ଯୌନ ନିର୍ଯାତନା ମାମଲାର ଫୈସଲା ଚିନ୍ତା ! ରାଜ୍ୟରେ ୧୯ ହଜାରରୁ ଅଧିକ ମାମଲା ପେଣ୍ଡିଂ

ଭୁବନେଶ୍ୱର: ରାଜ୍ୟରେ କେତେ ସୁରକ୍ଷିତ ମହିଳା ? ପ୍ରତିବର୍ଷ ବଢିବାରେ ଲାଗିଛି ଦୁଷ୍କର୍ମ ସଂଖ୍ୟା । ନାବାଳିକା ବି ହେଉଛନ୍ତି ଯୌନ ନିର୍ଯାତନାର ଶିକାର । ହେଲେ ସେହି ଅନୁପାତରେ ହୋଇପାରୁନି ମାମଲାର ଫୈସଲା । ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜ୍ଜୁ । ରାଜ୍ୟରେ ଫାଷ୍ଟଟ୍ରାକ୍ କୋର୍ଟ ପ୍ରତିଷ୍ଠା କରି ଏଭଳି କେସ୍‌ଗୁଡ଼ିକର ଶୀଘ୍ର ଫଇସଲା କରିବାକୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଯେଉଁଥିରେ ବିଭିନ୍ନ ରାଜ୍ୟରେ ଦୁଷ୍କର୍ମ ଓ ପକ୍ସୋ ମାମଲାଗୁଡ଼ିକର ସ୍ଥିତି ସଂପର୍କରେ ଦର୍ଶାଯାଇଛି । ଏହା ଅନୁଯାୟୀ ଗତ ଜୁଲାଇ ମାସରେ ଏଭଳି ୫୦୪ଟି ମାମଲା ପଂଜୀକୃତ ହୋଇଛି । ସେହି ମାସରେ ମୋଟ୍ ୪୮୭ କେସ୍‌ର ସମାଧାନ ହୋଇଛି । ଉଦ୍‌ବେଗର ବିଷୟ ହେଉଛି ଜୁଲାଇ ମାସ ସୁଦ୍ଧା ରାଜ୍ୟରେ ଏଭଳି ମୋଟ୍ ୧୯ ହଜାର ୨୧୪ ମାମଲା ପେଣ୍ଡିଂ ରହିଛି । ତାଲିକାରେ ଷଷ୍ଠ ସ୍ଥାନରେ ରହିଛି ଓଡ଼ିଶା । ଏଭଳି ମାମଲାଗୁଡ଼ିକର ତ୍ୱରିତ ଫଇସଲା ପାଇଁ ରାଜ୍ୟ ସରକାରଙ୍କ ସମନ୍ୱୟରେ ସ୍ପେଶାଲ୍ ଫାଷ୍ଟ ଟ୍ରାକ୍ କୋର୍ଟଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ପାଇଁ ଚିଠିରେ କୁହାଯାଇଛି । ଆବଶ୍ୟକ ସ୍ଥଳେ ନୂଆ ଫାଷ୍ଟଟ୍ରାକ୍ କୋର୍ଟ ପ୍ରତିଷ୍ଠା କରିବା ପାଇଁ କୁହାଯାଇଛି ।

ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ମାମଲାଗୁଡ଼ିକର ଯେପରି ଫୈସଲା ହୋଇପାରିବ ତାକୁ ମନିଟର୍ କରିବା ଲାଗି ବ୍ୟବସ୍ଥା କରିବାକୁ ଚିଠିରେ ଦର୍ଶାଯାଇଛି । ଏ ଦିଗରେ ସମସ୍ତ ପ୍ରକାର ସହଯୋଗ କେନ୍ଦ୍ର ଆଇନ ମନ୍ତ୍ରାଳୟ ଯୋଗାଇ ଦେବ ବୋଲି ରିଜିଜ୍ଜୁ ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟରେ ଏବେ ମୋଟ୍ ୪୫ଟି ଫାଷ୍ଟଟ୍ରାକ୍ ସ୍ପେଶାଲ କୋର୍ଟ ରହିଛି ।

ବିଧାନସଭାରେ ରାଜ୍ୟ ସରକାର ଦେଇଥିବା ତଥ୍ୟ ଅନୁଯାୟୀ, ୨୦୧୯ରୁ ୨୦୨୨ ଏପ୍ରିଲ୍ ଅର୍ଥାତ ସାଢ଼େ ୩ ବର୍ଷରେ ୧୦ ହଜାର ୧୨୯ ଜଣ ଦୁଷ୍କର୍ମର ଶିକାର ହୋଇଛନ୍ତି । ଯାହା ମଧ୍ୟରେ ୫ ହଜାର ୫୮୪ ଜଣ ନାବାଳିକା ଅଛନ୍ତି । ଦିନକୁ ଦିନ ସଂଖ୍ୟା ବଢୁଥିବା ବେଳେ ପ୍ରଶ୍ନ ଉଠୁଛି ରାଜ୍ୟରେ କେତେ ସୁରକ୍ଷିତ ମହିଳା ? କାହିଁକି ପୀଡ଼ିତାମାନଙ୍କୁ ଶୀଘ୍ର ମିଳୁପାରିନି ନ୍ୟାୟ ? କେନ୍ଦ୍ର ସବୁ ପ୍ରକାର ସହାୟତା ଯୋଗାଇ ଦେଉଥିଲେ ମଧ୍ୟ କାହିଁକି କାର୍ଯ୍ୟକ୍ଷମ ହୋଇପାରୁନି ଅଧିକ ସଂଖ୍ୟକ ଫାଷ୍ଟଟ୍ରାକ୍ କୋର୍ଟ ?

Leave A Reply

Your email address will not be published.