ଗନ୍ଧମାର୍ଦ୍ଦନ ପର୍ବତମାଳାରେ ପାଳିତ ହେଲା ଦୁଇ ଦିନିଆ ଦୂର୍ଗୋଇଦେବୀଙ୍କ ଦୂର୍ଗୋଇଖୋଲ ପାହାଡି ଯାତ୍ରା

ବରଗଡ଼: ଗନ୍ଧମାର୍ଦ୍ଦନ ପର୍ବତମାଳାରେ ପାଳିତ ହେଲା କନ୍ଧ ଆଦିବାସୀ ସମ୍ପ୍ରଦାୟର ଦୂର୍ଗୋଇ ଦେବୀଙ୍କ ପାହାଡି ଯାତ୍ରା । ଗନ୍ଧମାର୍ଦ୍ଦନର ପର୍ବତମାଳାର ବିଭିନ୍ନ ସ୍ଥାନର ଗିରିଗୁମ୍ଫା ଦେବା ଦେବୀ ମାନଙ୍କୁ ନେଇ ବିଭିନ୍ନ ଲୋକକଥା, ଇତିହାସ, କିମ୍ବଦନ୍ତୀ ,ଐତିହ, ପରମ୍ପରା, ଲୋକକାହାଣୀ ଗୁଡିକ ଅପରିମିତ । କିମ୍ବଦନ୍ତୀ ଅନୁସାରେ ବିଭିନ୍ନ ରୂପରେ ଦେବା ଦେବୀମାନେ ଗନ୍ଧମାର୍ଦ୍ଦନର ଚାରିଦିଗରେ ଆସ୍ଥିନ ଥିବା ବେଳେ ପର୍ବତମାଳାର ପଠାର ତାଲଡ଼ଙ୍ଗର ତଳେ ଦୁର୍ଗେଇଖୋଲ ନାମକ ଅଞ୍ଚଳରେ ଥିବା ମା’ ଦୁର୍ଗେଇବୁଢି ବା ଦୂର୍ଗୋଇଦେବୀଙ୍କ ରହିଛି ସ୍ୱତନ୍ତ୍ର ସ୍ଥାନ । ଘଞ୍ଚ ପାହାଡ ଭିତରେ ଥିବା ଦୂର୍ଗୋଇଖୋଲରେ ଯାତ୍ରା ହେଉଥିବାରୁ ଏହାକୁ ପାହାଡି ଯାତ୍ରା ବା ଦୂର୍ଗୋଇଖୋଲ ଯାତ୍ରା କୁହାଯାଏ । କିଛି କାସରେ କନ୍ଧ କବି ଯୁଗ ଦାସଙ୍କ ନୃସିଂହ ଚରିତ ଓ ସ୍ଥାନୀୟ ଲୋକ କଥା ଅନୁସାରେ ମୂଷିକ ଦୌତ୍ଯଙ୍କୁ ମାରିବା ପାଇଁ ରାମଚନ୍ଦ୍ର ଘୋର ଅରଣ୍ୟ ମଧ୍ୟରେ ପ୍ରବେଶ କରିବା ପରେ ମୂଷିକ ଦୌତ୍ଯ ରାମଚନ୍ଦ୍ରଙ୍କ ଭୟଙ୍କର ବିରାଟ ରୂପ ଦେଖି ଭୟଭୀତ ହୋଇ ଦୌଡ଼ି ପଲାୟନ କରି ଶେଷରେ ଗିରିବର ଗନ୍ଧଗିରିରେ ସରଣ ପସିଲା ସେ ସମୟରେ ଗିରିବର ଗନ୍ଧଗିରି କହିଲା ଯେ ଗର୍ଭେ ଆସି ପଶ । ସେଠାରେ ମୂଷିକ ଦୌତ୍ଯ ଗୁମ୍ଫା ଭିତରେ ପ୍ରବେଶ କରି ଲୁଚି ରହିଲେ। ସେଠାରେ ପ୍ରଭୁ ନୃସିଂହାଥ ମାର୍ଜାର କେଶରୀ ରୁପେ ଜଗି ରହିଲେ ଓ ଅନ୍ୟ ଦେବାଦେବୀ ଓ ମୁନିଋଷିଙ୍କୁ ବିଭିନ୍ନ ସ୍ଥାନ ଓ ଦିଗରେ ଜଗି ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହି ଦିନଠାରୁ ମାଆ ଦୂର୍ଗୋଇଦେବୀ ବନଦୂର୍ଗା ଭାବରେ ପର୍ବତର ଖୋଲ ମଧ୍ୟରେ ରହିଲେ । ଆହୁରି ମଧ୍ୟ ପ୍ରସନ୍ନ କୁମାର ପୂଝାରୀଙ୍କ ଲିଖିତ ପୁସ୍ତକ ହରିଶଙ୍କର ଦର୍ଶନରେ ଲେଖା ରହିଛି ଯେ ରାଜା ହମିର ଦେଓଙ୍କ ସମୟରେ ନିର୍ମିତ ହୁମେରଗଡ଼ର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ଦୂର୍ଗୋଇଖୋଲର ଦେବୀ ଦୂର୍ଗୋଇଦେବୀ । ଏହାକୁ ମନଭଙ୍ଗ ଗାଁର ପୂଜକ ବା ଝାଙ୍କର ପୂଜାର୍ଚ୍ଚନା କରୁଥିଲେ । ମନଭଙ୍ଗ ଗାଁର ବର୍ଷିଆନ ହିରଣ୍ଯକ ମଲ୍ଲିକ କହନ୍ତି ଯେତତ୍କାଳୀନ ଗୌନ୍ତିଆ ଧନୁଧର ଭୁଏଙ୍କ ଠାରେ ପୁରାଣ ଥିଲା । ମନଭଙ୍ଗ ଗାଁରେ ଖୁଟଲା ବୁଢ଼ା ବୋଲି ଜଣେ ଝାଙ୍କର ସେ ମାଆ ଦୂର୍ଗୋଇଦେବୀଙ୍କୁ କନ୍ଧଙ୍କ ପରମ୍ପରାରେ ପୂଜାର୍ଚ୍ଚନା କରୁଥିଲେ । ଦୂର୍ଗୋଇଦେବୀଙ୍କ ସହ ଅନ୍ୟାନ୍ୟ ଦେବା ଦେବୀ ହିସାବରେ ଦମାପଲିଏନ, ଭିମାବୁଢା, ଡ଼ଙ୍ଗର ବୁଢା , ବିନ୍ଧ୍ୟବାସିନୀଙ୍କୁ ପୂଜାର୍ଚ୍ଚନା କରାଯାଏ । ଗାଁର ପରମ୍ପରା ଅନୁସାରେ ମହୁଲ ସମୟରେ ପ୍ରଥମେ ମହୁଲକୁ ଦୂର୍ଗୋଇଖୋଲରେ ଦେବୀଙ୍କୁ ନୂଆ ମହୁଲ (ପ୍ରଥମ ମହୁଲ) ରେ ମଦ ତିଆରି କରି ରେଙ୍ଗାଲ ପତ୍ରରେ ପତ୍ରଠୁକା(ପାତ୍ର) ତିଆରି କରି ଅର୍ପଣ କରାଯାଇଥାଏ । ପରେ ମହୁଲ ବେଟା ବା ସଗ୍ରହ ଆରମ୍ଭ ହୁଏ । ଆହୁରି ମଧ୍ୟ ବଡ଼ ପରମ୍ପରା ରହିଛି ସକାଳୁ ଗାଧେଇବା ପୂର୍ବ ସମୟ ପର୍ଯ୍ୟନ୍ତ ମହୁଲ ଗୋଟା ଯାଇଥାଏ । ଗାଧୋଇ ବା ପରେ ଆଉ ମହୁଲ ସଗ୍ରହ କରାଯାଏ ନାହିଁ । ଲୋକକଥା ଅନୁସାରେ ମାଣ୍ଡିଆଗ୍ରାମ(ବର୍ତ୍ତମାନ ମନଭଙ୍ଗ ଗାଁ ହୋଇଛି)ର ଗୌନ୍ତିଆଙ୍କୁ ସ୍ବପ୍ନାଦେଶ ହେଲା, ଗୌନ୍ତିଆ ଦୂର୍ଗୋଇଖୋଲରେ ଦୂର୍ଗୋଇଦେବୀଙ୍କୁ ପାଇ କନ୍ଧଙ୍କ ଇଷ୍ଟ ଦେବୀ ଭାବରେ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ କନ୍ଧ ଝାଙ୍କର ଖୁଣ୍ଟଲା ବୁଢ଼ା ଦୀର୍ଘ ବର୍ଷ ଧରି ଦେବୀଙ୍କ ଝାଙ୍କର ହିସାବରେ ପୂଜାର୍ଚ୍ଚନା କରିଥିଲେ । ଧିରେ ଧିରେ ପୂଜାକୁ ସାର୍ବଜନୀନ କରାଯାଇ ଏବେ ପରମ୍ପରା ଅନୁସାରେ କନ୍ଧ ସମାଜ ବରୁଆ – ରଞ୍ଜିତ ମଲ୍ଲିକ, ବିଶିକେଶର, ଅନାଦି ମାଝୀ, ଶୁକ୍ରୁ ମଲ୍ଲିକ, ମହେନ୍ଦ୍ର ମଲ୍ଲିକ ଓ କନ୍ଧ ପୂଜକ- ସୁବାଷ ମଲ୍ଲିକ, ଅନୁରୁଧ୍ଧ ମଲ୍ଲିକ, ସଚିଦାନନ୍ଦ ମଲ୍ଲିକ, ନକୁଳ ମଲ୍ଲିକ, ତ୍ରିନାଥ ମଲ୍ଲିକ ଓ ବଳିକାଟୁ- ଯୋଗୀ ମଲ୍ଲିକ, ଇନ୍ଦ୍ର ମଲ୍ଲିକ ପ୍ରମୁଖ ପୂଜାର୍ଚ୍ଚନା କରୁଛନ୍ତି । ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ମନଲୋଭା ଦୃଶ୍ୟ ସହ କୁଳୁ କୁଳୁ ନାଦରେ ବୋହି ଆସୁଥିବା ଦୁଇ ଚିରଶ୍ରୋତା ଝରନ ବା ଝରଣା ତାଲ ଝରନ ଓ ମା’ଙ୍କ ନାମରେ ନାମିତ ଝରଣା ଦୁର୍ଗେଝରନ ମନକୁ ବେଶ ଆକୃଷ୍ଟ କରିଥାଏ । ଆହୁରି ମଧ୍ୟ ଏକ ବିଚତ୍ର ଓ ଆଶ୍ଚର୍ଯ୍ୟ କାହାଣୀ ସେଠାରେ ରହିଛି ଯାହା ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଉକ୍ତ ସ୍ଥାନରେ ଚକ୍ରକୁଣ୍ଡ ରହିଛି ଯାହା ଯାତ୍ରା ସମୟରେ ମାଆଙ୍କ ପୂଜାର୍ଚ୍ଚନା ପାଇଁ ଉକ୍ତ କୁଣ୍ଡରୁ ପାଣି ଝରିଥାଏ । ଉକ୍ତ ସ୍ଥାନଟି ପ୍ରକୃତିର ଗନ୍ତା ଘର କହିଲେ ଅତ୍ୟୁକ୍ତି ହେବ ନାହିଁ । ଦୂର୍ଗୋଇଖୋଲର ଦେବୀଙ୍କ ପୀଠକୁ ପହଞ୍ଚି ବାକୁ ହେଲେ ବରଗଡ଼ ଜିଲ୍ଲାର ପାଇକମାଳ ଠାରୁ ୭ କିମି ମନଭଗ ଗାଁକୁ ପହଞ୍ଚି ସେଠାରୁ ମନଭଙ୍ଗ ଡେମକୁ ପହଞ୍ଚି ବାକୁ ପଡିବ । ଦୂର୍ଗୋଇଖୋଲ ଯିବା ରାସ୍ତାକୁ ସ୍ଥାନୀୟ ଅଧିବାସୀ ମାନେ ଚିହ୍ନଟ ପାଇଁ ସ୍ଥାନୀୟ ଭାଷାରେ ବିଭିନ୍ନ ସ୍ଥାନର ନାମକରଣର କରିଛନ୍ତି । ସେହି ରାସ୍ତାରେ ଯିବାକୁ ପଡିବ । ମନଭଙ୍ଗ ଡେମରୁ ଦୂର୍ଗୋଇଖୋଲକୁ ପାଦରେ ଯାତ୍ରା କରି ବିଶନୀ ପାହାଡ ଉପରକୁ ଚଢ଼ିବାକୁ ପଡିବ । ସେଠାରୁ ମନଭଙ୍ଗ ଡେମ ହିଡ଼ରେ ବିଶନୀ ବଣ ପଟକୁ ଗଲେ ପ୍ରଥମେ ଡ଼ଙ୍ଗର ବାଏର ରାସ୍ତା ଦେଇ ନାଲ ପାରିହୋଇ ଦମାପଲିଏନ ଦେବୀ ଦର୍ଶନ ପରେ ଘେସରା , ସେଠାରୁ ଘିଢ଼ଲା ପରେ ଆଣ୍ଠୁଟାଲ , ବତୀଜଲା, ବୌଠକି, ହୁମେରଗଡ଼ ଦ୍ବାର ଦେଇ ଆଗକୁ ବଢିବାକୁ ପଡ଼ିବ ସେଠାରୁ ବିଶନୀ ଜଙ୍ଗଲ କଡରେ କଡ଼ରେ ଯାଇ ତଳକୁ ଓହ୍ଲାଇଲେ ପ୍ରାୟ ୨ ଘଣ୍ଟାର ଜଙ୍ଗଲ ଏବଂ ପଥୁରିଆ ଦୂର୍ଗମ ରାସ୍ତା ଅତିକ୍ରମ କରିବା ପରେ ଆସିଥାଏ ମା’ ଦୁର୍ଗାଙ୍କର ସର୍ବପ୍ରାଚୀନ ପ୍ରାକୃତିକ ପୀଠ । ଏକ ଗୁମ୍ଫା ତଳେ ଶହଶହ ବର୍ଷର ପୁରୁଣା ବରଗଛ ତଳେ ପୂଜା ପାଇଛନ୍ତି ମା’ ଦୁର୍ଗେ ଦେବୀ । ବର୍ଷକୁ ଦୁଇ ଥର ଚୌତ୍ର ପୁର୍ଣିମା ଓ ମାର୍ଗଶୀର ପୁର୍ଣ୍ଣିମା ଓ ଚୈତ୍ର ପୂର୍ଣ୍ଣିମା ଦିନ ମାଆଙ୍କ ବିରାଟ ପାହାଡି ଯାତ୍ରା ଘଞ୍ଚ ଅରଣ୍ୟ ମଧ୍ୟରେ ପାଳିତ ହୋଇଥାଏ । ଗତକାଲି ମାର୍ଗଶୀର ପୂର୍ଣ୍ଣିମା ଦୁଇଦିନ ଧରି ଯାତ୍ରା ହୋଇଥାଏ ଓ ଏହି ଯାତ୍ରା ସାର୍ବଜନୀନ ହୋଇଥିବା ବେଲେ ଚୌତ୍ର ଯାତ୍ରା ଗାଁର ଗୌନ୍ତିଆଙ୍କର ହୋଇଥାଏ । ମାର୍ଗଶିର ରାତିରେ ଯାତ୍ରା ଅନୁଷ୍ଠିତ ହେଉଥିବାରୁ ଭକ୍ତ ମାନେ ରାତିରେ ପୀଠରେ ରହି ପୂଜାର୍ଚ୍ଚନା କରିଥାନ୍ତି । ହଜାର ହଜାର ଜନସମାଗମ ହୋଇଥାଏ । ଏଥର ମଧ୍ୟ ଅନେକ ଗାଁର ଲୋକମାନେ ମିଲିତ ଭାବରେ ମାଆ ଦୂର୍ଗୋଇଦେବୀ ପୂଜା କମିଟି ନାମରେ କମିଟି ଗଠନ କରି ସାର୍ବଜନୀନ ପୂଜା ପରମ୍ପରା ପରିଚାଳନା କରୁଛନ୍ତି । ଏଥର ମଧ୍ୟ କମିଟିରେ ମଧୁସୂଦନ ପାଣ୍ଡେ ସଭାପତି ଦାୟିତ୍ୱରେ ରହିଛନ୍ତି। ସମସ୍ତ ଗ୍ରାମବାସୀ ମାନେ ସହଯୋଗ କରି ଅତି ସୁନ୍ଦର ଓ ଶାନ୍ତି ଶୃଙ୍ଖଳା ସହ ପୂଜା ପର୍ବ ପାଳନ କରିଛନ୍ତି । ଲୋକ ବିଶ୍ୱାସ ଅନୁଯାୟୀ ଏହି ସ୍ଥାନରେ ଭକ୍ତଙ୍କ ସବୁ କାମନା ମା’ ପୁରଣ କରୁଥିବାରୁ ଭକ୍ତଙ୍କ ମନରେ ଏହି ସ୍ଥାନ ପ୍ରତି ଆସ୍ଥା ଏବଂ ଦୃଢ଼ ବିଶ୍ୱାସ ଭରି ରହିଛି । ପାହାଡ ଭିତରେ ଦୂର୍ଗମ ସ୍ଥାନ ଅତିକ୍ରମ କରି ଶ୍ରଦ୍ଧାଳୁ ମାନେ ମାନସିକ କରି ଦେବୀଙ୍କ ଆଶୀର୍ବାଦ ଲାଭ କରନ୍ତି । ଶହଶହ ବର୍ଷର କନ୍ଧ ପୂଜା ପରମ୍ପରା ଏବେବି ଗନ୍ଧମାର୍ଦ୍ଦନରେ ରହିଛି । ଏଥର ମଧ୍ୟ ଗତକାଲି ଠାରୁ ଦୁଇଦିନ ଧରି ଶାନ୍ତି ଶୃଙ୍ଖଳା ସହ ହଜାର ହଜାର ଭକ୍ତ ଦୂର୍ଗୋଇଖୋଲଯାତ୍ରା ପାଳନ କରିଥିବାରୁ ସମସ୍ତ ସ୍ଥାନୀୟ ଗ୍ରାମବାସୀ, ସମସ୍ତ ଭକ୍ତ, କମିଟି କର୍ମକର୍ତ୍ତାଙ୍କ ଦୂର୍ଗୋଇଦେବୀ ପୂଜା ପାଳନ କମିଟି ତରଫରୁ ସଭାପତି ଓ ସମ୍ପାଦକଙ୍କ ତରଫରୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Leave A Reply

Your email address will not be published.