କିନ୍ତୁ ମୋଦୀ ସରକାରଙ୍କ ଦ୍ଵାରା ଉପରୋକ୍ତ ସଂଶୋଧନ ଦ୍ୱାରା ଏଣିକି ସମସ୍ତ ଜଙ୍ଗଲ ଜମି ବିକାଶ ଆଳରେ ପୁଞ୍ଜିପତି/କମ୍ପାନୀ ମାନଙ୍କ ନାମରେ ରେକର୍ଡ ଭୁକ୍ତ ହେବ। ଜଙ୍ଗଲ ଅଧିକାର ଆଇନର ମୁଖବନ୍ଧରେ ଆଦିବାସୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ମାନଙ୍କର ପୈତୃକ ସମ୍ପତ୍ତି ଓ ବାସସ୍ଥଳୀ ଉପରେ ଜଙ୍ଗଲ ଅଧିକାରକୁ ସଠିକ ଭାବରେ ସ୍ଵୀକୃତି ପ୍ରଦାନ କରାନଯାଇ ସେମାନଙ୍କ ପ୍ରତି ଏକ ଐତିହାସିକ ଅନ୍ୟାୟ କରାଯାଇଥିବା ସ୍ୱୀକାର କରାଯାଇଥିଲା। କିନ୍ତୁ ବର୍ତ୍ତମାନ କେନ୍ଦ୍ର ସରକାର ଆଦିବାସୀ ଓ ବନବାସୀଙ୍କର ଜଙ୍ଗଲ ଜମିରେ ଥିବା ହକ୍ ଅଧିକାରକୁ ଉଚ୍ଛେଦ କରି ଉପରୋକ୍ତ ବର୍ଗଙ୍କ ଉପରେ ସେହି ଐତିହାସିକ ଅନ୍ୟାୟର ପୁନରାବୃତ୍ତି କରିବାକୁ ଯାଉଛନ୍ତି।
ଆଜିକାର ଏହି ପ୍ରତିବାଦ ବିକ୍ଷୋଭରେ ସଂଗଠନର ରାଜ୍ୟ ଆବାହକ ଗୋପୀନାଥ ମାଝୀ, ବିଶିଷ୍ଟ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା, ଆବାହକ ମଣ୍ଡଳୀ ସଦସ୍ୟ ପ୍ରଦୀପ ସାହୁ, ନରେନ୍ଦ୍ର ମହାନ୍ତି, ଡଃ ଶ୍ରୀଚରଣ ବେହେରା ଆଦିବାସୀ ଅଧିକାର ମଞ୍ଚର ସାଲ ମାରାଣ୍ଡି, ମଦନ ମାରାଣ୍ଡି, ଆଦିବାସୀ ଭାରତ ମହାସଭାର ପୂର୍ଣ୍ଣ ମଲ୍ଲିକ, ଜିନ୍ଦାବାଦ ସଂଗଠନର ତ୍ରିଲୋଚନ ପୁଞ୍ଜି, ବନବାସୀ ସୁରକ୍ଷା ପରିଷଦର ବଳଭଦ୍ର ମଲ୍ଲିକ, କାର୍ମି ବେସ୍ରା, ସି.ଏସ.ଡିର ବିଭିନ୍ନ ଜିଲ୍ଲା ଆବାହକ ମାନଙ୍କ ସହିତ ଏବଂ ଆଦିବାସୀ ନେତା ବିରଞ୍ଚି ବରିହା, ବିଜୟ ସ୍ଵାଇଁ, ଫୁଲସନ ପୂର୍ତ୍ତି, ମଙ୍ଗଲ ମୁଣ୍ଡା, ଜିଶାୟ ଶବର, ରୂପଧର ବିଷୋଇ, ଦିଲ୍ଲୀପ ଭୋଇ, ବଲରାମ ମାଝୀ, ଗୌତମ ପାତ୍ର, ସଂଜୀବ କୋଣ୍ଡାଗିରୀ, ଲୋଚନ ବରିହାଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ ଓ ଗଣ ସଂଗଠନର ନେତୃବୃନ୍ଦ ଯଥା ସୁଦର୍ଶନ ପ୍ରଧାନ, ଅରୁଣ ଜେନା,ଚାମ୍ବରୁ ସୋରେନ୍, ଶଙ୍କର ସାହୁ, ଶ୍ରୀକାନ୍ତ ମହାନ୍ତି, ରାଧାକାନ୍ତ ସେଠୀ, ମହମ୍ମଦ ସୁକୁର, ଅର୍ଣ୍ଣପୂର୍ଣ୍ଣା ମହାଲିଙ୍ଗୀ, ମାଲିକ୍ରାମ୍ କୁମ୍ଭାର, ମଣିରାମ ପାଣ୍ଡେ ଓ ଅନ୍ୟ ମାନେ ଯୋଗଦେଇ ଉଦବୋଧନ ଦେଇଥିଲେ ।

Leave A Reply

Your email address will not be published.