ପ୍ରେମ, ସେକ୍ସ ଆଉ ଧୋକା: ପୀଡିତା ଥାନାର ଦ୍ବାରସ୍ଥ

ମାଲକାନଗିରି,୨୪/୧୧: ମାଲକାନଗିରି ଜିଲ୍ଲାର ଏମଭି-୭୯ ଥାନାରେ ପ୍ରେମ, ସେକ୍ସ ଏବଂ ଧୋକା ନେଇ ଏକ ଏତଲା ଦାୟର କରାଯାଇଛି।ଏତଲା ଦାୟର କରିଛନ୍ତି ଏମଭି-୭୨ ଗ୍ରାମର ତୃପ୍ତି ଦାସ। ତୃପ୍ତି ନିଜର ରୋଗୀଣା ବାପା ମାଆଙ୍କୁ ନେଇ ଏମଭି-୭୨ ଗ୍ରାମରେ ରହୁଛନ୍ତି।ତୃପ୍ତିଙ୍କର ଗୋଟିଏ କିଡନୀ ନଥିବା ବେଳେ ମାଆ ମଧ୍ୟ କିଡନୀ ରୋଗରେ ପୀଡିତ। ତେବେ ତୃପ୍ତିଙ୍କ ସହ ଏମଭି-୭୯ ଗ୍ରାମର ସଂଜୀବ ପାଲଙ୍କ ସହ ଦେଖାହୁଏ। ସଂଜୀବ ତୃପ୍ତିକୁ ପ୍ରଥମେ ପ୍ରେମ ଜାଲରେ ଫସାଇଥିଲା। ତାର ଗୋଟିଏ କିଡନୀ ନଥିବା କହି ତାକୁ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଥିଲା। ପରେ ଦୁହେଁ ପ୍ରେମରେ ପଡିଥିଲେ। ସଂଜୀବ ବିବାହିତ ଥିଲେ ମଧ୍ୟ ତୃପ୍ତି ସଂଜୀବର ପ୍ରେମରେ ପଡିଥିଲା। କାରଣ ତାକୁ ସ୍ତ୍ରୀର ମର୍ଯ୍ୟଦା ସଂଜୀବ ଦେବାକୁ ଚାହୁଁଥିଲା। ତାକୁ ସବୁ ସୁଖ ଦେବାକୁ ଚାହୁଁଥିଲା। ତେବେ ତାର ପ୍ରତିବଦଳରେ ସେ ତାର ଶରୀରକୁ ଚାହୁଁଥିଲା। ଦୀର୍ଘ ତିନି ବର୍ଷ ଧରି ତୃପ୍ତି ସହ ଶାରିରୀକ ସଂପର୍କ ରଖିବା ପରେ ତାକୁ ଆଉ ବିବାହ କରିବାକୁ ଚାହିଁଲା ନାହିଁ। ତୃପ୍ତି ସଂଜୀବର ଘରେ ଯାଇ ଧାରଣା ଦେବା ପରେ ପରିବାର ଲୋକେ ମିଶି ତାକୁ ମାରଧର କରିଥିବା ତୃପ୍ତି ଅଭିଯୋଗ କରିଛନ୍ତି। ଏପରିକି ତୃପ୍ତି ଗର୍ଭବତୀ ଥିଲେ। ତୁ ମରିଯିବୁ କହି ସଂଜୀବ ତାର ଗର୍ଭପାତ କରାଇଥିଲା। ପୁଣି ତାକୁ ମାଲକାନଗିରିରେ ରଖି ସମସ୍ତ ସୁବିଧା ଦେବ ବୋଲି କହି ମାଲକାନଗିରିରେ ରଖିଲା। କିନ୍ତୁ ତୃପ୍ତିକୁ ଆଉ ପଚାରିଲା ନାହିଁ। ଏହାପରେ ତୃପ୍ତି ଯେତେ ଥର ସଂଜୀବକୁ ଫୋନ ଯୋଗେ ହେଉ ବା ଘରେ ଯାଇ ଦେଖା କରିବାକୁ ଚାହିଁଲେ ସେ ଦେଖା କରିଲା ନାହିଁ। ତୃପ୍ତି ସଂଜୀବର ଘର ଆଗରେ ପୁଣି ଧାରଣା ଦେଇଥିଲା। ତେବେ ସେ ଜଣେ ରାଜନେତାର ପୁତୁରା ହୋଇଥିବାରୁ ତାକୁ କେହି ଛୁଇଁପାରିବେ ନାହିଁ ବୋଲି ସେ ଯୁକ୍ତି ବାଢୁଥିଲା। ତୃପ୍ତି ଏବେ ନ୍ୟାୟ ପାଇଁ ଏମଭି-୭୯ ଥାନାର ଦ୍ବାରସ୍ଥ ହୋଇଛି। ମୁଁ ଏବେ ଅସହାୟ ବୋଲି କହିବା ସହ ମୋର ବାପା ଓ ମାଆ ଏସବୁ କଥା ଜାଣିବା ପରେ ସେମାନେ ମଧ୍ୟ ଚିନ୍ତାରେ ପଡିଥିବା ତୃପ୍ତି କହନ୍ତି। ତେଣୁ ମୋତେ ନ୍ୟାୟ ଦିଆଯାଉ ବୋଲି ସେ ଦାବି କରିଛି। ଏମଭି-୭୯ ଥାନାରେ ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ସଂଜୀବ ଫେରାର ଥିବା ଜଣାପଡିଛି।

Leave A Reply

Your email address will not be published.