ଭାରତ ଯୋଡ଼ ଯାତ୍ରା-ଓଡ଼ିଶା ଦଶମ ଦିନର ଯାତ୍ରା ମୟୁରଭଞ୍ଜର ଗଡ଼ଦେଉଳିଆ ଠାରୁ ଆରମ୍ଭ କଲା

ମୟୁରଭଞ୍ଜ ଜିଲ୍ଲା ପ୍ରତି ନବୀନ ସରକାର ବୈମାତୃକ ମନୋଭାବ ପୋଷଣ କରିଛନ୍ତି – ଶରତ ପଟ୍ଟନାୟକ

ଭୁବନେଶ୍ୱର -ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଭାରତ ଯୋଡ଼ ଯାତ୍ରା- ଓଡ଼ିଶାର ଦଶମ ଦିନର ଯାତ୍ରା ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଗଡ଼ଦେଉଳିଆ ଠାରୁ ଆରମ୍ଭ ହୋଇଥିଲା । ଏକ ବିଶାଳ ଶୋଭାଯାତ୍ରା ବୈସିଙ୍ଗା ଠାରେ ପଂହଚିଥିଲା । ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ହେମନ୍ତ ଦାସ ଏକ ବିଶାଳ ପଟ୍ଟୁଆରରେ ଶ୍ରୀ ପଟ୍ଟନାୟକ ଏବଂ ଭାରତଯୋଡ଼- ଓଡ଼ିଶା ଯାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ଏହାପରେ ଏହି ଯାତ୍ରାକୁ ବେତନଟୀର ବଙ୍ଗଳାଛକ ଠାରେ ଉଚ୍ଛସ୍ୱିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବେତନଟୀର ବଙ୍ଗଳା ଛକଠାରେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ, ପ୍ରଖ୍ୟାତ ଜନନାୟକ ସ୍ୱର୍ଗତ ପ୍ରଶନ୍ନ ଦାସଙ୍କର ଏକ ଆବକ୍ଷ ପ୍ରତିମୂର୍ତି ଉନ୍ମୋଚନ କରିଥିଲେ । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏହି ଉନ୍ମୋଚନ ଉତ୍ସବରେ ଯୋଗଦେଇ ମୟୁରଭଞ୍ଜ ବିକାଶରେ ପ୍ରଶନ୍ନ ଦାସଙ୍କ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ପ୍ରଶନ୍ନ ଦାସଙ୍କର ଦୀର୍ଘ ରାଜନୈତିକ ଜୀବନର କୀର୍ତି ଓ କୃର୍ତି ସଂପର୍କରେ ଶ୍ରୀ ନିରଞ୍ଜନ ପଟ୍ଟନାକୟ ମଧ୍ୟ ତାଙ୍କ ଅଭିଭାଷଣଷର କହିଥିଲେ । ସ୍ୱର୍ଗତ ଦାସଙ୍କ ପରିବାରବର୍ଗଙ୍କ ସହ ଏହି କଂଗ୍ରେସ ନେତୃବୃନ୍ଦମାନେ ଆଲୋଚନା କରିବା ସହ ତାଙ୍କର ସ୍ମୃତି ମନ୍ଥନ କରିଥିଲେ ।

ଏହାପରେ ଭାରତ ଯୋଡ଼ ଯାତ୍ର-ଓଡ଼ିଶା ସମଗ୍ର ବେତନଟୀ ବଜାର ପରିକ୍ରମା କରିଥିଲା । ସେଠାରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଆସନ୍ତା କାଲି ଭାରତ ଯୋଡ଼ ଯାତ୍ର-ଓଡ଼ିଶା ବାରିପଦା ସହରରୁ ଆରମ୍ଭ ହେବ । ଆଜି ଗଣମାଧ୍ୟମକୁ ସମ୍ବୋଧିତ କରି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଥିଲେ ଯେ ମୟୁୂରଭଞ୍ଜ ଜିଲ୍ଲା ପ୍ରତି ନବୀନ ସରକାର ବୈମାତୃକ ମନୋଭାବ ପୋଷଣ କରିଛନ୍ତି । ତାଙ୍କର ୨୨ ବର୍ଷ ଶାସନକାଳରେ ମୟୁରଭଞ୍ଜ ଜିଲ୍ଲା ସଂପୂର୍ଣ୍ଣ ଉପେକ୍ଷିତ । କଳିଙ୍ଗନଗର ଗଣହତ୍ୟା ଘଟଣାରୁ ସ୍ପଷ୍ଟ ଯେ ନବୀନ ସରକାର ଆଦିବାସୀ ବିରୋଧି । ଏହି ଜିଲ୍ଲାରେ ଏବେବି ୧ଲକ୍ଷ ୬୪ ହଜାର ପରିବାରଙ୍କ ପାଖରେ ମୁଣ୍ଡଗୁଞ୍ଜିବା ପାଇଁ ଘର ନାହିଁ । ୪୦୨୫ ପ୍ରାଇମେରୀ ସ୍କୁଲ ମଧ୍ୟରୁ ୧୦୦୦ ସ୍କୁଲକୁ ସରକାର ବନ୍ଦ କରିଦେଇଛନ୍ତି ।

୨୨୦୦ ହାମଲେଟରେ ଏପର୍ଯ୍ୟନ୍ତ ୨୨ ବର୍ଷର ନବୀନ ସରକାର ବିଦ୍ୟୁତକରଣ କରିପାରିଲେ ନାହିଁ । କଂଗ୍ରେସ ସରକାର ଅମଳରେ ଏହି ଜିଲ୍ଲାରେ ଯେଉଁ ଶିଳ୍ପ ପ୍ରତିଷ୍ଠା ହୋଇଥିଲା-ନିକୋ କେବୁଲ, ସ୍ପିନିଙ୍ଗ ମିଲ, ଗଞ୍ଜି କାରଖାନା, ଚପଲ କାରଖାନା, ରାଇରଙ୍ଗପୁର ଠାରେ ମଧ୍ୟ ବହୁ ଶିଳ୍ପ ପ୍ରତିଷ୍ଠା କରାଯାଇଥିଲା । ଏ ସବୁ ଶିଳ୍ପର ପୁନରୁର୍ଦ୍ଧାର କରାଯାଇ ପାରିଲା ନାହିଁ । କିନ୍ତୁ ୨୨ବର୍ଷ ଭିତରେ ଗୋଟିଏବି ନୂତନ ଶିଳ୍ପ ପ୍ରତିଷ୍ଠା କରାଯାଇ ନାହିଁ । ୨୦୨୧ ମସିହା ଜୁଲାଇ ମାସରେ ୧୫ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଗୁଡ଼ିକର ନାମ ଘୋଷଣା କରିଥିଲେ, ମାତ୍ର ଆଜି ପର୍ଯ୍ୟନ୍ତ ଏହାର ଶୁଭାରମ୍ଭ ହୋଇପାରିଲା ନାହିଁ । ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଆଜି ପର୍ଯ୍ୟନ୍ତ ସମାପ୍ତ ହେଲା ନାହିଁ । ଦେଓ ଜଳସେଚନ ପ୍ରକଳ୍ପର ସଂପୂର୍ଣ୍ଣ କାର୍ଯ୍ୟକାରିତା ହେଲା ନାହିଁ । ମୟୁରଭଞ୍ଜ ଜିଲ୍ଲାର ଟୁରିଜମ କ୍ଷେତ୍ରରେ ଯେଉଁ ସୁଯୋଗ ରହିଛି ଯଥା ବଢ଼େଇପାଣି, ଭୀମକୁଣ୍ଡ, ଶିମିଳିପାଳ ଇତ୍ୟାଦି ବହୁ ଦର୍ଶନୀୟ ସ୍ଥାନ ଥିଲେ ମଧ୍ୟ ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରୁ ନାହୁଁ ଏଣୁ ଏହି ଆଦିବାସୀ ବହୁଳ ଅଂଚଳ ନବୀନ ସରକାରର ଉଦାସୀନତାରେ ଶିକାର । ଏଠି ଶିକ୍ଷା ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଷୁଡ଼ି ପଡ଼ିଛି । ସଂପୂର୍ଣ୍ଣ ସରକାରୀ ହାଇସ୍କୁଲ ମାନଙ୍କରେ ହେଡମାଷ୍ଟର ପଦବୀ ଖାଲି । ୫୦ ପ୍ରତିଶତ ହାଇସ୍କୁଲରେ ଶିକ୍ଷକ ମରୁଡ଼ି ତେଣୁ ଛାତ୍ରଛାତ୍ରୀମାନଙ୍କ ଉପରେ ଏହାର ପ୍ରଭାବ ପଡ଼ୁଛି । ଏଣୁ ୫ଟିର ମୋ ସ୍କୁଲ ବ୍ୟବସ୍ଥା ଏଠି ବିଫଳ । ମୟୁରଭଞ୍ଜ ଜିଲ୍ଲା କଳା ଓ ସଂସ୍କୃତିର ପୂଣ୍ୟକ୍ଷେତ୍ର । ଏଠି ବହୁ ପ୍ରସିଦ୍ଧ କଳାକାର, ସାହିତ୍ୟିକ, କବି, ଲେଖକ ଓ ଗୀତିକାରଙ୍କ ଜନ୍ମ ।

ଏ ମାଟି ମହିମାମଣ୍ଡିତ । ଦିନେ ପଣ୍ଡିତ ଗୋପବନ୍ଧୁଙ୍କର ମଧ୍ୟ ଏ ମାଟି କର୍ମକ୍ଷେତ୍ର ଥିଲା । ନବୀନ ସରକାରର ଉଦାସୀନତା ପାଇଁ ଏଠାରେ ବିକାଶ ହୋଇପାରୁ ନାହିଁ । ସରକାରୀ ଯୋଜନା ସବୁ ବାଟମାରଣା । ଆଦିବାସୀ ଲୋକଙ୍କୁ ବିକାଶାର ସ୍ୱପ୍ନ ଦେଖାଇ ନବୀନ ସରକାର ଲୁଣ୍ଠନ କରୁଛନ୍ତି । ମୟୁରଭଞ୍ଜ ଜିଲ୍ଲାରେ ଯୁବକଯୁବତୀ ମାନେ ନିଯୁକ୍ତି ନପାଇ ହତାଶ । ସେହିପରି ପ୍ରଚାର ସର୍ବସ୍ୱ ମୋଦି ସରକାର ଏ ଦେଶର ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦେଉଛନ୍ତି । ଏ ରାଷ୍ଟ୍ରର ସମ୍ବଳ ବୋଲି କିଛି ନାହିଁ । ମୋଦିଙ୍କର ଗୁଣଗ୍ରାହୀ ଶିଳ୍ପପତିମାନେ ଆଜି ଦେଶର ଖଣି, ଖାଦନ, ସରକାରୀ ଶିଳ୍ପ, ରେଳବାଇ, ବନ୍ଦର, ଇଣ୍ଡିଆନ ଏୟାରଲାଇନ୍ସ,ଏଲଆଇସି ପ୍ରଭୃତିକୁ ଦଖଲ କରିନେଲେଣି । ଜର୍ମାନର ନାଜିବାଦ ଶାସନର ଚିତ୍ର ଏବେ ଭାରତରେ ପରିଦୃଷ୍ଟ । ସମସ୍ତ ସରକାରୀ ଅନୁଷ୍ଠାନ, ଗଣତାନ୍ତ୍ରିକ ବ୍ୟବସ୍ଥା ଓ ସମ୍ବିଧାନ ଆଜି ବିଜେପି ଓ ଆରଏସଏସର ନିର୍ଦ୍ଦେଶରେ ପରିଚାଳିତ । ଜାତୀୟ ଶିକ୍ଷାନୀତି-୨୦୨୦ ଆରଏସଏସର ଚିନ୍ତାଧାରାରେ ଗଠିତ । ଯାହାକି ଦେଶର ସ୍ୱାର୍ଥ ବିରୋଧି । ମହଙ୍ଗା ମାଡ଼ରେ ଜନସାଧାରଣ ତ୍ରାହି ତ୍ରାହି ଡାକୁଥିବା ବେଳେ ମୋଦିମାର୍କା ବିକାଶ ଏକ ପ୍ରହଶନ ରେ ପରିଣତ ହୋଇଛି । ବିଜେଡ଼ି ଓ ବିଜେପି ଗୋଟିଏ ଚିନ୍ତାଧାରାରେ ଚାଲୁଥିବା ଦୁଇଟି ରାଜନୈତିକ ଦଳ । ଯିଏ ଦେଶର ଦୁର୍ଦ୍ଦିନ ଓ ଦୁର୍ଦ୍ଦଶା ପାଇଁ ଦାୟୀ ।

ଏମାନଙ୍କ କବଳରୁ ରାଷ୍ଟ୍ର ଓ ରାଜ୍ୟକୁ ରକ୍ଷାକରିବା ପାଇଁ ଭାରତ ଯୋଡ଼ ଯାତ୍ରା-ଓଡ଼ିଶା ଅଭିପ୍ରେତ । ନବୀନ ସରକାରର ଦୁର୍ନୀତି, ଭ୍ରଷ୍ଟାଚାର ଓ ଲୁଣ୍ଠନ ପ୍ରସଙ୍ଗରେ ଭାରତ ଯୋଡ଼ ଯାତ୍ରା ଓଡ଼ିଶାର ଜନସାଧାରଣଙ୍କୁ ଜାଗ୍ରତ କରୁଛି । ଆଜିର କାର୍ଯ୍ୟକ୍ରମରେ ସୁଶିଳା ତିରିଆ, ଗଣେଶ୍ୱର ବେହେରା, ନବଜ୍ୟୋତି ପଟ୍ଟନାୟକ,ସନତ ଦାସ, ବନ୍ଦିତା ପରିଡ଼ା, ୟାସିର ନୱାଜ, ବିଶ୍ୱଜିତ ଦାଶ, ପ୍ରଦୀପ ରଥ, ହିମାଂଶୁ ପରିଡ଼ା, ଜାନକୀ ବଲ୍ଲଭ ପଟ୍ଟନାୟକ, ଅଜିତ ଜେନା,ଶ୍ୟାମସୁନ୍ଦର ହାଂସଦା,ନିରୋଜ ଲୋଚନ ଦାସ, ଅରବିନ୍ଦ ଦାସ,ବାଙ୍କନିଧି ବେହେରା, ଶ୍ୟାମଚରଣ ହାଂସଦା, କ୍ଷିରୋଦ ପାତ୍ର, ପ୍ରକାଶ ମିଶ୍ର,ରଜନୀ ମହାନ୍ତି, ଜ୍ୟୋତି ପ୍ରକାଶ ରଥ, ଯୋଗେଶ ଅଗ୍ରୱାଲ, ଅଶୋକ କୁମାର ଗିରି, ଜ୍ଞାନରଞ୍ଜନ ପଟ୍ଟନାୟକ,ସଂଜୟ ତ୍ରିପାଠୀ,ପ୍ରଦୀପ ମହାପାତ୍ର,ସୁବ୍ରତ ମହାପାତ୍ର, ସସ୍ମିତା ଘୋଷାଲ, ଅଂଶୁମାନ ଦାସ, ମୋତି ପ୍ରକାଶ ଦାସ, ଅଶୋକ ଦାସ, ସୁଶାନ୍ତ ତ୍ରିପାଠୀ, ବିଭୁତି ଭୂଷଣ ମହାପାତ୍ର, ଗୌତମ ସାହୁ, ସତ୍ୟବ୍ରତ ନାୟକ,ମିନକେତନ ବେହେରା,ମନୋଜ ବିଶ୍ୱାଳ, ନିହାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.